ଇଂ. ରାଜଶେଖର ଲାହା : ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ‘ଗୁ’ ଶବ୍ଦର ଅର୍ଥ ଅନ୍ଧାର ‘ରୁ’ ଶବ୍ଦର ଅର୍ଥ ଆଲୁଅ । ଯିଏ ଅନ୍ଧାରରୁ ଆଲୋକକୁ ବାଟ କଢ଼େଇ ନିଅନ୍ତି, ତାଙ୍କୁ ଗୁରୁ ବୋଲାଯାଏ । ଭାରତର ପୁରାଣ ଓ ଦର୍ଶନରେ ଯିଏ ଅଜ୍ଞାନରୁ ଜ୍ଞାନ ଆଲୋକକୁ ନେଇ ଯାଆନ୍ତି ତାଙ୍କୁ ଗୁରୁ କୁହନ୍ତି । ଗୁରୁ ଉତ୍ସାହର ମୂଳାଧାର । ପାଶ୍ଚାତ୍ୟ ଦର୍ଶନରେ ନିର୍ଦ୍ଦିଷ୍ଟ ପରମ୍ପରା ବା ଧର୍ମର ପରିସୀମା ଭିତରେ ନଥାଇ ଯିଏ ଅନେକ ଅନୁଗାମୀଙ୍କୁ ଏକାଠି କରନ୍ତି, ତାଙ୍କୁ ଗୁରୁ କୁହାଯାଏ । ଏଭଳି ଏକ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଜଣେ ଗୁରୁ ହେଉଛନ୍ତି ଡକ୍ଟର ଅଚୁ୍ୟତ ସାମନ୍ତ ସାର୍ ।
ଅଚୁ୍ୟତ ଯିଏ ନିଜର ଗତିପଥରୁ କର୍ତ୍ତର୍ବ୍ୟ ପରାୟଣତା ଦାୟିତ୍ୱବୋଧରୁ ଚୁ୍ୟତ ହୋଇନଥିବା ଦରଦୀ ମଣିଷଟିଏ । ଜୀବନର ପ୍ରାରମ୍ଭରୁ ଆରମ୍ଭ ହୋଇଥିବା ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସଂଘର୍ଷକୁ ନିଜର କରି ଆଗକୁ ବଢ଼ିଥିବା ମହାଦ୍ରୁମଟିଏ । ଯିଏ ଦୀପଟିଏ ହୋଇ ହଜାର ହଜାର ଆଲୋକବର୍ତ୍ତିକା ପ୍ରଜ୍ଜ୍ୱଳିତ କରି ଆଲୋକର ଦିବ୍ୟ ଜ୍ୟୋତିଧାରାରେ ସେମାନଙ୍କ ଜୀବନକୁ କୁସୁମିତ କରିବା ସହ ଅନେକ ମଣିଷ ତିଆରି କାରଖାନାର ପ୍ରାଣ ପ୍ରତିଷ୍ଠାତା ।
ସେ ମାନବ ନୁହଁନ୍ତି, ଜଣେ ଅନୁଷ୍ଠାନ । ସେହି ଅଦମ୍ୟ ଚେଷ୍ଟା, ନିରନ୍ତର ପ୍ରୟାସ ଅବିଚଳ ମନୋନିବେଶ, ଉଚ୍ଚାକାଂକ୍ଷା, ତାଙ୍କୁ କର୍ମଯୋଗୀରେ ରୂପାନ୍ତର କରିଦେଇଛି । ଅଭାବ ଅନଟନର ସଂଘର୍ଷରେ ବଢ଼ି ଅଧ୍ୟାପନାରୁ ନିଜର ଦାୟିତ୍ୱବୋଧ ଜୀବନର ଅୟମାରମ୍ଭ, ଚାକିରି କରି ଅର୍ଥ ରୋଜଗାରରେ ନିଜର ପରିବାର, ଅଞ୍ଚଳର ଉନ୍ନତିରେ ସହାୟକ ହୋଇପାରିଥାନ୍ତେ । କିନ୍ତୁ ବିଧାତାର ବିଚାର ଭିନ୍ନ । ସମଗ୍ର ବିଶ୍ୱକୁ ପରିବାର ଭାବି ସାଂସାରିକ ମୋହ-ମାୟାରୁ ନିଜକୁ ଉଦ୍ଧ୍ୱର୍ରେ ରଖି ବିଶ୍ୱ କଲ୍ୟାଣାର୍ଥେ ସମର୍ପିତ ।
ଯିଏ ହଜାର ହଜାର ଗରିବ, ନିରୀହ, ନିଷ୍ପେସିତ, ଅବହେଳିତ ପିଲାଙ୍କୁ ଶିକ୍ଷାର ଆଲୋକବର୍ତ୍ତିକାରେ ଆଲୋକିତ କରିବେ, ଯିଏ ସମାଜର ହିତ ପାଇଁ ସମର୍ପିତ ସେ କ୍ଷୁଦ୍ର ସ୍ୱାର୍ଥ ପାଇଁ ବନ୍ଧନଯୁକ୍ତ ହୋଇଥାନ୍ତେ କିପରି? ଈଶ୍ୱର ଯାହାଙ୍କୁ ଅନୁଷ୍ଠାନ କରି ଗଢ଼ି ତୋଳିଛନ୍ତି, ସେ ବ୍ୟକ୍ତିବିଶେଷରେ ସନ୍ତୁଷ୍ଟ ହେବେ କିପରି? କଲରାବାଙ୍କରୁ ଜନ୍ମିତ ହୋଇ ଜନ୍ମମାଟିକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା କରାଇବାରେ କଳିଙ୍ଗ ମାଟିର ସୁଯୋଗ୍ୟ ସନ୍ତାନ ନିଜର ଉତ୍ସର୍ଗୀକୃତ ମନୋଭାବକୁ ସଫଳ ରୂପାୟନ କରି ପାରିଛନ୍ତି ।
ମାଟି ମାଆକୁ (କଳିଙ୍ଗ) ଭଲପାଉଥିବା ଦରଦୀ ମଣିଷଟି ପ୍ରତିଷ୍ଠା କରିଥିବା ସମସ୍ତ ଅନୁଷ୍ଠାନ ‘କଳିଙ୍ଗ’ ନାମରେ ସମର୍ପିତ । କଳିଯୁଗର ବାସ୍ତୁବାଦୀ ଦୁନିଆରେ ସ୍ୱାର୍ଥନ୍ୱେଷୀ ମଣିଷ ନିଜର ଅଥବା ସଂପର୍କୀୟମାନଙ୍କୁ ଗୁରୁତ୍ୱାରୋପ କରୁଥିବା ବେଳେ ଜନ୍ମମାଟିକୁ ଭଲ ପାଉଥିବା ବ୍ୟକ୍ତି ସେମାନଙ୍କଠାରୁ ଉଦ୍ଧ୍ୱର୍ରେ, ଏହା ମଧ୍ୟ ଆଜିର ସମାଜ ପାଇଁ ଅନୁକରଣୀୟ ।
ସମଗ୍ର ଓଡ଼ିଶାର ବଣପାହାଡ଼ଘେରା ଜନଜାତି ମୁଲକର ଗରିବ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ପ୍ରଦୀପଟିଏ କରି ଗଢ଼ି ତୋଳିବାର ଯେଉଁ ଅଦମ୍ୟ ପ୍ରୟାସ ଅବିଚଳିତ ମନୋବୃତ୍ତି ଓ ନିରନ୍ତର ଚେଷ୍ଟା ତାଙ୍କୁ ମହାନରୁ ମହାନୁତ୍ତର କରିଛି । ଶିକ୍ଷାର ଅଭାବ ଯୋଗୁ ଯେଉଁମାନେ ନିଜର କୌଳିକ ବୃତ୍ତିକୁ ଆପଣେଇ ଥାଆନ୍ତେ ଅଥବା ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ହୋଇଥାନ୍ତେ, ସେମାନେ ଆଜି ଆଲୋକବର୍ତ୍ତିକା ହୋଇ ନିଜର, ନିଜ ପରିବାରର, ନିଜ ଅଞ୍ଚଳର ଓଡ଼ିଶା ମାଟିରେ ସଫଳ ଭାବେ ନିଜକୁ ଉପସ୍ଥାପିତ କରିପାରିଛନ୍ତି । ଜଣେ ବ୍ୟକ୍ତିବିଶେଷ ଦୁଇ ଦୁଇଟି ବିଶ୍ୱବିଦ୍ୟାଳୟ (କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ ବିଶ୍ୱବିଦ୍ୟାଳୟ)ର ପ୍ରାଣ ପ୍ରତିଷ୍ଠାତା ।
ଅଭାବ ଅନଟନରେ ପଢ଼ିପାରୁ ନଥିବା ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କର ମାଗଣା ଶିକ୍ଷା ପାଇଁ ଦାୟୀତ୍ୱ ବହନ କରି କେବଳ ସେମାନଙ୍କର ପଥପ୍ରଦର୍ଶକ ନୁହଁନ୍ତି, ସମସ୍ତ ଶିକ୍ଷାପ୍ରେମୀଙ୍କ ଆଦର୍ଶ ପାଲଟି ଯାଇଛନ୍ତି । ବୀର ସହୀଦମାନଙ୍କର ସନ୍ତାନମାନେ ଅଥବା କରୋନାରେ ବଳିଦାନ କରିଥିବା ଯୋଦ୍ଧାମାନଙ୍କର ସନ୍ତାନମାନେ, ସମସ୍ତଙ୍କୁ ମାଗଣାରେ ଶିକ୍ଷାଦାନ କରିବାର ଯେଉଁ ବଳିଷ୍ଠ ପଦକ୍ଷେପ ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ । ସମାଜର ଅବହେଳିତ, ଦୁର୍ଘଟଣାଗ୍ରସ୍ତ ପରିବାରର ଅନାଥ ପିଲାଙ୍କ ଆଶାର ଆଲୋକ ପାଲଟି ଯାଇଛନ୍ତି ସାମନ୍ତ ସାର ।
ମଣିଷ ଯେତେବେଳେ ଲୋଭ, ମୋହ, ମାୟା ପଛରେ ପଡ଼ି ସର୍ବଦା ବସ୍ତୁବାଦୀ ହୋଇ ଆଗକୁ ଦୌଡ଼େ, ସେହି ସମୟରେ ଏଭଳି ଏକ ବ୍ୟକ୍ତି ନିଜ ମାଟି ମାଆକୁ ପ୍ରାଣଭଳି ଭଲପାଇ ନିଜ ଗାଁକୁ ସମଗ୍ର ଦେଶରେ ଏକ ଆଦର୍ଶ ଗ୍ରାମରେ ପରିଣତ କରିପାରିଛନ୍ତି । ଏହା ଆଜିର ସମାଜ ପାଇଁ ଅନୁକରଣୀୟ । ଭାରତୀୟ ପରମ୍ପରାରେ ଗୁରୁଙ୍କ ସ୍ଥାନ ଅତୁଳନୀୟ । ଏହି ପବିତ୍ର ଗୁରୁଦିବସ ଅବସରରେ ଗୁରୁ ଡକ୍ଟର ଅଚୁ୍ୟତ ସାମନ୍ତ ସାର୍ଙ୍କ ନିଷ୍ଠା, ତ୍ୟାଗପୁତ ଜୀବନ, ସମୟାନୁବର୍ତ୍ତିତା, ଦାୟୀତ୍ୱବୋଧ, କର୍ତ୍ତବ୍ୟ ପରାୟଣତା, ସେବା ମନୋବୃତ୍ତି, ସମର୍ପଣ ଭାବ, ସର୍ବଦା ସମାଜ ପାଇଁ ଅନୁକରଣୀୟ । ‘ଗୁରୁ’ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ । ସର୍ବାଗ୍ରେ ପ୍ରଣମ୍ୟ ଗୁରୁଜୀ ।