Odisha news

ଟାଟା ପାୱାରରେ ନିଯୁକ୍ତି ଦାବୀରେ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଧାରଣା

0

ଜଗତସିଂହପୁର :ବିଦ୍ୟୁତ ବିତରଣ ସଂସ୍ଥା ଏନଜେନ ଅଧିନରେ ରହି କାର୍ଯ୍ୟ କରୁଥିବା ଜଗତସିଂହପୁର ଜିଲ୍ଲାର ପ୍ରାୟ ୩୦୦ରୁ ଉର୍ଦ୍ଧ କର୍ମଚାରୀଙ୍କୁ ଛଟେଇକୁ ନେଇ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ସହିତ ଚୁକ୍ତି ହେବା ପରେ ଏନଜେନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରାଯାଇଛି ।ପୁର୍ବରୁ ବିଦ୍ୟୁତ ବିତରଣ ସଂସ୍ଥା ଏନଜେନରେ କାର୍ଯ୍ୟ କରୁଥିବା ବିଦ୍ୟୁତ ମରାମତି,ବିଲିଂ ଆଦି କାର୍ଯ୍ୟରେ ଥିବା କର୍ମଚାରୀ ଓ ଶ୍ରମିକମାନଙ୍କୁ କୋଭିଡ-୧୯ ପରି ମହାମାରୀ ବା ମହା ବିପତ୍ତି ସମୟରେ ଛଟେଇ କରାଯିବା ଦୁର୍ଭାଗ୍ୟଜନକ ।ପୁନଃ ନିଯୁକ୍ତି ଦାବୀରେ ଛଟେଇ କର୍ମଚାରୀମାନେ ଧାରଣା ଦେବା ସହିତ କମ୍ପାନୀ କତ୍ତୃପକ୍ଷଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଏହାକୁ ନେଇ ଜଗତସିଂହପୁର ଜିଲ୍ଲାର ଏନଜେନ ଅଧିନରେ ରହି କାର୍ଯ୍ୟ କରୁଥିବା ତଥା ଚାକିରୀରୁ ଛଟେଇ ହୋଇଥିବା କର୍ମଚାରୀମାନେ ବିଦ୍ୟୁତ ଶ୍ରମିକ ଓ କର୍ମଚାରୀମାନେ ସାମାଜିକ ଦୁରତା ଓ ମାସ୍କ ପରିଧାନ କରି  ବସଷ୍ଟାଣ୍ଡ ସ୍ଥିତ ଡିଭିଜନ ଅଫିସ ଓ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।ଏନଜେନ କମ୍ପାନୀରେ ଦୀର୍ଘ ବର୍ଷ ହେବ ଚାକିରୀ କରିବା ସହିତ ସମସ୍ତ ଦୈବ ଦୁର୍ବୀପାକ ସମୟରେ ନିଜ ଜୀବନକୁ ବାଜି ଲଗାଇ କାମ କରିଥାଉ ।ଯେତେବେଳେ କମ୍ପାନୀ କ୍ଷତିରେ ଚାଲୁଥିଲା ସେ ସମୟରେ ଆମେ କାମ କରି ଆସିଛୁ ।ଏପରିକି ଫାଇଲିନ,ହୁଡହୁଡ,ଫୋନି ଓ ଅମ୍ଫାନ ବାତ୍ୟା ପରେ ଦିନ ରାତି ଏକ କରି କାମ କରି ଲୋକମାନଙ୍କୁ ସେବା ଯୋଗାଇ ଆସିଛୁ ।ଗୋଟିଏ ପଟେ ସେସୁର ସମସ୍ତ କର୍ମଚାରୀଙ୍କୁ ଟାଟା ପାୱାରରେ ସ୍ଥାୟୀ ଚାକିରୀ ଦିଆଯାଇଥିବା ବେଳେ ଫ୍ରାଞ୍ଚାଇଜ କମ୍ପାନୀ ଏନଜେନର କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି ।କୌଣସୀ କର୍ମଚାରୀଙ୍କୁ କୋଭିଡ-୧୯ ସମୟରେ ଛଟେଇ ନ କରାଯିବାକୁ ଟାଟା କମ୍ପାନୀ ପକ୍ଷରୁ ରତନ ଟାଟା କହିଥିବା ବେଳେ ଓଡିଶାର ଶ୍ରମ ଆୟୁକ୍ତ ମଧ୍ୟ ଛଟେଇ ନକରାଯିବାକୁ ଘୋଷଣା କରିଥିଲା ।

କିନ୍ତୁ ସବୁ ଘୋଷଣାକୁ ପଛରେ ପକାଇ କମ୍ପାନୀ ପକ୍ଷରୁ ଏନଜେନର ଏହି କର୍ମଚାରୀମାନଙ୍କୁ ଛଟେଇ କରିବା ଏକ ଅମାନବୀୟ ଘଟଣା ବୋଲି କର୍ମଚାରୀମାନେ କହିଛନ୍ତି ।ଏହି କମ୍ପାନୀରେ କାର୍ଯ୍ୟରତ ବହୁ କର୍ମଚାରୀମାନଙ୍କର ବୟସ ଅଧିକ ହୋଇଥିବାରୁ ସେମାନେ ମଧ୍ୟ ଅନ୍ୟ କୌଣସୀ ସ୍ଥାନରେ ଚାକିରୀ କରିପାରିବେ ନାହିଁ ।କୋଭିଡ-୧୯କୁ ନେଇ ଲୋକମାନେ ବାହାର ରାଜ୍ୟ ଛାଡି ଘରକୁ ପଳାଇ ଆସୁଥିବା ବେଳେ ଅନ୍ୟ କେଉଁଠି ଚାକିରୀ ମିଳିବା କଷ୍ଟକର ।ଫଳରେ ଚାକିରୀ ହରାଇ ପରିବ।ର ଏବେ ଭୋକ ଉପାସରେ ରହୁଥିବା କହିଛନ୍ତି ଜଣେ କର୍ମଚାରୀ ।ଏହାକୁ ନେଇ କର୍ମଚାରୀମାନେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ନିବେଦନ କରବା ସହିତ ମନ୍ତ୍ରୀ ଅରୁଣ ସାହୁ,ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ ।ମାତ୍ର ତାହା ଆଜି ପର୍ଯ୍ୟନ୍ତ ଫଳ ପ୍ରଦ ହୋଇପାରିନାହିଁ ।ଅନ୍ୟପଟରେ ଏନଜେନ କର୍ମଚାରୀମାନଙ୍କ ସ୍ଥାନରେ ଅଫିସରମାନେ ଟଙ୍କା ନେଇ ଅନ୍ୟ ପିଲାମାନଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ କରିଛନ୍ତି ଛଟେଇ କର୍ମଚାରୀ ।ଯଦି କମ୍ପାନୀ କିମ୍ବା ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆମେ ସମୁହ ପରିବାର ସହିତ ଧାରଣାରେ ବସିବା ସହିତ ଆବଶ୍ୟକ ପଡିଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply