ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ୧୦୦ ଶଯ୍ୟା ବିଶିଷ୍ଟ ଇ.ଏସ.ଆଇ. ହସ୍ପିଟାଲ ପ୍ରତିଷ୍ଠା ପାଇଁ ମଂଜୁରୀ ମିଳିଥିଲେ ମଧ୍ୟ କାମ ଆରମ୍ଭ ହେବl ନେଇ ବିଳମ୍ବ
ଯାଜପୁର ଜିଲ୍ଲାର କଳିଙ୍ଗନଗର ଯେଉଁଠାରେ ୧୫ରୁ ଉଦ୍ଧ୍ୱର୍ ଶିଳ୍ପ ପ୍ରତିଷ୍ଠା ହୋଇଛି ଏବଂ ଆଗାମୀ ଦିନରେ ୩୬ଟି ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିଷ୍ଠାର ଯୋଜନା ଅଛି ସେଠାରେ ୨୦୦୮-୦୯ ମସିହାରୁ କେନ୍ଦ୍ର ସରକାରଙ୍କର ଏକ ୧୦୦ ଶଯ୍ୟା ବିଶିଷ୍ଟ ଇ.ଏସ.ଆଇ. ହସ୍ପିଟାଲ ପ୍ରତିଷ୍ଠା ପାଇଁ ମଂଜୁରୀ ମିଳିଥିଲେ ମଧ୍ୟ ଅଦ୍ୟାବଧି କାମ ଆରମ୍ଭ ହୋଇ ପାରିନାହିଁ । କଳିଙ୍ଗନଗର ଶିଳ୍ପାଂଚଳରେ ପାଖାପାଖି ଏକ ଲକ୍ଷ ଲୋକ କାମ କରୁଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ । ଶିଳ୍ପାଂଚଳର କର୍ମଚାରୀ ମାନେ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଆସୁଥିବାରୁ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି ।
ବର୍ତମାନ କଳିଙ୍ଗନଗର ଠାରେ ବହୁପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ଗୋଟିଏ ଇ.ଏସ.ଆଇ ହସ୍ପିଟାଲ ନାମକୁ ମାତ୍ର ଜଣେ ଡାକ୍ତର ଏବଂ ଜଣେ ଫାର୍ମାସିଷ୍ଟଙ୍କୁ ନେଇ ଚାଲୁଛି, ଯାହା କ୍ରମବର୍ଦ୍ଧିଷ୍ଣୁ ଶ୍ରମିକମାନଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ଦେବାକୁ ଆଦୌ ସମର୍ଥ ହେଉନାହିଁ ଏବଂ କରୋନା ପରିପ୍ରେକ୍ଷିରେ ଡାକ୍ତର ଓ ଫାମସିଷ୍ଟ ମଧ୍ୟ ବହୁଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଛନ୍ତି । ଜିଲ୍ଲା ପ୍ରଶାସନ ଇତିମଧ୍ୟରେ ଦାନଗଦୀ ତହସିଲ ଅନ୍ତର୍ଗତ ମାନତିରା ଠାରେ ଆବଶ୍ୟକୀୟ ଜମି ଯୋଗାଇ ଦେଇଛନ୍ତି । ତେଣୁ କଳିଙ୍ଗନଗରଠାରେ ତୁରନ୍ତ ଶହେ ଶଯ୍ୟା ପରିବର୍ତ୍ତେ୨୦୦ ଶଯ୍ୟା ବିଶିଷ୍ଟ ଇ.ଏସ. ଆଇ. ହସ୍ପିଟାଲ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ଅପରପକ୍ଷରେ ଜିନ୍ଦଲ କାରଖାନା ପକ୍ଷରୁ ଏକ ମେଡିକାଲ ପ୍ରତିଷ୍ଠା ପାଇଁ ବହୁଦିନରୁ ଘୋଷଣା କରାଯାଇ ଥିଲେ ତାହା ଏଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ ।
ଜିଲ୍ଲା ଖଣିଜ ବିକାଶ ପାଣ୍ଠିରୁ ସୁକିନ୍ଦା ବ୍ଲକର କାଳିଆପାଣି ଏବଂ ଦାନଗଦୀ ବ୍ଲକର ଟମକା ନିକଟରେ ଦୁଇଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଡି.ଏମ.ଏଫ. ନିଷ୍ପତି ନେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । କାଳିଆପାଣି ନିକଟସ୍ଥ ଟାଟା କଂପାନୀ ବନ୍ଦ ହୋଇଯିବା ପରେ ତାର ଯେଉଁ ହସ୍ପଟାଲ ଆଗରୁ ଚାଲୁଥିଲା ତାହାର ଭିତିଭୂମିକୁ ଟାଟା କଂପାନୀ ଦେଇଦେବାକୁ ଚାହୁଁଛନ୍ତି । ତେଣୁ ଡି.ଏମ.ଏଫ. ତରଫରୁ ସେହି ଭିତିଭୂମିକୁ ବ୍ୟବହାର କରି ଖଣି ଅଂଚଳରେ ତୁରନ୍ତ ଏକ ହସ୍ପିଟାଲ ପରିଚାଳନା କରାଯାଇ ପାରିବ । ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ଜିନ୍ଦଲ କମ୍ପାନୀର ମେଡିକାଲ ଏବଂ ଡି.ଏମ.ଏଫ ଦ୍ୱାରା ଆଦିବାସୀ ଅଧ୍ୟୁଷିତ କାଳିଆପାଣି ଖଣି ଅଂଚଳ ଓ ଟମକା ଠାରେ ଦୁଇଟି ହସ୍ପିଟାଲ ପ୍ରତିଷ୍ଠା ହେଲେ ସୁକିନ୍ଦା ଏବଂ କଳିଙ୍ଗନଗରବାସୀ ଚିରୋପକୃତ ହୋଇପାରିବେ । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଶ୍ରୀ ଘଡାଇ ଅନୁରୋଧ କରିଛନ୍ତି ।