Odisha news

ଆରମ୍ଭ ହୋଇଗଲାଣି ତାସଖେଳର ଆସର, ଜୁଆଖେଳ ଉପରେ ପୋଲିସର କଡା ନଜର

0

ବୁଗୁଡ଼ା : ତା ୦୩/୧୦/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ  ବିଭିନ୍ନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପରମ୍ପରା ନାଁରେ ଆରମ୍ଭ ହୋଇଗଲାଣି ତାସଖେଳ ଏବଂ ଜୁଆଖେଳର ଆସର । କେତେକ ସ୍ଥାନରେ ମଜାମଜଲିସରେ ଲୋକେ ତାସ ଖେଳୁଥିବା ବେଳେ ଆଉ କେତେକ ଜୁଆଖେଳରେ ପ୍ରଚୁର ଟଙ୍କା ବାଜିରେ ଲାଗୁଥିବା ଦେଖିବାକୁ ମିଳିଛି । ପୋଲିସ ମଧ୍ୟ ଏହି ବେଆଇନ ଜୁଆଖେଳ ରୋକିବାକୁ ବିଭିନ୍ନ ପ୍ରକାରର ଉଦ୍ୟମ ଜାରି ରଖିଛି। ବିଶେଷ କରି ପାର୍ବଣଋତୁ ବା ଦଶହରା ଆସିଲେ ବୁଗୁଡ଼ା ଅଞ୍ଚଳ ହୁଏ ଚଳଚଞ୍ଚଳ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ସବୁଠି ଚାଲେ ଜୁଆଖେଳର ଆସର । ମା’ ଦୁର୍ଗାଙ୍କ ଆଗମନ କିମ୍ବା କୁମାର ପୁର୍ଣ୍ଣିମା ଉତ୍ସବକୁ ନେଇ ଲୋକମାନେ ଯେତିକି ଉତ୍ସାହିତ ହୋଇଥାନ୍ତି , ସାଙ୍ଗସାଥୀ ଓ ପରିବାର ଲୋକଙ୍କ ମଧ୍ୟରେ ତାସ ଖେଳିବା ପାଇଁ ମଧ୍ୟ ତା’ଠାରୁ ଢେର ଅଧିକ ଉତ୍ସାହିତ ହୋଇ ପଡ଼ିଥାନ୍ତି। କାଳକ୍ରମେ ଏହି ତାସଖେଳ କିଛି ଲୋକଙ୍କ ପାଇଁ  ଜୁଆଖେଳର ପରମ୍ପରାରେ ପରିଣତ ହୋଇ ନିଶା ପାଲଟି ଯାଇଥିବାର ଦେଖିବାକୁ ମିଳୁଛି। ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା ଆୟ କରିବା ପାଇଁ କିଛି ବ୍ୟକ୍ତି ବିଶେଷ ଜୁଆଖେଳ ପ୍ରତି ଆଶକ୍ତ ହୋଇ ପଡୁଛନ୍ତି । ଏପରିକି ଅନେକ ସମୟରେ ବହୁ ଜୁଆଡ଼ି ନିଜର ସର୍ବସ୍ଵ ହରାଇ ରାସ୍ତାର ଭିକାରି ପାଲଟି ଯାଇଥିବାର ନଜିର ରହିଛି । ଏପରିକି ଏହାକୁ ନେଇ ଭୟଙ୍କର ପାରିବାରିକ କଳହର ସୁତ୍ରପାତ ହେଉଥିବା ବେଳେ ଅନ୍ୟକିଛି ବ୍ୟକ୍ତି ଆତ୍ମହତ୍ୟା କରୁଥିବାର ମଧ୍ୟ ନଜିର ରହିଛି । କେବଳ ଯେ ଦଶହରା ବା କୁମାର ପୂର୍ଣ୍ଣିମା ନୁହେଁ ବର୍ଷର ପ୍ରାୟ ସବୁ ସମୟରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୁଆଖେଳ ଚାଲୁଥିବାର ନଜିର ରହିଛି । ଆଶ୍ୱିନ ମାସ ଆରମ୍ଭରୁ ହିଁ ବୁଗୁଡ଼ା ଥାନାର କିଛି ଅଞ୍ଚଳରେ ପୁଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ପୁଳା ପୁଳା ଟଙ୍କା ଜବତ ସହ ବହୁ ଜୁଆଡ଼ିଙ୍କୁ କାବୁ କରିଥିବା ଦେଖିବାକୁ ମିଳିଛି । ଭଦ୍ରମୁଖା ତଳେ ରହିଥିବା କିଛ ନ୍ଯସ୍ତସ୍ବାର୍ଥ ବ୍ୟକ୍ତି ଜୁଆଖେଳ ଆୟୋଜନ କରୁଥିବାର ଜଣାପଡ଼ିଛି । ପରିତ୍ୟକ୍ତ ସ୍ଥାନରେ , ନିଛାଟିଆ ଘର ମଧ୍ୟରେ, ଗାଁ ନିକଟ ତୋଟା କିମ୍ବା ଜଙ୍ଗଲ ମଧ୍ୟରେ ଜୁଆଖେଳ ଜମୁଥିବାର ଦେଖିବାକୁ ମିଳୁଛି । ସ୍ଥାନୀୟ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରାଙ୍କ ତତ୍ତ୍ବାବଧାନରେ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ସାଧା ପୋଷାକଧାରୀ ପୋଲିସଙ୍କୁ ନିୟୋଜିତ କରାଯାଇ ଜୁଆଡ଼ି ଓ ଜୁଆଆଡ୍ଡା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଜଣାଯାଇଛି ।

Nalco
Leave A Reply