ତାଳଚେର,୨୦/୧ : ତାଳଚେର ପୈାରାଂଚଳ ରେମୁଆଁ ନୂଆସାହିରେ ୫ଟି ଅନ୍ତର୍ଗତ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ପାଇଁ ଏକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ପୈାର କର୍ତୃପକ୍ଷଙ୍କ ତରଫରୁ କୋଭିଡ କଟକଣା ମଧ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଦ୍ୱାରା ଜାଗା ମିଶନ ମାଧ୍ୟମରେ ନିର୍ମିତ ହୋଇଥିବା କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବସ୍ତି ବାସିନ୍ଦାଙ୍କ ପାଇଁ ସରକାରଙ୍କ ତରଫରୁ ରାସ୍ତା, ଆଲୋକୀକରଣ ଓ ଜଳ ନିଷ୍କାସନ କଣ କଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଆଲୋଚନା କରାଯିବା ସହ ଗରିବ ଏବଂ ଭୂମିହୀନଙ୍କୁ ଜାଗା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ପୈାର ପରିଷଦର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ରଶ୍ମିକାନ୍ତ ସାହୁ ପ୍ରକାଶ କରିଥିଲେ । ବସ୍ତିରେ ସବୁ ଭିତିଭୂମି ହୋଇଗଲା ପରେ ଏହାକୁ ଆଉ ବସ୍ତି ବୋଲି ସରକାରୀ ସ୍ତରରେ କୁହାଯିବ ନାହିଁ । ଏହାକୁ ଆଦର୍ଶ କଲୋନୀ ନାମରେ ନାମିତ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ପୈାର ପରିଷଦ ପକ୍ଷରୁ ସଙ୍ଗୀତା ମହାପାତ୍ର, ପ୍ରଦ୍ୟୁମ୍ନ ମଲ୍ଲିକ,ୱାର୍ଡ଼ ଅଫିସର ଜୟଶ୍ରୀ କାନୁନଗୋ ପ୍ରମୁଖ ଯୋଗ ଦେଇଥିଲେ । ବସ୍ତି ବାସିନ୍ଦା ଉନ୍ନୟନ ସଂଘ ତରଫରୁ ଏହାର ସଭାପତି ଦିଲ୍ଲୀପ ପାଣି,କିଶୋର ରଥ,ସୀତା ସାହୁ ଓ ଟିକନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।