ତାଳଚେର ତା ୧୨/୦୫ ଶିଳ୍ପନଗରୀ ତାଳଚେର ସହରରେ ଟଙ୍କାର ଅଭାବ ନଥିବା ବେଳେ ଆଜି ସବୁକ୍ଷେତ୍ରରେ ତାଳଚେର ପୌରପରିଷଦର ବିଫଳତାକୁ ନେଇ ଅଂଚଳବାସୀଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କିମାରିଛି । ନିର୍ବାଚନ ପୂର୍ବରୁ ତାଳଚେରକୁ ବିକାଶର ଧାରା ଆଗେଇ ନେବାକୁ କର୍ମି ଠାରୁ ନେତା ଓ ରାଜନେତା ଏବଂ ନଗରପାଳ ପର୍ଯ୍ୟନ୍ତ ଭୋଟ ଭିକ୍ଷା କରିଥିଲେ । ତଦ୍ ଅନୁସାରେ ଲୋକମାନେ ବିଶ୍ୱାସ ଓ ଭରଷାକୁ ନେଇ ଶାସକଦଳ ବହୁ ଭୋଟ ବ୍ୟବଧାନରେ ଜିତାଇଥିଲେ । ନିର୍ବାଚନ ୧ବର୍ଷରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଆଜି ତାଳଚେର ପୌରପରିଷଦ ପରିମଳ ବ୍ୟବସ୍ଥାକୁ ନେଇ ପ୍ରତ୍ୟେକ ମହଲରେ ଚର୍ଚ୍ଚା ଯୋରଧରିଛି ।
୨୧ ଗୋଟି ୱାର୍ଡ଼କୁ ନେଇ ତାଳଚେର ପୌରପରିଷଦ ଗଠିତ । ୱାର୍ଡ଼ ନଂ- ୧ ଠାରୁ ଆରମ୍ଭକରି ହାଣ୍ଡିଧୂଅଁ ପର୍ଯ୍ୟନ୍ତ ଯେଉଁଠି ଦେଖିବ ସେଇଠି ରାସ୍ତା ଉପରେ କୁଢ଼କୁଢ଼ ଅଳିଆ ଆବର୍ଜନା ଗଦା ହୋଇ ରହିଛି । କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ ଜଣାପଡ଼ିଥାଏ । ଏହି ପରିପ୍ରେକ୍ଷୀରେ ତାଳଚେର ମୁଖ୍ୟ ଦ୍ୱାର କୁହାଯାଉଥିବା ତାଳଚେର ସହର ମଧ୍ୟ ଦେଇି ଯାଇଥିବା ବାଇପାସ୍ ଛକରେ ଅହରହ ବାହାର ରାଜ୍ୟ ସମତେ ବିଭିନ୍ନ ଅଂଚଳର ଲୋକ ଯାତାୟତ କରିଥାନ୍ତି, ସେହି ଠାରେ ଆବର୍ଜନା ଗଦା ହୋଇ ରହିଥିବା ଦୃଶ୍ୟ ପୌରପରିଷଦର ପାରିବା ପଣିଆକୁ ପଦାରେ ପକାଇଛି, ଅଥଚ ମାମଳମାଳ ସ୍ୱଚ୍ଛସାଥି ବେକରେ ଆଇକାର୍ଡ଼ ପକେଇ ଘୂରୀବୁଲି ଏହାର ତଦାରଖ କରୁଥିବା ବେଳେ କିପରିଭାବେ ପରିମଳ ପ୍ରତି ନଜର ରହୁନାହିଁ ଅତି ଦୁଃଖଦାୟକ ବିଷୟ । ତାଳଚେର ସହର ମଧ୍ୟରେ ରହିଥିବା ୨୧ଟି ୱାର୍ଡ଼ରେ କେଉଁଠି ଡ଼୍ରେନ ଗୁଡ଼ିକ ମୁକୁଳା ହୋଇ ପଡ଼ି ରହିଛି ତ ଆଉ କେଉଁଠି ସ୍ଲାପ ପଡ଼ିବା ଯୋଗୁଁ ଦୈନନ୍ଦିନ ଏଗୁଡ଼ିକ ପରିଚ୍ଛନ୍ନ ନହେବାରୁ ସେଗୁଡ଼ିକରୁ ଉତ୍କଟ ଗନ୍ଧହେବା ସହ ମଶାଙ୍କ ପ୍ରାର୍ଦୁଭାବ ଆଶାତୀତ ଭାବେ ବୃଦ୍ଧି ପାଉଛି । ସରକାରଙ୍କ ନିୟମ ଅନୁଯାୟୀ ଡ଼୍ରେନ ଗୁଡ଼ିକରେ ବ୍ଲିଚିଙ୍ଗ, ମଶାତେଲ ସହ ଦୈନନ୍ଦିନ ସଫା କରିବା ନିୟମ ରହିଥିଲେ ମଧ୍ୟ ଏଠାରେ ଖୋଲମଖୁଲା ଉଲଘଂନ କରାଯାଉଥିବା ଅଭିଯୋଗ ହେଉଛି । ନିୟମିତଭାବେ ରାସ୍ତା ଡ଼୍ରେନ୍ ବସ୍ତି ଗୁଡ଼ିକରେ ରହିଥିବା ଅଳିଆ ଆବର୍ଜନା ସଫା କରାଯାଉନଥିବାରୁ ପରିବେଶକୁ ଦୂଷିତ କରୁଛି । ଗଦାହୋଇ ରହୁଥିବା ଆବର୍ଜନାକୁ ଗାଈଗୋରୁମାନେ ଖାଇ କେହି ମୃତ୍ୟୁ ମୁଖରେ ପଡ଼ୁଥିବା ଆଉ କେହି ଜୀବନ ସହ ସଂଗ୍ରାମ କରୁଥିବା ଅନେକ ଦୃଷ୍ଟାନ୍ତ ରହିଛି ।
ଏହି ଗାଈଗୋରୁ, ବୁଲାକୁକୁର ଉପରେ ରୋକ ନଥିବାରୁ ରାସ୍ତାରେ ଗୋଠ ବନାଇ ଟ୍ରାଫିକ ଜାମ୍ କରିବା ସହ ମଳତ୍ୟାଗ କରିବା ଫଳରେ ପରିବେଶ ନଷ୍ଟ କରୁଛନ୍ତି । ତାଳଚେର ସହରର ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଡ଼୍ରେନ, ରାସ୍ତା ସୁବିଧା ନାହିଁ । ଏହାକୁ ଆଖି ଆଗରେ ରଖି ସେହି ଅନୁପାତରେ ସୁଇପର୍ ସଂଖ୍ୟା କିଛି କମ ନଥିଲେ ମଧ୍ୟ ଠିକାଦାର ଓ ଅସାଧୁକର୍ମଚାରୀଙ୍କ ମିଳି ଭଗତରେ ସଫେଇ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହେଉଥିବା ଅଭିଯୋଗ ହେଉଛି । ସରକାର ଲୋକଙ୍କ ଜନହିତରେ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ଟଙ୍କା ପାଣିରେ ପଡ଼ିବା ସହ ସର୍ବସାଧାରଣ ଲୋକଙ୍କ ଠାରୁ ବିଭିନ୍ନ କର, ଖଜଣା ସରକାର ନେଉଥିଲେ ମଧ୍ୟ ଆଜି ମୌଳିକ ଅଧିକାରରୁ ତାଳଚେର ସହରବାସୀ ବହୁ ଦୂରରେ ରହିଥିବା ମନେ ହେଉଛି । ତେବେ ଅନୁଗୋଳ ଜିଲ୍ଳାପାଳ ଓ ୫-ଟି ସରକାର ଏଥିନେଇ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।