Odisha news

କୋଇଲା ଚୋରିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

0

ତାଳଚେର ତା ୧୨/୦୫ ତାଳଚେର ଅଂଚଳରୁ ଦୈନିକ ବହୁ ପରିମାଣରେ କୋଇଲା ଚୋରି ହେଉଥିବା ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ସାହୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ତାଳଚେର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ତାଳଚେର ଅଂଚଳରେ ଦିନକୁ ଦିନ କୋଇଲା ଚୋରି ବଢ଼ିବାରେ ଲାଗିଛି । ଏଭଳି କୋଇଲା ଚୋରି ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଏମସିଏଲ ଓ କୋଲ ୱାସରି ଗୁଡ଼ିକ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି କୋଇଲା ଚୋରି ବଢ଼ି ଚାଲିଛି । ଦୈନିକ ୧୦୦୦ ଟନ କୋଇଲା ଚୋରି କେବଳ ଗ୍ଲୋବାଲ କୋଲ୍ ୱାସରୀ କରୁଛି । ଗ୍ଲୋବାଲ କୋଲ୍ ୱାସରୀ ପ୍ରତି ଏମସିଏଲ ଅଧିକାରୀମାନେ କାହିଁକି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏଣୁ ଏହାର ବିଧିବଦ୍ଧ ତଦନ୍ତ ସିବିଆଇ କିମ୍ୱା ଏସଆଇଟି ଦ୍ୱାରା କରାଗଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ଶ୍ରୀ ସାହୁ ଏଥିରେ ଦର୍ଶାଇଛନ୍ତି । ଆଜିର ଏହି ଦାବୀପତ୍ର ପ୍ରଦାନ ସମୟରେ ରାଜ୍ୟ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ସାହୁ, ପ୍ରଦୀପ କୁମାର ମହାରଣା, ଶରତ ଚନ୍ଦ୍ର ନାଏକ, ସଞ୍ଜୀବ ନାଏକ, ପ୍ରହଲ୍ଲାଦ ବେହେରା, ଗଣପତି ସାହୁ ଓ ମଧୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ତାଳଚେରରେ ବିଭିନ୍ନ କୋଇଲାଖଣି ଅଂଚଳରେ କୋଇଲା ମାପ ଓ ଓଜନ କରୁଥିବା କଣ୍ଟା ଘର ଓ ଏହାର ଯନ୍ତ୍ରାଂଶ ଉପରେ ଚଢ଼ାଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯିବା ସହ କିଛି ସ୍ୱାଭାବିକ ଠାରୁ ଅଧିକ କୋଇଲା ନେଉଥିବା ଟ୍ରକଗୁଡ଼ିକୁ ମଧ୍ୟ ଅଟକ ରଖାଯାଇଛି । ତେବେ ଚଢ଼ାଉ ଜାରି ରହିଥିବାରୁ ପରବର୍ତି ସମୟରେ ହିଁ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।

Leave A Reply