ତାଳଚେର,୨୮/୦୪ ତାଳଚେର ପୌରପରିଷଦ ଅନ୍ତର୍ଗତ ଅଙ୍ଗାରୁଆ ହରିଜନ ସାହିରେ ଏକ ପୋଖରୀରୁ ବେଆଇନ୍ ଭାବେ ମାଟି ଉଠାଉଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ତାଳଚେର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ଘରୋଇ ଏଆରଏସଏସ କମ୍ପାନୀର ୩ଟି ହାଇୱା ଟ୍ରକ ସହ ଏକ ପକଲିନ୍ ମେସିନ୍କୁ ଜବତ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ତାଳଚେର ଠାରେ ଏକ ନୂତନ ରେଳଲୂପ ଲାଇନ କାର୍ଯ୍ୟ ହେଉଥିବା ବେଳେ ଠିକାକମ୍ପାନୀ ଗାଁ ଲୋକଙ୍କୁ ହାତବାରସୀ କରି ପ୍ରାୟ ୨୦ଦିନ ହେବ ଉକ୍ତ ପୋଖରୀରୁ ମାଟି ଉଠାଇ ଲୁପ୍ଲାଇନ କାର୍ଯ୍ୟରେ ବିଛାଉ ଥିଲା । ତାଳଚେର ତହସିଲ କାର୍ଯ୍ୟାଳୟ ଠାରୁ ପ୍ରାୟ ୧କିମି ଦୂରତା ମଧ୍ୟରେ କମ୍ପାନୀ ପକ୍ଷରୁ ଏହି ବେଆଇନ ମାଟି ବିଛା କାର୍ଯ୍ୟ ଚାଲିଥିଲା ବେଳେ କିପରିଭାବେ ତାଳଚେର ତହସିଲ ଜାଣିପାରି ନଥିଲା । ତେବେ ବହୁ ବିଳମ୍ବରେ ହେଲେ ମଧ୍ୟ ତାଳଚେର ତହସିଲଦାର ଏହି ଖବର ପାଇ ସଦଳବଳେ ପୋଲିସ୍ ଉପସ୍ଥିତିରେ ସେଠାରେ ପଂହଚି ଉକ୍ତ ୩ହାଇୱା ଟ୍ରକ ଓ ପକଲିନ୍ ମେସିନ୍ ଜବତ କରିଥିଲେ । ତେବେ ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଥିବା ଘଟଣା ତାଳଚେର ଅଂଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି । କାରଣ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସାହିରେ ଦୀର୍ଘଦିନ ହେବ ପାଣିର ସମସ୍ୟା ଲାଗି ରହିଥିଲା ଓ ସେମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନଥିଲା, ଯାହାକୁ ନେଇ ସାହି ବାସୀନ୍ଦା ବ୍ୟବହାର ଯୋଗ୍ୟ ଜଳର ଦୂରିକରଣ ପାଇଁ ଉକ୍ତ ଘରୋଇ କମ୍ପାନୀକୁ ସେହି ପୋଖରୀରୁ ମାଟି ନେବାକୁ କହିଥିଲେ ବୋଲି କୁହାଯାଉଛି ।