ତାଳଚେର : କେଉଁ ଆବାହମାନ କାଳରୁ ପ୍ରକୃତିଦତ ଚିରୋସ୍ରୋତା ବ୍ରାହ୍ମଣୀନଦୀ ତାଳଚେର ସହର ଦେଇ ବୋହି ଯାଇଛି । ପୂର୍ବେ ଏହି ନିର୍ମଳଜଳକୁ ଲୋକେ ବିଭିନ୍ନ ପାତ୍ର ମାଧ୍ୟରେ ଘରକୁ ଆଣି ବ୍ୟବହାର କରୁଥିଲେ । ନଦୀର ଉଭୟ ପଶ୍ୱର୍ରେ ବିଭିନ୍ନ ଔଷଧୀୟ ବୃକ୍ଷର ଚେରମୂଳ ଶସ୍ପେରେ ଆସି ଏହି ଚିରୋସ୍ରୋତା ନଦୀର ଜଳ ବୋହି ଯାଇଥାଏ । ଏହି ଜଳରେ ଔଷଧୀୟ ଗୁଣଥିବାରୁ ଲୋକେ ଏହାକୁ ବ୍ୟବହାର କରୁଥିଲେ ସେହି ସମୟରେ ଆରୋଗ୍ୟ ରହୁଥିଲେ ।
ମାତ୍ର ଏବେ ଏହି ଜଳ ସାଜିଛି ଜହର! ରେଙ୍ଗାଳି ନଦୀବନ୍ଧ ନିର୍ମାଣକରି ବିଦ୍ୟୁତ୍ ପ୍ରକଳ୍ପ ଆରମ୍ଭ କରିବା ଦିନଠାରୁ ଏଥିରେ ବ୍ୟବହୃତ ରାସାୟନିକ ତୈଳ ଓ ରେଙ୍ଗାଳୀ କଲୋନୀର ସମସ୍ତ ନାଳନର୍ଦ୍ଦମା ପାଣି, ଏନଟିପିସି/କଣିହାଁ, ଡ଼େରେଙ୍ଗ ଜିନ୍ଦଲ ନିର୍ଗତ ପାଉଁଶ ମିଶ୍ରିତ ରାସାୟନିକ ମିଶ୍ରିତ ତୈଳଜଳ ଓ କଲୋନୀର ଆବର୍ଜନା ଜଳ ଟିକିରା ନାଳଦେଇ ବ୍ରାହ୍ମଣୀନଦୀରେ ମିଶୁଥିବା, ସମଲ କୋଲନୀ ବର୍ଜ୍ୟବସ୍ତୁ ସମେତ ନାଳନର୍ଦ୍ଦମାର ପାଣି ଏବଂ ତାଳଚେର ଅଂଚଳ ଗୁଡ଼ିକରେ ରହିଥିବା ସମସ୍ତ ଏମସିଏଲର ତୈଳମିଶ୍ରିତ ଆବର୍ଜନା ଜଳ, କଲୋନୀ ଗୁଡ଼ିକର ଆବର୍ଜନା ଜଳ ଏବଂ ବର୍ଷାଜଳରେ କୋଇଲା ଗୁଣ୍ଡ ମିଶ୍ରିତ ମାଟିକାଦୁଅ ତୈଳପଦାର୍ଥ ଭାସିଆସି ନଦୀ ଜଳରେ ମିଶିଥାଏ । ସେହିଭଳି ଥର୍ମାଲ କଲୋନୀର ପରିତ୍ୟକ୍ତ ଜଳ ସମେତ ପ୍ଲାଂଟର କେମିକାଲ ଯୁକ୍ତ ଜଳ ନନ୍ଦିରାଯୋର ଓ ସେହି ନିକଟସ୍ଥ ନୂଆଁପଡ଼ା ଜମିମାହାରା ଦେଇ ପରିତ୍ୟକ୍ତ ପାଣି ସିଧାସଳଖ ନଦୀରେ ମିଶିଥାଏ ଏବଂ କୌଣସି କାରଣରୁ ନାଲକୋ ଆସପଣ୍ଡ ପୋଖରୀ ଭୂଷିଡ଼ିଲେ ଏହି ପାଉଁଶ ଓ କେମିକାଲଯୁକ୍ତ ଜଳ ଟିକରା ଯୋରଦେଇ ବ୍ରାହ୍ମଣୀରେ ମିଶିଥାଏ ।
ଏପରିକି, ତାଳଚେର ପୌରପରିଷଦର ରହିଥିବା ୨୧ଟି ୱାର୍ଡ଼ର ବର୍ଜବସ୍ତୁ ସହିତ ବିଭିନ୍ନ ପରିତ୍ୟକ୍ତ ଜଳ ଡ଼୍ରେନ ମାଧ୍ୟମରେ ସିଧାସଳଖ ନଦୀରେ ମିଶିଥାଏ । ଏଠାରେ ଉଲ୍ଲେଖ ଯୋଗ୍ୟଯେ, ସହରର ସମସ୍ତ ଡ଼୍ରେନର ଜଳ ଗୋଟାଏ ଧାରାରେ ଯାଇ ୩ନମ୍ବର ୱାର୍ଡ଼ର ମୁଣ୍ଡାପୋଖରୀ ଠାରେ ଜମାଟ କରାଯାଇ ଏହି ଜଳକୁ ସ୍ୱରାଜବୋର୍ଡ଼ ପକ୍ଷରୁ ଟ୍ରିଟ୍ମେଂଟ୍ ପ୍ଲାଂଟରେ ବିଶୁଦ୍ଧକରି ଛାଡ଼ିବା ପରିବର୍ତେ ଦୀର୍ଘ ୧୫ବର୍ଷ ବ୍ୟାପି ଏହି ବହୁଅର୍ଥ ବ୍ୟୟରେ ପ୍ଲାଂଟଟି ଅଧାଗଢ଼ା ଅବସ୍ଥାରେ ପଡ଼ି ରହିଛି । ଯାହା ଫଳରେ କି, ସମସ୍ତ ଡ଼୍ରେନର ଆବର୍ଜନା ଜଳ ଯାଇ ସିଧାସଳଖ ମିଶିବା ଦ୍ୱାରା ଏବେ ନଦୀ ଜଳ ସାଜିଛି ଜହର ବୋଲି ଅଭିଯୋଗ ହେଉଛି । ଏଥିନେଇ ନଦୀରେ ରହୁଥିବା ଜଳଚର ପ୍ରାଣୀଙ୍କର ବଂଶଲୋପ ପାଇବା ଫଳରେ ମତ୍ସଜୀବୀମାନେ ସେମାନେ ତାଙ୍କର ଜୀବୀକା ହରାଇବସିଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗପକ୍ଷରୁ ୩ନମ୍ବର ୱାର୍ଡ଼ ନଦୀଖଣ୍ଡିରେ ପମ୍ପହାଉସ୍ ନିର୍ମାଣ କରି ଏହି ନଦୀଜଳକୁ ବିଶୋଧନ ନକରି ପାଇପ ଯୋଗେ ନଦୀରୁ ସିଧାସଳଖ ସହରବାସୀଙ୍କୁ ଜଳ ଯୋଗାଇଦେଇଥାଏ । ଯାହା ଫଳରେ ଏହି ଜଳ ବ୍ୟବହାର କରି ବିଭିନ୍ନ ମାରାତ୍ମକ ରୋଗର ଶୀକାର ହୋଇଥାନ୍ତି ସହରବାସୀ । ତେବେ ରାଜ୍ୟ ସରକାର ସ୍ୱଚ୍ଛଜଳ ଯୋଗାଇ ଦେବାକୁ ଡ଼ିମଡ଼ିମ ପିଟୁଥିବା ବେଳେ ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଆଜି ସେହି ପୁରୁଣା ବ୍ୟବସ୍ଥାକୁ ଆଦରି ପରିତ୍ୟକ୍ତ ଜଳକୁ ସିଧାସଳଖ ଭାବେ ଲୋକଙ୍କୁ ଯୋଗାଇ ଦେବା ଘଟଣା ଏଥିରୁ ସରକାରଙ୍କ ପାରିବା ପଣିଆ ହାଟରେପଡ଼ି ଦାଣ୍ଡରେ ଗଡ଼ୁଛି ।
