Odisha news

ନାହିଁ ନାହିଁରେ ଚାଲିଛି ତାଳଚେର ଉପଖଣ୍ଡ ଚିକିତ୍ସାଳୟ

0

ତାଳଚେର : ତାଳଚେର, ପାଲହଡ଼ା, ସମଲ, ଖମାର, ପର୍ଜଙ୍ଗ, ପିତିରି, କୁଲେଇ, ବସୁଲେଇ, ମାଣିକମରା ଅଂଚଳର ଜନସାଧାରଣ ବହୁପୂରାତନ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭରକରି ଦୀର୍ଘ ବର୍ଷ ହେବ ଚଳିଆସୁଛନ୍ତି । ରାଜ୍ୟ ସରକାର ଗରୀବ ଉପଭୋକ୍ତାମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରଚାର ପ୍ରସାର ମାଧ୍ୟମରେ ଡ଼ିମଡ଼ିମ ପିଟୁଥିଲେ ମଧ୍ୟ ଏହି ସରକାରୀ ଚିକିତ୍ସାଳୟରେ ପିଛା ଛାଡ଼ୁନି ସମସ୍ୟା । କେତେ ବେଳେ ଡ଼ାକ୍ତର ଅଭାବ ତ କେତେବେଳେ ଆବଶ୍ୟକ ଯନ୍ତ୍ରପାତି ଓ ଟେକ୍‌ନିସିଆନ୍ ଅଭାବରୁ ଗରୀବଗୁରୁବା ରୋଗୀମାନେ ଦଲାଲଙ୍କ ସହାୟତାରେ ବାହାର ଘରୋଇ ଚିକିତ୍ସାଳୟକୁ ଯାଇ ଜମିବାଡ଼ି ବିକ୍ରିକରି ସର୍ବସ୍ୱାନ୍ତ ହେଉଥିବା ତାଳଚେର ଅଂଚଳରେ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ତାଳଚେର ସରକାରୀ ଚିକିତ୍ସାଳୟକୁ ଏକ ଅଲଟ୍ରାସାଉଣ୍ଡ ମେସିନ୍ ପାଇଁ ୧୪ଲକ୍ଷଟଙ୍କା ଆସି ପଡ଼ି ରହିଛି । ମାତ୍ର ଡ଼ାକ୍ତରଖାନା ଓ ପ୍ରଶାସନ କର୍ତୁପକ୍ଷଙ୍କ ଇଚ୍ଛାଶକ୍ତି ଅଭାବରୁ ଏହି ଟଙ୍କା ଫେରିଯିବ ବୋଲି କୁହାଯାଉଛି । ତେବେ ଏଠାରେ ସ୍ଥାନୀୟ ପ୍ରଶାସନ ଓ ଚିକିତ୍ସାଳୟ ଉଚ୍ଚ କର୍ତୁପକ୍ଷଙ୍କ ପାରିବା ପଣିଆକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦିନକୁ ଦିନ ଡ଼ାକ୍ତରଖାନା ପରିସର ମଧ୍ୟରେ ବହୁ ଅର୍ଥବ୍ୟୟରେ ବଡ଼ବଡ଼ ଅଟ୍ଟାଳିକାମାନ ମୁଣ୍ଡ ଟେକିଛି । ସେହି ତୁଳନାରେ ଉପରୋକ୍ତ କାରଣରୁ ସ୍ଥାନୀୟ ଅଂଚଳବାସୀ ଚିକିତ୍ସା ସେବା ପାଉନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ଏହି ଅଲଟ୍ରା ସାଉଣ୍ଡ ଯନ୍ତ୍ରଟିି ଏଠାରେ ନଥିବାରୁ ଗର୍ଭବତୀ ମହିଳା ଓ ପେଟ ଜନିତ ଯନ୍ତ୍ରଣା ଜର୍ଜରିତ ରୋଗୀମାନେ ବହୁ ଅର୍ଥ ଖର୍ଚ୍ଚ ବିନିମୟରେ ଘରୋଇ ଚିକିତ୍ସାଳୟକୁ ଯାଇ ସହାୟତା ନେଉଥିବା ବେଳେ ତାଳଚେରବାସୀଙ୍କ ଦୁର୍ଭାଗ୍ୟ ହେଉ କିମ୍ବା ରାଜନେତାଙ୍କ ଅପାରଗତା ଜନିତ ହେଉ ଅଂଚଳବାସୀ ଏଠାରେ ବଳିପଡ଼ୁଥିବା ଘଟଣା ବିସ୍ମୟ କରିପକାଇଛି ।

Leave A Reply