ଅଧ୍ୟାପକ ଶରତ କୁମାର ଦାସ : ମୋତେ ରକ୍ତ ଦିଅ,ମୁଁ ତୁମକୁ ସ୍ବାଧୀନତା ଦେବି’-ବଳିଷ୍ଠ ବୈପ୍ଳବିକ ଅନ୍ତଃଚେତନାରେ ଉଦ୍ଭାସିତ ହେଉଥିଲା ତାଙ୍କ ସର୍ବାଙ୍ଗ ଶରୀର। ତାଙ୍କର ସେହି ବଜ୍ର ନିର୍ଘୋଷ ବାଣୀ ଆଜି ବି ପ୍ରତିଧ୍ବନିତ ହୁଏ ହିମାଳୟ ଠାରୁ କନ୍ୟାକୁମାରୀ ।ପ୍ରତିଟି ମଣିଷର କର୍ଣ୍ଣ ଗହ୍ବରରେ ଗୁଂଜରିତ ହୁଏ ସେ ଅମ୍ଳାନ ମହାମନ୍ତ୍ର ପ୍ରତିକ୍ଷଣରେ । ଝଲମଲ ହୋଇ ଉଠେ ତାଙ୍କ ବଳିଷ୍ଠ ପ୍ରତିଭା ଆଖି ସାମନାର। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଭାରତୀୟ ମୁକ୍ତି ସଂଗ୍ରାମର ଅଦ୍ବିତୀୟ ସଂଗ୍ରାମୀ ତଥା ମହାଜାତୀୟତାର ମହାନାୟକ ସୁଭାଷ ଚନ୍ଦ୍ର ବୋଷ, ଆମର ପ୍ରିୟ ‘ନେତାଜୀ’,ଯିଏକି ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଓଡିଆ ମାଟିରେ ପାଦଥାପିଥିଲେ କଟକ ଓଡିଆ ବଜାରସ୍ଥିତ ଏକ ବଙ୍ଗାଳୀ ପରିବାରରେ ପିତା ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ବୋଷଙ୍କ କୋଳରେ । ଛାତ୍ରାବସ୍ଥାରେ ସେ ଖୁବ୍ ପ୍ରଭାବିତ ହୋଇଥିଲେ ବେନିଟୋ ମୁସୋଲିନି,ଗାରିବାଲଡି, କାଉଣ୍ଟ କେଭୋର,କମଲ ପାସା ଓ ଲେନିନଙ୍କ ଭଳି ମହାନ ବିପ୍ଳବୀ ନାୟକଙ୍କ ବ୍ୟକ୍ତିତ୍ବ ଓ ଜୀବନୀ ଦ୍ବାରା ଓ ତାଙ୍କର ବୈପ୍ଳବିକ ଦୃଷ୍ଟିଭଙ୍ଗୀ ଅନେକାଂଶରେ ଆମେରିକାର ମୁକ୍ତି ସଂଗ୍ରାମ ଓ ଫରାସୀ ବିପ୍ଳବ ଦ୍ବାରା ପରିପୁଷ୍ଟ ହୋଇଥିଲା ।
ଅଫୁରନ୍ତ ଶକ୍ତି ଓ ସାହାସର ଉତ୍ସ ସୁଭାଷ ଥିଲେ ପ୍ରକୃତରେ ବିଶ୍ବର ବିସ୍ମୟ । ସେ ଥିଲେ ପ୍ରଗତିଶୀଳ ତଥା ଉଗ୍ର ଦେଶପ୍ରେମୀ ଯିଏ ଯେସାକୁ ତେସା ନୀତିରେ ବିଶ୍ବାସ କରୁଥିଲେ । ବଳିଷ୍ଠ ଆଶାବାଦ ଓ ଆତ୍ମବିଶ୍ଵାସଭରା ବ୍ୟକ୍ତିତ୍ବର ପ୍ରତୀକ ରୂପେ ସେ ଦେଶମାତୃକାର ସ୍ବପ୍ନରେ ନିଜ ସ୍ବପ୍ନକୁ ସାମିଲ କରି ଦେଶାତ୍ମବୋଧ ମହାମନ୍ତ୍ରର ମହାସ୍ରୋତରେ ପ୍ଳାବିତ କରିଥିଲେ
ଅଗଣିତ ଦେଶବାସୀଙ୍କୁ ।ମାଟି ମାଆର ମୁକ୍ତି ନିମନ୍ତେ ନିଜ ଜୀବନକୁ ତିଳ ତିଳ କରି ଦଗ୍ଧ କରିଥିଲେ ସେ । ତାଙ୍କ ଦେହର ପ୍ରତିଟି ରକ୍ତ ବିନ୍ଦୁ ଦେଶର ସ୍ବାଧୀନତା ପାଇଁ ଅଭିପ୍ରେତ ଥିଲା । ଭାରତର ମୁକ୍ତି ପାଇଁ ଇଂରେଜ ମାନଙ୍କ ବିରୋଧରେ କରିଥିଲେ ଅବାରିତ ସଂଗ୍ରାମ, ଶେଷରେ ସେହି ସଂଗ୍ରାମରେ ନିଜକୁ ଧ୍ବଂସ କରିଦେଇଥିଲେ । ବୋଷଙ୍କୁ ଉଚ୍ଚ ପ୍ରଶଂସା କରି କୁହାଯାଇପାରେ ‘ଗାନ୍ଧୀଙ୍କ ପରେ ଭାରତର ସ୍ବାଧୀନତା ସଂଗ୍ରାମରେ ଅଧିକତମ ପ୍ରଭାବଶାଳୀ ବ୍ୟକ୍ତି ନିଃସନ୍ଦେହ ଭାବରେ ସୁଭାଷ ବୋଷ ଅଟନ୍ତି ।’
ସୁଭାଷ ଚନ୍ଦ୍ର ବୋଷଙ୍କ ମୁଖ୍ୟ ରାଜନୈତିକ ଲକ୍ଷ୍ୟ ଥିଲା ଭାରତର ଜାତୀୟ ସ୍ବାଧୀନତା ବା ସ୍ବରାଜ ପ୍ରାପ୍ତି । ସେ ନିଜର ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ବିପ୍ଳବାତ୍ମକ ତଥା ହିଂସାର ମାର୍ଗ ଆପଣେଇ ଥିଲେ ।ଲକ୍ଷ୍ୟ ହାସଲ ପାଇଁ ଯେକୌଣସି ଉପାୟ ଅବଲମ୍ବନ କରାଯାଇପାରେ ବୋଲି ସେ ମତବ୍ଯକ୍ତ କରିଥିଲେ । ତେଣୁ ସେ ଉପାୟ ଅପେକ୍ଷା ଲକ୍ଷ୍ୟ ଉପରେ ଅଧିକ ଗୁରୁତ୍ବ ଦେଉଥିଲେ । ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ନୀତି ନୈତିକତାର ସ୍ଥାନ ନାହଁ -ଏ କଥା ସ୍ପଷ୍ଟ କହିଥିଲେ ସେ । ଏ ଦୃଷ୍ଟିରୁ ଗାନ୍ଧୀଙ୍କ ସହିତ ତାଙ୍କର ମତପାର୍ଥକ୍ଯ ସ୍ପଷ୍ଟ ବାରିହୁଏ । ବୋଷ ଥିଲେ ଜଣେ ମହାନ ସଂଗ୍ରମୀ । ସେ ସାଲିସବିହୀନ
ସଂଗ୍ରାମରେ ବିଶ୍ବାସ କରୁଥିଲେ । ସାଲିସ୍ କରି ବଂଚିବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ବୋଲି ସେ ତାଙ୍କର ଦୃଢ ନିଷ୍ପତ୍ତି ଘୋଷଣା କରିଥିଲେ ।ବିଶେଷକରି ଭାରତର ସ୍ବାଧୀନତା ପାଇଁ
ବର୍ହିସଂଗ୍ରାମ ଓ ଆକ୍ରମଣ ଉପରେ ଗୁରୁତ୍ୱ ଦେଇଥିଲେ । ଯେପରି ଇଟାଲି ଏକତ୍ରୀକରଣ ସମୟରେ ଗାରିବାଲଡି ଅଷ୍ଟ୍ରିଆ ଶତ୍ରୁର ସାହାଯ୍ୟ ଓ ରୁଷିଆରେ ଜାର୍ ଶାସନ ସମୟରେ ଲେଲିନ୍ ପ୍ରତିକ୍ରିୟାଶୀଳ ବ୍ୟକ୍ତିମାନଙ୍କର ସାହାଯ୍ୟ ନେଇଥିଲେ ,ଠିକ ସେହି ସୂତ୍ରରେ ବୋଷ ଇଂଲଣ୍ଡର ପ୍ରଧାନ ଶତ୍ରୁ ଜର୍ମାନ ଓ ଜାପାନର ସାହାଯ୍ୟ ନେଇଥିଲେ ।
ଭାରତୀୟ ସ୍ବାଧୀନତାର ଚଲାପଥ ଯେ ଗୋଲାପର ସୁକୋମଳ ଶଯ୍ୟା ନୁହେଁ, ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ତେଣୁ ସେ କଣ୍ଟାକୁ କଣ୍ଟାରେ କାଢିବା ନୀତିରେ ବିଶ୍ବାସ କରିଥିଲେ ।ସର୍ବଦା ସେ ଲୋକଙ୍କୁ କଷ୍ଟ ସହ୍ୟ କରିବା ସହ ତ୍ୟାଗ ସ୍ବୀକାର କରିବାକୁ ଆହ୍ୱାନ ଦେଉଥିଲେ ।ତାଙ୍କର ରୋମାଞ୍ଚକାରୀ ଭାଷଣ ଓ ସମ୍ବୋଧନ ଭାରତୀୟମାନଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା ।ତାଙ୍କର ବିପ୍ଳବୀ ଶବ୍ଦଗୁଡିକ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ସ୍ପର୍ଶ କରିବା ସହିତ ଭାରତୀୟ ମାନଙ୍କୁ ଆନ୍ଦୋଳିତ କରିଥିଲା ।ସେ ଅନୁଭବ କରିଥିଲେ ଯେ ଭାରତୀୟମାନଙ୍କର ରାଜନୈତିକ ସ୍ବାଧୀନତା ଯେତିକି ଆବଶ୍ୟକ ରହିଛି, ସମପରିମାଣରେ ସାମାଜିକ ଓ ଅର୍ଥନୈତିକ ସ୍ବାଧୀନତାର ଆବଶ୍ୟକତା ରହିଛି ।ତେଣୁ ଏକ ସମୟରେ ସେ ରାଜନୈତିକ ଓ ସାମାଜିକ ସଂଗ୍ରାମ ଆରମ୍ଭ କରିଥିଲେ ।
କର୍ମ,ସେବା ଓ ତ୍ୟାଗ ଭାବନାରେ ବିଶ୍ବାସୀ ସୁଭାଷ ଥିଲେ ଜଣେ ମହାନ ସ୍ବପ୍ନବିଳାସୀ ଏବଂ ତାଙ୍କର ଶ୍ରେଷ୍ଠ ସ୍ବପ୍ନ ଥିଲା ଭାରତର ସ୍ବାଧୀନତା ହାସଲ ।ନିଜର ପବିତ୍ର ତଥା ଶ୍ରେଷ୍ଠ ସ୍ବପ୍ନକୁ ସାକାର କରିବାକୁ ଯାଇ ୧୯୨୧ ରେ ମର୍ଯ୍ୟଦା ପୂର୍ଣ୍ଣ ଆଇ.ସି.ଏସ୍ ଚାକିରିରୁ ଇସ୍ତଫା ଦେଇ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ଅନୁପ୍ରାଣିତ ହୋଇ ଭାରତୀୟ ଜାତୀୟ କଂଗ୍ରେସ ଓ ଅସହଯୋଗ ଆନ୍ଦୋଳନରେ ଯୋଗଦେଥିଲେ । ସେ ଜୀବନରେ ୧୦ ଥର କାରାବରଣ କରି ସର୍ବମୋଟ ଆଠବର୍ଷ ବନ୍ଦୀ ଜୀବନ ବିତାଇଥିଲେ । ୧୯୩୪ ମସିହାରେ ତାଙ୍କର ‘ଭାରତୀୟ ସଂଗ୍ରାମ’ ପୁସ୍ତକ ପ୍ରକାଶ ପାଇଲା ଓ ସେ ସେହି ପୁସ୍ତକରେ ତାଙ୍କର ଜାତୀୟବାଦୀ ଓ ଭାରତୀୟ ମୁକ୍ତି ଆନ୍ଦୋଳନ ବିଷୟରେ ସ୍ପଷ୍ଟ ବିବରଣୀ ଦେଇଛନ୍ତି ।
ସୁଭାଷ ବୋଷ ସାମାଜିକ ଜୀବନରେ ମହାତ୍ମା ଗାନ୍ଧୀଙ୍କୁ ଭରପୂର ସମ୍ମାନ ଦେଉଥିଲେ ହେଁ ରାଜନୈତିକ ଜୀବନରେ ଦୁଇ ମହାନ ବ୍ୟକ୍ତିତ୍ବଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇ ଶେଷରେ ମତାନ୍ତର ଦେଖାଦେଲା ।ଗାନ୍ଧୀଙ୍କ ନରମପନ୍ଥୀ ତଥା ଦକ୍ଷିଣପନ୍ଥୀ ଭାବନା ଦ୍ବାରା ପରିଚାଳିତ କଂଗ୍ରେସ ନୀତି ଉପରୁ ଆସ୍ଥା ହରାଇଥିଲେ ସେ ।
ବୋଷ ଥିଲେ ଏକାଧାରାରେ ଜଣେ ରାଜନୈତିକ ବାସ୍ତବବାଦୀ, ଉଗ୍ର ଜାତୀୟତା ବାଦୀ ଓ ବାମପନ୍ଥୀ । ସେ ମହାତ୍ମା ଗାନ୍ଧୀ ଓ ଭାରତୀୟ ଜାତୀୟ କଂଗ୍ରେସର ଶାନ୍ତିପୂର୍ଣ୍ଣ, ଅହିଂସା, ସାଲିସମୂଳକ ପଦକ୍ଷେପ, ଅନୁନୟ ବିନୟ ,ସହଯୋଗ ପରି ନରମପନ୍ଥୀ କାର୍ଯ୍ୟକ୍ରମରେ ବିଶ୍ବାସ କରୁନଥିଲେ । ଏପରିକି ସେ ଚରମ ପଦକ୍ଷେପ ସହ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଚାହୁଁଥିଲେ । ଗାନ୍ଧୀ ତଥା ଜାତୀୟ କଂଗ୍ରେସ ସହ ମତପାର୍ଥକ୍ଯ କାରଣରୁ ୧୯୩୯ ମସିହାରେ କଂଗ୍ରେସରୁ ଇସ୍ତଫା ଦେଇ ‘ଫରଓର୍ଡ ବ୍ଲକ’ ନାମକ ଏକ ନୂତନ ଦଳ ଗଠନ କଲେ ।ମାତ୍ର ନବ ଗଠିତ ଦଳ ଫରଓର୍ଡ ବ୍ଲକ ତାଙ୍କ ଆଶାନୁରୂପ କାର୍ଯ୍ୟ କରିପାରୁ ନାହିଁ ବୋଲି ତାଙ୍କର ମନେହେଲା । ଅପରପକ୍ଷରେ, ସେ ହୃଦବୋଧ କଲେ ଯେ ବହିର୍ଦେଶର ସାହାଯ୍ୟ ବିନା ଭାରତ ସ୍ବାଧୀନତା ଲାଭ କରିପାରିବ ନାହିଁ ।
୧୯୪୦ ମସିହାରେ ବୋଷ ଓ ତାଙ୍କ ଦଳ ଦେଶ ବ୍ୟାପି ଆଇନ୍ ଅମାନ୍ୟ ଆନ୍ଦୋଳନ କଲେ । ଏହି ସମୟରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇସାରିଥିଲା।ବୋଷ ଚତୁରତାର ସହିତ ଇଂଲଣ୍ଡର ଶତ୍ରୁ ସାହାଯ୍ୟରେ ଇଂଲଣ୍ଡ ବିରୋଧରେ ଲଢିବାକୁ ସ୍ଥିର କଲେ ।ମାତ୍ର ତାଙ୍କର ଏଭଳି ନିଷ୍ପତ୍ତିକୁ ଗାନ୍ଧୀ ଓ ଜାତୀୟ କଂଗ୍ରେସ ସମର୍ଥନ କଲେ ନାହିଁ । ଅନ୍ୟ ପକ୍ଷରେ ତାଙ୍କୁ ଏକ ବିଦ୍ରୋହୀ ରୂପେ ବିବେଚନା କରି ସରକାର ଭାରତୀୟ ପ୍ରତିରକ୍ଷା ଆଇନ ବଳରେ ମସିହାରେ ଗିରଫ କରିଥିଲେ ,ଅବଶ୍ୟ ତାଙ୍କର ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଗୃହବନ୍ଦୀ ରୂପେ ରଖାଯାଇଥିଲା । ୧୯୪୧ ମସିହା ଜାନୁୟାରୀ ୧୭ ତାରିଖରେ ସେଠାରୁ ସୁଭାଷ ଅତି ଚତୁରତାର ସହିତ ଛଦ୍ମବେଶରେ ଭାରତ ଛାଡି ବିଦେଶ ଚାଲିଯିବାତାଙ୍କ ଦୃଢ ମନୋବଳ ଓ ଅଦମ୍ୟ ସାହାସର ପ୍ରମାଣ ଦିଏ ।
୧୯୪୧ ମସିହା ମାର୍ଚ୍ଚ ମାସରେ ବୋଷ ଆଫଗାନିସ୍ଥାନ, କାବୁଲ ଓ ରୁଷିଆ ଅତିକ୍ରମ କରି ଜର୍ମାନୀର ରାଜଧାନୀ ବର୍ଲିନରେ ପହଂଚିଲେ । ବର୍ଲିନରେ ଏକ ରେଡିଓ କେନ୍ଦ୍ର ପ୍ରତିଷ୍ଠା କରି ବ୍ରିଟିଶ ସରକାରଙ୍କ ବିରୋଧରେ ପ୍ରଚାର କଲେ । ଜର୍ମାନୀର ଏକଛତ୍ର ଶାସକ ହିଟଲର ତାଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ବୋଷଙ୍କୁ ଅନ୍ୟମାନଙ୍କ ସହିତ ପରିଚିତ କରିବା ବେଳେ ହିଟଲର କହିଥିଲେ-‘ମୁଁ କେବଳ ଆଠକୋଟି ଲୋକଙ୍କର ଶାସକ,ମାତ୍ର ସୁଭାଷ ଚନ୍ଦ୍ର ଚାଳିଶ କୋଟି ଲୋକଙ୍କର ନେତା ।” ସେହିଠାରେ ୧୯୪୧ ରେ ବୋଷ ଭାରତୀୟ ଯୁଦ୍ଧବନ୍ଦୀ ମାନକୁ ନେଇ ଗଠନ କଲେ ‘ଭାରତୀୟ ଜାତୀୟ ବାହିନୀ’ ।’ଜୟହିନ୍ଦ୍’ କହି ତାଙ୍କୁ ସେଠାରେ ଉଚ୍ଛ୍ବସିତ ସ୍ବାଗତ କରାଯିବା ସହିତ ସ୍ନେହ ଓ ଶ୍ରଦ୍ଧାରେ ‘ନେତାଜୀ’ ନାମରେ ସେ ଅଭିହିତ ହୋଇଥିଲେ ।
ମାତ୍ର ପରବର୍ତ୍ତୀ ସମୟରେ ବୋଷ ଭାରତୀୟ ସ୍ବାଧୀନତା ସମ୍ପର୍କିତ ସାହାଯ୍ୟ ପ୍ରସଙ୍ଗରେ ଜର୍ମାନୀର ନୀରବତାରେ ବ୍ୟଥିତ ହୋଇ ଜର୍ମାନୀ ଛାଡିବା ସହିତ ୧୯୪୩ ମସହିରେ ସେ ଜାପାନରେ ପହଂଚିଲେ ।ଜାପାନର ପ୍ରଧାନମନ୍ତ୍ରୀ ତୋଜୋ ବୋଷଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲେ। ସେଠାରେ ରାସବିହାରୀ ବୋଷ ନାମକ ଜଣେ ଭାରତୀୟ ବିପ୍ଳବୀ ଜାପାନ, ବର୍ମା ଓ ମାଳୟ ଆଦି ଦେଶରେ ଥିବା ପ୍ରବାସୀ ଭାରତୀୟ ଓ ଯୁଦ୍ଧବନ୍ଦୀକୁ ନେଇ ଗଠିତ କରିଥିଲେ “ଭାରତୀୟ ଜାତୀୟ ସେନା” ବା “ଆଜଦ୍ ହିନ୍ଦ୍ ଫୌଜ”। ସିଙ୍ଗାପୁରରେ ଏହାର ଦାୟିତ୍ୱ ନେଇଥିଲେ ବୋଷ ଓ ତାଙ୍କ ନେତୃତ୍ବରେ ସେନା ଅଧିକ ଶକ୍ତିଶାଳୀ ହୋଇଥିଲା ।ସେଠାରେ ୧୯୪୩ ଅକ୍ଟୋବର ୨୧ ତାରିଖରେ ଏକ ଅସ୍ଥାୟୀ ସରକାର ଗଠନ କରିଥିଲେ ଓ ସେନା ବାହିନୀକୁ “ଦିଲ୍ଲୀ ଚଲୋ” ଆହ୍ବାନ ଦେଇ ବ୍ରିଟିଶ ସରକାରଙ୍କୁ ସ୍ତବ୍ଧ କରିଦେଇଥିଲେ । ଏହିଠୁ ହିଁ ଆରମ୍ଭ ହୋଇଥିଲା ଆଜାଦ ହିନ୍ଦ ଫୌଜର ପ୍ରକୃତ ଅଭିଯାନ ।
ଭାରତୀୟ ଜାତୀୟ ସେନାର ବହୁ ପ୍ରତୀକ୍ଷିତ ମୁକ୍ତି ଯୁଦ୍ଧ ଭାରତ-ବର୍ମା ସୀମାନ୍ତରେ ୧୯୪୪ ମସିହା ଫେବୃୟାରୀ ୪ ତାରିଖରେ ଆରମ୍ଭ ହେବା ସହିତ ସେନା ଭାରତର ସୀମାକୁ ପ୍ରବେଶ କରି ପ୍ରଥମ ଥର ପାଇଁ ଭାରତୀୟ ତ୍ରିରଙ୍ଗା ପତାକା ଦେଶ ମାଟିରେ ଉଡାଇଲେ। ମାତ୍ର ବିଧିର ବିଧାନ ଥିଲା ବଡ ବିଚିତ୍ର । ସତେ ଯେମିତି ଧୁମକେତୂ ଭଳି ବୋଷଙ୍କ ଭାଗ୍ୟାକାଶରେ ଦୁର୍ଦିନର କଳାବାଦଲ ମାଡି ଆସିଥିଲା ।ବୋଷଙ୍କୁ ସମୟ ବୋଧହୁଏ ସାଥୀ ଦେଲାନି। ବିଭିନ୍ନ କାରଣ ପାଇଁ ତାଙ୍କ ସୈନ୍ୟବାହିନୀଙ୍କର ବିପର୍ଯ୍ୟୟ ଘଟିଲା ।
ଶେଷରେ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ଏକ ମମର୍ନ୍ତୁଦ ବିମାନ ଦୁର୍ଘଟଣାରେ ଏହି ମହାନ ବିପ୍ଳବୀଙ୍କର ଜୀବନ ଦୀପ ଲିଭିଗଲା ଚିରଦିନ ପାଇଁ । ତେବେ ତାଙ୍କ ମୃତ୍ୟୁର କାରଣ ଏବେ ବି ରହସ୍ୟାମୟ ହୋଇ ରହିଛି ।
ସତ କହିବାକୁ ଗଲେ ସୁଭାଷ ଚନ୍ଦ୍ର ବୋଷ ଥିଲେ ଗୋଟିଏ ସ୍ବର୍ଣ୍ଣିମ ସକାଳର ଏକ ସ୍ବପ୍ନିଳ ସମ୍ଭାବନା ସଦୃଶ । ମହାଜାତୀୟତାର ଏହି ମହାନାୟକ ମହାମୁକ୍ତିର ମହାପ୍ରସାଦ ନିମନ୍ତେ ରଚନା କରିଥିଲେ ମହାନିଷ୍କ୍ରମଣର ମହାନାଟକ । ଜଣେ ରାଜନୈତିକ ଦାର୍ଶନିକ ପରିବର୍ତ୍ତେ ସେ ଥିଲେ ଜଣେ ରାଜନୈତିକ ବାସ୍ତବବାଦୀ ଓ ସଂଗ୍ରାମୀ ଜାତୀୟତାବାଦୀ କର୍ମନାୟକ। କଥାରେ ନୁହେଁ, କାମରେ ସେ ଅଧିକ ବିଶ୍ବାସ କରୁଥିଲେ । ଯେଉଁ ଜାତୀୟବାଦୀ ଓ ଦେଶପ୍ରମୀ ନେତାଗଣ ଭାରତୀୟ ମୁକ୍ତି ସଂଗ୍ରାମରେ ଆବିର୍ଭାବ ହୋଇଥିଲେ,ସେମାନଙ୍କ ମଧ୍ୟରେ ସୁଭାଷ ଚନ୍ଦ୍ର ବୋଷ ଥିଲେ ଅନ୍ୟତମ । ଯଦିଓ ଭାରତର ମୁକ୍ତି ପାଇଁ ସେ ଫାସି ଓ ନାଜିମାନଙ୍କର ସାହାଯ୍ୟ ନେଇଥିଲେ ବୋଲି ତାଙ୍କୁ ସମାଲୋଚନା କରାଯାଏ, ତଥାପି ଆଜି ବି ଏ ଦେଶ ଝୁରୁଛି ତାଙ୍କୁ ତାଙ୍କ ବାସ୍ତବବାଦୀ ଓ ସାହସିକତା ଦୃଷ୍ଟିଭଙ୍ଗୀ ପାଇଁ । ସାମ୍ପ୍ରତିକ ଭାରତୀୟ ରାଜନୈତିକ ପରିସ୍ଥିତିରେ ତାଙ୍କ ଭଳି ବ୍ୟକ୍ତିତ୍ବର ପ୍ରାସଙ୍ଗିକତା ରହିଛି ବୋଲି ମତ ପ୍ରକାଶ ପାଇବା ତାଙ୍କ ଅମର ଆତ୍ମା ପ୍ରତି ଗଭୀର ସମ୍ମାନ, ଅଜସ୍ର ଭଲ ପାଇବା ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ନୁହେଁ କି ? ଅଗଣିତ ଭାରତୀୟଙ୍କ ହୃଦୟରେ ସେ କାଲି ଯେମିତି ଥିଲେ,ଆଜି ବି ସେମିତି ଅଛନ୍ତି ଓ ଆସନ୍ତା କାଲି ବି ରହିବେ , ଏହା ନିଃସନ୍ଦେହ ।
—————————— –