ବେସାହାରା ସାରିଆ ନାନୀର ଅନ୍ତିମ ସଂସ୍କାର ପୁରୋହିତ ବିଦ୍ୟାପତି ମିଶ୍ର ଙ୍କ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଛି ବୋଲି ମୁଁ ଆଜି ଜାଣିବାକୁ ପାଇଲି । ଅହ୍ୟ ସୁଲକ୍ଷଣୀ ବେଶରେ ସାରିଆ ନାନୀ ସତରେ ଦେବୀ ଭଳି ଦିଶୁଥିଲା ବୋଲି ମୋ ବୋଉ ଗାଆଁରୁ ଫୋନ୍ କରି ବର୍ଣ୍ଣନା କଲା। ଏବେ ପୁଣି ଥରେ ମନରେ ସତେଜ ହେଲା ଆମ ଗାଆଁ ମନ୍ଦିର ପୂଜକ ମାଧବ ପଣ୍ଡାଙ୍କ ଏକ ମାତ୍ର ଝିଅ ସାରିଆ ନାନୀର କଥା।
ସାରିଆ ନାନୀର ବାହାଘର ହୋଇଥିଲା ପାଖ ଗାଆଁରେ। ବାହାଘରର ଚାରି ପାଞ୍ଚ ବର୍ଷ ପରେ ବି ତା’ କୋଳ ଶୂନ୍ୟ ଥିଲା ।୧୯୯୯ ମସିହା ବାତ୍ୟାରେ ସାରିଆ ନାନୀର ସ୍ବାମୀ ହଠାତ୍ କେଉଁଆଡେ ଗାଏବ ହୋଇଗଲା ଯେ ଆଉ ଫେରିଲା ନାହିଁ। କେତେ ମାସ ଅପେକ୍ଷା କରି ସାରିଆ ନାନୀ ଗାଁ କୁ ଫେରିଆସି ବାପା ମାଆଙ୍କ ପାଖରେ ରହିଲା। ବର୍ଷେ ଦୁଇ ବର୍ଷ ମଧ୍ୟରେ ଉଭୟ ବାପା ମା ଙ୍କୁ ହରାଇ ଏକୁଟିଆ ରହିଲା ସେହି ଘରେ ଯେଉଁଠି କଟିଥିଲା ତା ପିଲାବେଳ। ତାପରେ କେବଳ ଠାକୁର ପୂଜା, ଦାନ, ଧର୍ମ ରେ ତା’ର ସମୟ କଟିଲା।
ସାରିଆ ନାନୀର ପାଟିରେ ଦିନେ ଆମ ଗାଆଁ ଦାଣ୍ଡ ଉଛୁଳି ପଡିଲା। ତା’ ବାଡିରୁ କିଏ ଫୁଲ ଚୋରି କରିଛି ବୋଲି ଚୋରକୁ ଗାଳି ଦେଉଥିଲା ଚିଲେଇ ଚିଲେଇ। ଆମେ ସବୁ ପିଲାମାନେ ସେଇଠି ପହଞ୍ଚି ଯାଇଥିଲୁ ଦୌଡା ଦୌଡି ହୋଇ। ସେତିକି ବେଳକୁ ସେଇପଟ ଦେଇ ଯାଉଥିଲେ ପୁରୋହିତ ବିଦ୍ୟାପତି ମିଶ୍ର।
” ତୋତେ ନକହି ଯିଏ ବି ତୋ ଗଛର ଫୁଲ ନେଇଛି ଭୁଲ ତ ନିଶ୍ଚୟ କରିଛି। ହେଲେ ସେ ଫୁଲ ନେଇ କରିବ କ’ଣ ? ସେ ବି ନେଇ ଠାକୁରଙ୍କୁ ଦେବ ।ତୁ ଦେଇଥାନ୍ତୁ ସେ ଦେଇଦେବ। ଯେମିତି ହେଉ ସେଇ ଈଶ୍ଵର ହିଁ ପାଇବେ।ଯେ ଏହି ବିଶ୍ବର ସ୍ରଷ୍ଟା , ଯେ ଏଇ ଗଛ, ଫୁଲ ଆଦି ସୃଷ୍ଟି କରିଛନ୍ତି, ସେ ଯାହା ଚାହାଁନ୍ତି ଆମେ ସେହି କାମ କରୁ।ପୂଜା ତ ଶରୀର ଓ ଆତ୍ମାର ଶୁଦ୍ଧି ପାଇଁ କରାଯାଏ। ଯେଉଁଠି ପ୍ରୀତିର ଅର୍ଘ୍ୟ ଅର୍ପଣ କରାଯାଏ, ମନକୁ ପୁଷ୍ପାଞ୍ଜଳି କରି ସମର୍ପଣ କରାଯାଏ, ପ୍ରେମ ନୈବେଦ୍ୟ ବଢାଯାଏ ସେଇଠି ପୂଜା ରେ ପୂର୍ଣ୍ଣତା ଆସେ।ଶରୀର ଶୁଦ୍ଧି ହୁଏ।” ଗୋସେଇଁଙ୍କ ଏଇ କେଇ ପଦ କଥାରେ ସାରିଆ ନାନୀ ଆଉ ପାଟି ନକରି ଚୁପଚାପ ଘରକୁ ପଳେଇ ଗଲା ।
ମୋ ସହ ଅନ୍ୟମାନେ ମଧ୍ୟ ଯେଝା ଯେଝା ଘରକୁ ଚାଲିଗଲେ। ହେଲେ ଆମେ ସାଙ୍ଗମାନେ ପାଳି କରି ଜଗି ଫୁଲ ଚୋରକୁ ଧରିବାକୁ ଠିକ୍ କଲୁ। କାରଣ ସାରିଆ ନାନୀର ଦୁଃଖକୁ ଆମେ ଲାଘବ କରିବାକୁ ଚାହୁଁଥିଲୁ। ତିନି ଦିନ ପର୍ଯ୍ୟନ୍ତ ଚୋରକୁ ଧରି ହେଲାନାହିଁ। ଚତୁର୍ଥ ଦିନ ଥାଏ ମୋ ପାଳି । ଶୀତ ଦିନ ସେତେବେଳକୁ।ଭୋର ଚାରିଟା ପରିବର୍ତ୍ତେ ମୋ ନିଦ ଭାଙ୍ଗିଲା ସାଢ଼େ ଚାରିଟାରେ ।ଯାଇ ପହଞ୍ଚିଲି ସାରିଆ ନାନୀ ଘର ପାଖରେ। ଚାରିଆଡେ ଅନ୍ଧକାର, ବିଲ୍କୁଲ ଖାଁ ଖାଁ। ଦେଖିଲି ସାରିଆ ନାନୀ ବାଡିର ଟଗର, ମନ୍ଦାର ଗଛରେ ଫୁଲ ଅଛି। ହଠାତ୍ ସାରିଆ ନାନୀ କବାଟ ଖୋଲି ପଦାକୁ ଆସିଲା।
ମୁଁ ଆଶ୍ବସ୍ତ ହେଲି ଯେ, ସେ ଆଜି ଠାକୁର ପୂଜା ପାଇଁ ସବୁ ଫୁଲ ପାଇବ। ଟିକିଏ ପରେ ସାରିଆ ନାନୀର ପଛେ ପଛେ ଗୋଟିଏ ଡେଙ୍ଗା ଛାଇ ବାହାରି ଆସିବାର ନଜର ପଡିଲା।-” ଯାଉଛି, ପୁଣି ତିନି ଚାରି ଦିନ ପରେ ଆସିବି ।”ଫିସ୍ ଫିସ୍ ଶବ୍ଦ ମୋତେ ଶୁଭିଲା। ସାରିଆ ନାନୀ ହଉ କହି ବାଟ କଢ଼େଇ ନେଲା।ଛାଇଟା ହଠାତ୍ ଝୁଣ୍ଟି ପଡ଼ିଲା। ସାରିଆ ନାନୀ ହାତରେ ଥିବା ଟର୍ଚ୍ଚ ଆଲୁଅରେ ମୁଁ ଯାହାକୁ ଦେଖିଲି ସେ ଆଉ କେହି ନୁହେଁ- ଆମ ଗାଆଁ ମନ୍ଦିର ପୂଜକ ବିଦ୍ୟାପତି ମିଶ୍ର !ସାରିଆ ନାନୀ ବାଡିରେ ମୁଁ ଭୂତ ଦେଖିଲି କହି ସବୁ ସାଙ୍ଗଙ୍କୁ ଡରେଇ ଦେଇଥିଲି। ତା ପରଠୁ କେହି ଫୁଲ ଚୋରକୁ ଧରିବାକୁ ଚେଷ୍ଟା କରି ନଥିଲେ କିମ୍ବା ସେବେଠାରୁ ଫୁଲ ଚୋରି ହୋଇଛି ବୋଲି ସାରିଆ ନାନୀ ଆଉ କେବେ ପାଟି କରିବାର କେହି ଶୁଣି ନାହାନ୍ତି..!!!