Odisha news

ଭାରତୀୟ ସଂସ୍କୃତିରେ ମାତୃପୂଜା

0

ଭାରତୀୟ ସଂସ୍କୃତିରେ ନାରୀକୁ ବିଭିନ୍ନ ରୂପରେ ସମ୍ମାନ ଦିଆଯାଇଛି । କେତେବେଳେ ସେ ଜନନୀ ତ କେତେବେଳେ ଜାୟା, କେତେବେଳେ ଭଗିନୀ ତ କେତେବେଳେ କନ୍ୟା । ଜଗଜ୍ଜନନୀ ହେଉଛନ୍ତି ଶକ୍ତି ସ୍ୱରୂପା । ପ୍ରତିଟି ନାରୀ ଭିତରେ ଭିନ୍ନଭିନ୍ନ ରୂପରେ ସିଏ ହିଁ ବିରାଜିତା । ସେଥିପାଇଁ ବର୍ଣ୍ଣିତ ଅଛି –
ବିଦ୍ୟାଃ ସମସ୍ତା ସ୍ତବଦେବୀ ଭେଦାଃ
ସ୍ତ୍ରୀୟଃ ସମସ୍ତାଃ ସକଳା ଜଗସୁ
ତ୍ୱୟୈକଯା ପୂରିତ ମମ୍ବୟୈତତ୍
କାତେ ସ୍ତୁତିଃ ସ୍ତବ୍ୟ ପରାପରୋକ୍ତିଃ ।
ହେ ଦେବୀ! ଜଗତର ସମସ୍ତ ବିଦ୍ୟା ହିଁ ତୁମରି ସ୍ୱରୂପ ଭେଦ ସଦୃଶ ଏବଂ ଜଗତର ସମସ୍ତ ନାରୀ ତୁମରି ପ୍ରତି ମୂର୍ତ୍ତିଭାବରେ ବିରାଜିତ । ହେ ଜଗଦମ୍ବେ! ତୁମେ ହିଁ ଏକମାତ୍ର ସମସ୍ତ ବିଶ୍ୱରେ ବ୍ୟାପ୍ତ ହୋଇ ରହିଅଛି । ତେଣୁ ମୁଁ କିପରି ଭାବରେ ବା ତୁମକୁ ସ୍ତବ କରିବି! ତୁମେ ତ ସ୍ତବ, ସ୍ତୁତିର ଅତୀତ, ପରାବାଣୀ ସ୍ୱରୂପ ଅଟ ।

ନାରୀର ଯେତେ ଯେତେ ରୂପ ରହିଛି, ତା ଭିତରେ ସର୍ବଶ୍ରେଷ୍ଠ ଓ ସୁନ୍ଦରତମ ରୂପ ହେଉଛି “ମା’ । ଈଶ୍ୱର ସବୁଠି, ସବୁ ସମୟରେ ପହଞ୍ଚô ପାରିବେନି ବୋଲି ମା’ଟିଏ ସୃଷ୍ଟି କରିଛନ୍ତି । ଏଇ ମାତୃଶକ୍ତି ରୂପରେ ସିଏ ସାରା ଜଗତରେ ପରିବ୍ୟାପ୍ତ ହୋଇଛନ୍ତି । ମା’ ହେଉଛି ଈଶ୍ୱରଙ୍କର ପ୍ରତିନିଧି । ମା’ଟିଏ ଅସୀମ ସ୍ନେହ, ପ୍ରେମ, ମମତା ଓ ନିଃସର୍ତ୍ତ ଭଲ ପାଇବାର ଏକ ପାରାବାର । ଦୟା, କ୍ଷମା, ତ୍ୟାଗ ଓ ସହନଶୀଳତାର ଏକ ଅଭିନବ ସମାହାର ।

ଈଶ୍ୱରଙ୍କ ପ୍ରେମ ଓ କରୁଣା ବହୁ ରୂପରେ ଆସିଥାଏ । ସେହିପରି ମାଆର ସ୍ନେହ କିପରି, କେଉଁ ରୂପରେ ଆସେ ତାହା ବୁଝିବା ସହଜ ନୁହେଁ । କିନ୍ତୁ ସବୁବେଳେ ତାହା ଆଶୀର୍ବାଦର ବରଦ ହସ୍ତଟିଏ ହୋଇ ରହିଥାଏ ସନ୍ତାନର ମଥା ଉପରେ । ପୁତ୍ର କୁପୁତ୍ର ହୋଇପାରେ, ମା’ଟିଏ କେବେ କୁମାତା ହୋଇପାରେ ନାହିଁ । ସେଥିପାଇଁ ଶଙ୍କରାଚାର୍ଯ୍ୟ “ଦେବୀ ଅପରାଧକ୍ଷମାପନ୍ନ ସ୍ତୋତ୍ରମ୍”ରେ ଲେଖିଛନ୍ତି, –
କୁପୁତ୍ରୋ ଜୟତେ କ୍ୱଚିଦପି କୁମାତା ନ ଭବତି ।

ମାଆ ହେଉଛନ୍ତି ସତ୍ୟର ମୂର୍ତ୍ତିମନ୍ତ ପ୍ରତୀକ । ସନ୍ତାନସନ୍ତତିମାନେ ଭଲ ଭାବରେ ବୁଝିବା ଉଚିତ ଯେ, ସତ୍ୟ ହିଁ ଭଗବାନ ଓ ଭଗବାନ ହିଁ ସତ୍ୟ । ତେଣୁ ସେମାନଙ୍କ ପାଇଁ ମାଆ ହିଁ ପ୍ରଥମ ଦେବତା । ମାଆକୁ ଅସନ୍ତୁଷ୍ଟ କରି, ମାଆ ପ୍ରତି ଅନ୍ୟାୟ ଓ ଅବିଚାର କରି କୌଣସି ସନ୍ତାନର ଜୀବନ କେବେ ମଙ୍ଗଳମୟ ହୋଇ ନପାରେ । କାରଣ ମା’ର ଆଶୀର୍ବାଦ ଜୀବନର ସବୁଠାରୁ ବଡ଼ ଆବଶ୍ୟକତା । ମା’ଟିଏ ମଧ୍ୟ ନିଜକୁ ସାଧାରଣ ନାରୀଟିଏ ବୋଲି ନ ଭାବି ସନ୍ତାନସନ୍ତତିମାନଙ୍କୁ ସତ୍ୟାନୁରାଗୀ ହେବା ନିମିତ୍ତ ଯଥାଯଥ ତାଲିମ ଦେବା ଜରୁରୀ ଅଟେ ।

ଏଥିପାଇଁ ଭାରତୀୟ ସଂସ୍କୃତିର ମାତୃପୂଜାର ପରମ୍ପରା ରହିଆସିଛି । ଯୁଗେ ଯୁଗେ ମାତୃପୂଜାର ପରମ୍ପରା ରହିଆସିଛି । ମାତା ଜୀବର ଜନ୍ମଦାତ୍ରୀ, ଶ୍ରେଷ୍ଠ ଆଶ୍ରୟଦାତ୍ରୀ ତଥା ସର୍ବଦା ନିଜର ସୃଷ୍ଟିକୁ ସୁରକ୍ଷା ଯୋଗାଇ ଆସିଛି । ଆମ ସଂସ୍କୃତି ବି ମାତୃକୈନ୍ଦି୍ରକ, ଏହି କାରଣରୁ ଆମ ଦେଶକୁ ଭାରତମାତା ରୂପରେ ବର୍ଣ୍ଣନା କରାଯାଉଛି ।

ଏହି କ୍ଷେତ୍ରରେ ମାତୃଜାତି ସର୍ବଦା ପୂଜନୀୟା, ବନ୍ଦନୀୟା ତଥା ସ୍ମରଣୀୟା । ସବୁ ସାଧନାର ସିଦ୍ଧି ମୂଳରେ ମାତୃଶକ୍ତିର ପ୍ରଚ୍ଛନ୍ନ ଆଶୀର୍ବାଦ ରହିଛି । ସ୍ୱତନ୍ତ୍ର ଭାବରେ ମନୁଷ୍ୟର ସର୍ବକାମନାର ସିଦ୍ଧିଠାରୁ ମୋକ୍ଷ ପର୍ଯ୍ୟନ୍ତ ସବୁ ହିଁ ମାତୃଶକ୍ତିର କରାମତି କହିଲେ ଅତୁ୍ୟକ୍ତି ହେବନାହିଁ । ସ୍ରଷ୍ଟାଙ୍କଠାରୁ ଆରମ୍ଭ କରି ସୃଷ୍ଟିର ସମସ୍ତ ଜୀବ ମାତୃଶକ୍ତିର ଆଶ୍ରିତ । ମାତୃଶକ୍ତି ଜଡ଼ବସ୍ତୁରେ ଶକ୍ତି ସଞ୍ଚାର କରି ଜୀବନ ପ୍ରଦାନ କରେ । ମାତୃଶକ୍ତି ଜୀବକୁ ସଦ୍ମାର୍ଗ, ସଦ୍ବୁଦ୍ଧି, ସଦ୍ଜ୍ଞାନ ଓ ସତ୍ଚିନ୍ତା ପ୍ରଦାନ କରି ମୁକ୍ତି ତଥା ମୋକ୍ଷ ଆଡ଼କୁ ଅନୁଗାମୀ କରାଏ ।
ଏ ସମ୍ପର୍କରେ ଏକ ସୁନ୍ଦର ଉଦାହରଣ ରାମକୃଷ୍ଣ ପରମହଂସଙ୍କ ଜୀବନୀରୁ ଉଦ୍ଧୃତ ।

ଥରେ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ତାଙ୍କୁ ପଚାରିଲେ, ଆପଣ ବିବାହିତ ହୋଇ ନିଜ ପତ୍ନୀଙ୍କ ସହିତ କାହିଁକି ସାଂସାରିକ ଜୀବନ କାଟୁନାହାଁନ୍ତି ବୋଲି । ଉତ୍ତରରେ ରାମକୃଷ୍ଣ କହିଲେ – “ଥରେ ଗଣେଶ ଗୋଟିଏ ବିଲେଇକୁ ନଖରେ ଆମ୍ପୁଡ଼ି ଦେଇଥିଲେ । ରାତିରେ ଘରକୁ ଫେରି ଦେଖିଲେ ତାଙ୍କ ମା’ଙ୍କ ଗାଲରେେ ଗୋଟିଏ ବଡ଼ କ୍ଷତଚିହ୍ନ । ସେ ଆଶ୍ଚର୍ଯ୍ୟ ହୋଇଯାଇ ଦେବୀ ପାର୍ବତୀଙ୍କୁ ପଚାରିଲେ – “ମା’ ଆପଣଙ୍କ ଗାଲରେ ଏତେ ବଡ଼ ଖଣ୍ଡିଆ କେମିତି ହେଲା?” ପାର୍ବତୀ ମୁରୁକି ହସି ଗଣେଶଙ୍କୁ କହିଲେ, “ଏ ଦାଗ ତୁ ନିଜେ କରିଛୁ ପରା । ତୋର ନଖ ଯୋଗୁ ମୋର ଏ ଅବସ୍ଥା । ପୁଣି ମୋତେ ପଚାରୁଛୁ ଦାଗ କେମିତି ହେଲା ବୋଲି?”

ଗଣେଶ ଆହୁରି ଆଶ୍ଚର୍ଯ୍ୟ ହୋଇଯାଇ କହିଲେ, “ମା’ ଆଜି ଦିନଯାକ ମୁଁ ତ ଘରେ ନଥିଲି । ଏବେ ମୁଁ ଫେରୁଛି । ତେଣୁ ତୁମ ଗାଲରେ ମୋ ନଖ ବାଜି ଖଣ୍ଡିଆ ହେଲା କେମିତି?” ଦେବୀ କହିଲେ, “ବାପା! ମନେ ପକାଇ ଦେଖେତ ତୁ ଆଜି ଦିନରେ ଗୋଟିଏ ବିଲେଇକୁ ରାମ୍ପୁଡ଼ି ନଥିଲୁ?” ଗଣେଶ କହିଲେ, “ହଁ । ବିଲେଇକୁ ରାମ୍ପୁଡ଼ି ଦେଇଥିଲି ।

କିନ୍ତୁ ସେ ରାମ୍ପୁଡ଼ାର ଦାଗ ତୁମ ଦେହକୁ ଆସିଲା କେମିତି? ମୁଁ କିଛି ବୁଝି ପାରୁନାହିଁ ।” ପାର୍ବତୀ କହିଲେ, “ସାରା ସଂସାର ମୋର ସୃଷ୍ଟି । ସମସ୍ତେ ମୋ ନିଜର । ତେଣୁ ତୁ ଯଦି କାହାକୁ ଆଘାତ କରୁ ବା କଷ୍ଟ ଦେଉ, ତେବେ ସେ ଆଘାତ ବା କଷ୍ଟ ମତେ ଭୋଗିବାକୁ ପଡ଼ିବ । କାରଣ ମୁଁ ହେଉଛି ସମସ୍ତଙ୍କର ଜନନୀ ।” ଗଣେଶ କଥାଟିର ରହସ୍ୟ ବୁଝିଗଲେ ଏବଂ ନିଷ୍ପତ୍ତି ନେଲେ ଯେ, ସେ କେବେହେଲେ ବିବାହ କରିବେ ନାହିଁ । କାରଣ ପ୍ରତ୍ୟେକ ନାରୀ ମାତୃ ସଦୃଶ୍ୟ ।

କାହାଣୀଟି କହିସାରି ରାମକୃଷ୍ଣ ହସି ହସି କହିଲେ ପ୍ରତ୍ୟେକ ନାରୀ ଦେହରେ ମୋତେ ଜଗତ୍ଜନନୀ ଦୃଶ୍ୟ ହୁଅନ୍ତି । ଏ ପ୍ରସଙ୍ଗରେ ମୁଁ ଠିକ୍ ଗଣେଶଙ୍କ ଭଳି । ତେଣୁ ସ୍ତ୍ରୀଙ୍କ ସହିତ ସାଂସାରିକ ଜୀବନ ବିତାଇବା ମୋ ପକ୍ଷରେ ସମ୍ଭବ ନୁହେଁ ।

ଅନ୍ୟ ଏକ ଉଦାହରଣ ସ୍ୱାମୀ ରାମତୀର୍ଥଙ୍କ ଜୀବନୀରୁ ମିଳିଥାଏ । ସ୍ୱାମୀ ରାମତୀର୍ଥ ଥିଲେ ଜଣେ ସୁସାଧକ । ଜଗଜ୍ଜନନୀ ମାଆଙ୍କ ପ୍ରତି ଥିଲା ତାଙ୍କର ପ୍ରଗାଢ଼ ଭକ୍ତି । ଏମିତି କି ବେଳେବେଳେ ସ୍ୱାମୀ ରାମତୀର୍ଥ ନିଜର କର୍ତ୍ତବ୍ୟ ବି ଭୁଲି ଯାଉଥିଲେ । ଦିନେ ସେ ବାହାରକୁ ଯାଇଛନ୍ତି । ହଠାତ୍ ମନେହେଲା ଆମ୍ବ ଆଣି ମାଆଙ୍କ ପାଖରେ ଭୋଗ ଲଗାଇବା ପାଇଁ; ହେଲେ ଅଦିନରେ ଆମ୍ବ ମିଳିବ କୋଉଠୁ? ବୁଲିବୁଲି ଘରକୁ ଫେରିଲେ । ଭୋକ ହେଉଥାଏ । ଭୋଜନ ପ୍ରସ୍ତୁତ ବି ସରିଥାଏ । ପତ୍ନୀ ବାଢ଼ିଦେଲେ ।

ଭାତ ଥାଳି ପାଖରେ ପାଚିଲା ଆମ୍ବ । ଆଶ୍ଚର୍ଯ୍ୟ ହେଇ ପଚାରିଲେ, “ଏ ଆମ୍ବ କୋଉଠୁ ଆସିଲା?” ପତ୍ନୀ ଉତ୍ତର ଦେଲେ – “ତୁମେ ପରା ସେ କୁନି ଝିଅଟି ହାତରେ ପଠେଇଥିଲ ।” ସ୍ୱାମୀ ରାମତୀର୍ଥ ବୁଝିଗଲେ ମୋର ଇଚ୍ଛାକୁ ମାଆ ଅନେଇ ବସଛି । ସେ କନ୍ୟା ରୂପରେ ନିଇତି ସାହାଯ୍ୟ କରୁଛି । କେତେବେଳେ ବାଡ଼ିରେ ଝଟା-ବାଡ଼ ବାନ୍ଧିଲା ବେଳେ ଧରିବାରେ ସାହାଯ୍ୟ କରୁଛି ତ କେତେବେେଳେ ଚାହିଁବା ଜୀିନିଷ ଆଣି ପହଞ୍ଚେଇ ଦଉଛି ।”

ସେହିପରି ଆଉ ଜଣେ ମହାପୁରୁଷ ଥିଲେ ପରମହଂସ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ । ତାଙ୍କ ପତ୍ନୀ ସୁଧାଂଶୁବାଳାଙ୍କର ଦେହାନ୍ତ ହେଲା । ମଣିଷର ମୃତୁ୍ୟପରେ ତା’ ଆତ୍ମାର ଗତି କୁଆଡ଼େ । ଏହି ତତ୍ତ୍ୱକୁ ଖୋଜି ଖୋଜି ସେ ଚାରିଜଣଙ୍କୁ ଗୁରୁ କଲେ । ସାଧନାମୟ ଜୀବନ ଆରମ୍ଭ କଲେ । ଜ୍ଞାନ, ଯୋଗ, ତନ୍ତ୍ର ଓ ପ୍ରେମ ବଳରେ ସାଧନାର ଶୀର୍ଷରେ ପହଞ୍ଚôଲେ । ସମ୍ମୁଖରେ ସୁଧାଂଶୁବାଳାଙ୍କର ଛାଇକୁ ଦେଖିବାକୁ ପାଇଲେ; ମାତ୍ର ଧରିବାକୁ ଗଲାବେଳେ ସେ ଉଭେଇଯାଉଥିଲେ । ଶେଷରେ ଜାଣିଲେ ଜଗଜ୍ଜନନୀ ତାଙ୍କୁ ଦେଖା ଦେଇଛନ୍ତି ପତ୍ନୀ ରୂପରେ । ସେହି ମାତୃଶକ୍ତିଙ୍କର ଆରାଧନା କେଉଁ ଆବାହମାନ କାଳରୁ ଆମ ସଂସ୍କୃତିରେ ପ୍ରଚଳିତ ହୋଇ ଆସିଛି ।

ସାଧାରଣତଃ ଆମ ସଂସ୍କୃତିରେ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ବାସନ୍ତିକ ନବରାତ୍ରୀ ଏବଂ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ଶାରଦୀୟ ନବରାତ୍ରୀ ପାଳନ କରାଯାଏ । କାରଣ ଏହି ଦୁଇମାସ ହେଉଛି ଉତ୍ତାପ ଓ ଶୀତଳତାର ସନ୍ଧି ମାସ । ବର୍ତ୍ତମାନ ବହୁ ପ୍ରତିକ୍ଷିତ ସେହି ପବିତ୍ର ଶୁଭ ଶରତର ଆଗମନରେ ଚଳଚଞ୍ଚଳ ସତେ ଯେପରି ମାଟିର ଆକାଶ । ମାଳମାଳ ଧଳା ବଉଦ ଭାସି ଉଠିଲେଣି ଆକାଶ ବକ୍ଷରେ ତଡ଼ାଗରେ କଇଁ କମଳିନୀଙ୍କର ନୃତ୍ୟ, ଠାଆ ଠାଆ ଗଙ୍ଗଶିଉଳିର ମିଠାମିଠା ମହକ, ରାସ୍ତା ଘାଟ, ନଈପଠାରେ କାଶତଣ୍ଡୀର ନିର୍ମଳ ହସ ମନ ପ୍ରାଣକୁ ପୁଲକିତ କରେ । ଦେବୀଙ୍କର ଆବାହନୀ ସଙ୍ଗୀତର ପ୍ରତିଧ୍ୱନି ଭାସି ଆସେ ଶୀତଳ ପବନରେ । ମା’ ତ ଶାରଦା, ଶୁଭଦା, ବରଦା, ମୋକ୍ଷଦା, ଶାକମ୍ବରୀ, ଅନ୍ନପୂର୍ଣ୍ଣା ।

ସେହି ମା ପୁଣି ମହାଲକ୍ଷ୍ମୀ, ମହାସରସ୍ୱତୀ, ମହାଦୁର୍ଗା, ମହାକାଳୀ । ଭିନ୍ନଭିନ୍ନ ରୂପରେ ସେଇ ଏକ ମହାଶକ୍ତି ସର୍ବତ୍ର ବିରାଜିତା । ଆସନ୍ତୁ, ସମସ୍ତେ ମିଳିମିଶି କାୟ ମନୋବାକ୍ୟରେ ମା’ଙ୍କର ପୂଜା କରିବା । ଦୂର ହେବ ଧରିତ୍ରୀ ବକ୍ଷରୁ ଅନ୍ୟାୟ, ଅସତ୍ୟ, ଅଧର୍ମ ଓ ଅଜ୍ଞାନତା । ତାଙ୍କରି ଆଶୀର୍ବାଦ ଓ କରୁଣାର ଅବିଶ୍ରାନ୍ତ ଧାରା ଝରିପଡ଼ୁ ବସୁଧା ଉପରେ । ପୃଥିବୀ ମଧୁମତୀ ହେଉ, ସବିତା ମଧୁମାନ ହୁଅନ୍ତୁ । ପବନ ପରାଗବାହି ହେଉ, ପର୍ବତମାନେ ଧରାସ୍ରାବୀ ହୁଅନ୍ତୁ । ଗଛ, ଲତା, ଫଳ, ପୁଷ୍ପ ସୁଶୋଭିତ ହୁଅନ୍ତୁ । ମାନବ ମନସ୍ୱୀ ହେଉ । ଜୀବନ ସୌଭାଗ୍ୟମୟ ହେଉ । ମୃତୁ୍ୟ ସ୍ୱାଭାବିକ ଓ ଶୁଭଙ୍କର ହେଉ । ଜଗତ ସରସ ସୁନ୍ଦର ହେଉ ।

Leave A Reply