ନଗେନ୍ଦ୍ର ନାଥ ପଟ୍ଟନାୟକ : ଅଦୃଶ୍ୟ ଦାନବ କରୋନାକୁ ରୋକିବା ସକାଶେ ସରକାରଙ୍କ ଆଡୁ ଘୋଷିତ ଲକ୍ଡାଉନ (ତାଲାବନ୍ଦୀ) ହଟିଯିବାର ଏବେ ଦୁଇମାସ ହୋଇଗଲାଣି । ତଥାପି କରୋନା ଭୂତାଣୁର ତାଣ୍ଡବଲୀଳା ଥମିବାର ନାଁ ଧରୁନି ଦେଶରେ ଅର୍ଥବ୍ୟବସ୍ଥାର ଶୋଚନୀୟ ସ୍ଥିତି ସରକାରଙ୍କୁ ବଡ ଅକଳରେ ପକାଇଦେଇଛି । ଏଭଳି ବିଷମ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅନଲକ-୧ ଓ ଅନଲକ-୨ ଘୋଷଣା କରିସାରିଛନ୍ତି,ଯାହାଫଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ପୂରାପୂରି ଭାବେ ଉନ୍ମୁକ୍ତ ହୋଇଯାଇଛି ।
ଭାରତର ଜିଡିପି ( ମୋଟ ଘରୋଇ ଉତ୍ପାଦ) ଉପରେ ଦୃକ୍ପାକ କଲେ ଜଣାପଡେ ଯେ,ଏଥିରେ ଔଦ୍ୟୋଗିକ କ୍ଷେତ୍ରର ତିରିଶ ପ୍ରତିଶତ ଓ ସେବାକ୍ଷେତ୍ରର ପାଖାପାଖି ୫୭ ପ୍ରତିଶତ ଯୋଗଦାନ ରହିଛି । ଏହାବାଦ,ଆମ ଯଦି କୃଷିକ୍ଷେତ୍ର ଉପରେ ନଜର ପକାଇବା ଜିଡିପିରେ ୟାର ଯୋଗଦାନ ପ୍ରାୟତଃ ୧୩ ଶତାଂଶ ଅଛି ବୋଲି ଜାଣିବାକୁ ପାଇବା । କରୋନା ମହାମାରୀର ବିଭୀଷିକା କାରଣରୁ ଦେଶର ମୋଟ ଘରୋଇ ଉତ୍ପାଦ ହ୍ରାସପାଇ ୫.୨ ପ୍ରତିଶତରେ ସ୍ଥିର ରହିଛି । ଏ ସଂକ୍ରାନ୍ତରେ କହିବା ବାହୁଲ୍ୟ ଯେ, ୧୯୭୯-୮୦ର ପରିସଂଖ୍ୟାନ ଏହା ପ୍ରାୟତଃ ସମାନ ରହିଛି । ତେବେ ସେହି ବର୍ଷ କୃଷିର ମୋଟ ଘରୋଇ ଉତ୍ପାଦରେ ୧୨.୮ ପ୍ରତିଶତ ନକାରାତ୍ମକ ବୃଦ୍ଧି ଘଟି ରେକର୍ଡ ସୃଷ୍ଟି ହୋଇଥିଲା ।
ଭାରତର ଅର୍ଥବ୍ୟବସ୍ଥା ପାଇଁ ଆଶ୍ୱସନାର ବିଷୟଟି ହେଉଛି ଯଦିଓ ମୋଟ ଘରୋଇ ଉତ୍ପାଦ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି ତଥାପି କୃଷି ଉତ୍ପାଦନ ହାର ଉପରମୁହାଁ ହେବାରେ ଲାଗିଛି । ଜାତୀୟ ପରୀସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ଜାରି ପରିସଂଖ୍ୟାନ ତଥ୍ୟରୁ ଜଣାପଡେ ଯେ, ଯଦି କେବେ ଦେଶର ଅର୍ଥନୀତିକୁ ନେଇ ଚଚ୍ଚା ବେଶ୍ ସରଗରମ ରହେ ତେବେ ତାହା କେବଳ କୃଷି କ୍ଷେତ୍ରକୁ ନେଇ ।
ଆମ ଦେଶରେ ରବି ଫସଲ ଯଥା-ଗହମ, ଡାଲି ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀର ଉତ୍ପାଦନ ୧୫୧.୭୨ ମିଲିୟନ ଟନ ବୋଲି ଆକଳନ କରାଯାଇଛି,ଯାହାକି ଗତବର୍ଷ ତୁଳନାରେ ୫.୬ ପ୍ରତିଶତ ଅଧିକ । ଯଦିଓ ସୋରିଷର ଉତ୍ପାଦନ ୩.୨ ପ୍ରତିଶତ ହ୍ରାସପାଇ ୧୦.୪୯ ମେଟ୍ରିକ ଟନରେ ସ୍ଥିର ରହିଛି ତଥାପି ରବି ଋତୁକାଳୀନ ସବୁଜ ପନିପରିବାରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳୁଛି । ବିଶେଷକିର ପିଆଜ, ଟମାଟର, ବିନ ଓ ଆମ୍ବ ଅଙ୍ଗୁର ଓ ତରଭୁଜ ଇତ୍ୟାଦି ଫଳ ଉତ୍ପାଦନରେ ଆଖିଦୃଶିଆ ବୃଦ୍ଧି ପରିଲକ୍ଷିତ ହୋଇଛି ।
କୃଷି ବ୍ୟତୀତ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରଗୁଡିକରେ ମଧ୍ୟ ଚଳିତ ବର୍ଷ ଏପ୍ରିଲ ଓ ମଇ ମାସରେ ୪.୫ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ବର୍ଷାଋତୁ ସମୟରେ ଅଧା ବୃଷ୍ଟିପାତ ହେବା ଫଳରେ ଆଗାମୀ ଦିନରେ ଭଲ ଫସଲ ଅମଳ ହେବ ବୋଲି ଆଶା ଉଜ୍ଜିବୀତ ହୋଇଛି । ସେମିତି ଗତ ତିନିମାସ ମଧ୍ୟରେ ଦୁଗ୍ଧ ଉତ୍ପାଦନ ମଧ୍ୟ ଗଲାବର୍ଷ ତୁଳନାରେ ବୃୃଦ୍ଧିପାଇଛି । ୨୦୧୯ରେ ମହାରାଷ୍ଟ୍ର ଓ ଦକ୍ଷିଣ ଭାରତର ଅଧିକାଂଶ ଭାଗରେ ଉକ୍ରଟ ମରୁଡିଜନିତ ସ୍ଥିତି ଉପୁଜିବାରୁ ଗୋ-ଦୁଗ୍ଧ ମୂଲ୍ୟ ଲିଟରପିଛା ଦଶଟଙ୍କାକୁ ବୃଦ୍ଧି ପାଇଥିଲା । ଏବେ ବର୍ଷାଋତୁରେ ଆଶାନୁରୂପ ବୃଷ୍ଟିପାତ ହୋଇଥିବାରୁ ଗୋ-ଖାଦ୍ୟର କୌଣସି ସମସ୍ୟା ସୃଷ୍ଟି ହେବାର ପ୍ରଶ୍ନ ଉଠୁନାହିଁ । ତେଣୁ ଦୁଗ୍ଧ ଯୋଗାଣରେ ପର୍ଯ୍ୟାପ୍ତ ହେବ ବୋଲି ଆଶା କରାଯାଉଛି ।
ଭାରତୀୟ ଅର୍ଥବ୍ୟବସ୍ଥା ଆଗଭଳି ଅର୍ଥାତ ଲକଡାଉନ ପୂର୍ବର ସ୍ୱାଭାବିକ ସ୍ଥିତିକୁ ଦ୍ରୁତ ଗତିରେ ଫେରିଆସୁଛି ବୋଲି ଗୁଗଲ ପ୍ରଯୁକ୍ତି ପକ୍ଷରୁ ଜାରି କୋବିଡ-୧୯ ମୋବିଲିଟି ରିପୋର୍ଟରେ ପରିଷ୍କାର ଭାବେ ଦର୍ଶାଯାଇଛି । ସମଗ୍ର ବିଶ୍ୱର ବଛାବଛା ମୋଟ ୧୩୧ଟି ଦେଶଗୁଡିକର ସର୍ବେକ୍ଷଣ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ ଦୁନିଆର ସବୁଠୁ ଲମ୍ବା ଲକ୍ଡାଉନ ଜାରି ହେବାପରେ ବି ଭାରତ ପ୍ରଥମ ପାଚାଶଟି ଶକ୍ତିଶାଳୀ ଦେଶ ମଧ୍ୟରେ ପରିଗଣିତ ହୋଇଛି ।
ଏହାର ଅର୍ଥବ୍ୟବସ୍ଥା ତୀବ୍ର ବେଗରେ ସ୍ୱାଭାବିକ ସ୍ଥିତି ଆଡେ ମୁହାଁଇଛି । ବିଶେଷକରି ଖୁଚୁରା ବ୍ୟବସାୟ,ତେଜରାତି ସାମଗ୍ରୀ,ଔଷଧ ,ପରିବହନ ଓ ବ୍ୟାଙ୍କ ଆଦି କ୍ଷେତ୍ର ଲଡଡାଉନ ଫଳରେ ପୂର୍ବଭଳି ସ୍ଥିତି ଅପେକ୍ଷା ଭଲ ପ୍ରଦର୍ଶନ କରିବା ଲାଗି ପ୍ରୟାସରତ ଥିବା ଜଣାପଡିଛି । ଲକଡାଉନ ହଟିଯିବା ଫଳରେ ଚଳିତ ଆର୍ଥିକ ବର୍ଷ ଜୁନ ମାସରେ ବସ୍ତୁ ଓ ସେବାକର ଅର୍ଥାତ ଜି.ଏସ.ଟି ସଂଗ୍ରହ ୯୦, ୯୧୭ କୋଟି ହୋଇପାରିଛି । ଗଲା ମେ ମାସରେ ସରକାରଙ୍କୁ ଜିଏସଟି ବାବଦ ୬୨,୦୦୯ କୋଟି ଓ ଅପ୍ରେଲ ମାସରେ କେବଳ ୩୨,୨୦୪ କୋଟି ଟଙ୍କା ରାଜସ୍ୟ ମିଳିଥିଲା ।
ଆଗକୁ ଅର୍ଥବ୍ୟବସ୍ଥାକୁ ସୁରକ୍ଷିତ ରଖିବାରେ ଗ୍ରାମୀଣ ଭାରତ ଓ କୃଷିକ୍ଷେତ୍ର ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ଅର୍ଥଶାସ୍ତ୍ର ବିଷାରଦମାନେ ମତ ପୋଷଣ କରିଛନ୍ତି ।
ଅର୍ଥନୀତି ବିଶେଷଜ୍ଞଙ୍କ ଆକଳନ ଆଧାରରେ ଯେଉଁଭଳି ଭାବରେ ସହରାଂଚଳରେ କରୋନା ଭୂତାଣୁ ତାର କାୟା ମେଲାଇ ଚାଲିଛି ଶିଳ୍ପ ଓ ପ୍ରଯୁକ୍ତିକ୍ଷେତ୍ର ଏବଂ ସେବାକ୍ଷେତ୍ର ଖୁବ୍ଶୀଘ୍ର ମାନ୍ଦା ଅବସ୍ଥା ଆଡକୁ ଠେଲି ହୋଇଯିବ ବୋଲି ଜଳଜଳ ହୋଇ ଦିଶୁଛି । କେବଳ କୃଷି କ୍ଷେତ୍ର ହିଁ ଏକମାତ୍ର କ୍ଷେତ୍ର ଯାହା ଅର୍ଥବ୍ୟବସ୍ଥାକୁ ସଂକଟରୁ ରକ୍ଷା କରିପାରିବ । ତେବେ ଏକଥା ଅବଶ୍ୟ ସତ ଯେ ଗ୍ରାମାଂଚଳରେ କରୋନା ଭୂତାଣୁ ସଂକ୍ରମଣର ପ୍ରଭାବ ସେତେଟା ନାହିଁ । ପୁଣି ଗ୍ରାମାଂଚଳରେ ରବିଫସଲ କଟାକଟି ଓ ଅମଳ ସ୍ପାଭାବିକ ଭାବେ ଚାଲୁରହିଛି । ରବିଫସଲ ଅମଳ ସଂକ୍ରାନ୍ତ ପରିସଂଖ୍ୟାନଗତ ତଥ୍ୟ ବେଶ୍ ଉତ୍ସାହଜନକ ।
ଖାଲି ସେତିକି ନୁହେଁ ଚାଷୀମାନଙ୍କୁ ଲକଡାଉନର କୁପ୍ରଭାବରୁ ରକ୍ଷା କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିବିଧ ସହାୟତାଭିତିକ ପ୍ରଗତିଶୀଳ ଯୋଜନା ପ୍ରଣୟନ କରିଛନ୍ତି,ଯଦ୍ୱାରା ଗ୍ରାମାଂଚଳଗୁଡିକ ଯଥେଷ୍ଟ ଫାଇଦା ପାଇପାରିବେ । ବିଶେଷତଃ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନୁଯାୟୀ ଦୁଇହଜାର ସହାୟତା ରାଶୀ ଦୁଇଟି କିସ୍ତିରେ ଚାଷୀଙ୍କ ଜମାଖାତାକୁ ଯିବାର ବ୍ୟବସ୍ଥା ରହିଛି । ସେହିପରି ଉଜ୍ଜ୍ୱଳା ଯୋଜନା ମୁତାବକ ରନ୍ଧନଗ୍ୟାସ ସଂଯୋଗ ପାଇଥିବା ବ୍ୟକ୍ତିଙ୍କୁ ତିନୋଟି ସିଲିଣ୍ଡର ମାଗାଣାରେ ପ୍ରଦାନ କରାଯିବାର ପ୍ରାବଧାନ ରହିଛି । ତାହାଛଡା,ସେମାନଙ୍କୁ ପ୍ରତିମାସରେ ରାସନ ସାମଗ୍ରୀ ଯଥା-ଚାଉଳ,ଅଟା ଓ ଡାଲି ମାଗାଣାରେ ବଂଟାଯାଉଛି ,ଯେମିତି କି ସେମାନଙ୍କୁ ଆଗକୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡେ ।
ସେପଟେ ଜୁନମାସରେ ଗ୍ରାମାଂଚଳରେ ଟ୍ରାକ୍ଟର ବିକ୍ରିରେ ରେକର୍ଡ ସୃଷ୍ଟି ହୋଇଛି ବୋଲି ସଦ୍ୟ ପ୍ରକାଶିତ ପରିସଂଖ୍ୟାନରୁ ଜଣାପଡିଛି । ମୋଟାମୋଟି ଦେଶରେ ପ୍ରତିଷ୍ଠିତ ସବୁ ଟ୍ରାକ୍କଟ କମ୍ପାନୀଙ୍କ ଟ୍ର୍ାକ୍ଟର ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଟ୍ରାକ୍ଟର ଛଡା,ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଯାନର ବିକ୍ରରେ ମଦ୍ୟ ଅଭୂତପୂର୍ବ ବିକ୍ର ପରିଲକ୍ଷିତ ହୋଇଛି ।
ଏମିତିରେ ଦେଖିଲେ ଆମ ଦେଶର ୭୦ ପ୍ରତିଶତ ଶ୍ରମଶକ୍ତି କେବଳ ଗ୍ରାମାଂଚଳରେ ହିଁ ରହିଛି । ବିଶେଷକରି ମନେରଗା ଗ୍ରାମୀଣ ଭାରତକୁ ସଶକ୍ତ କରିବାରେ ସହାୟ ହୋଇପାରିଛି । ତେବେ ଏପର୍ଯ୍ୟନ୍ତ କରୋନା ଦାଣ୍ଡବ ଥମିନାହିଁ । ତଥାପି ଆମକୁ ଏହି ବିଧ୍ୱଂସକାରୀ ଭୂତାଣୁ ସହିତ ଚଳିବାକୁ ପଡିବ । ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ସଙ୍ଗେସଙ୍ଗେ ଆହୁରି ଅଧିକ ଉତ୍ପାଦନ ଓ ଉପଯୋଗ କରିବାର ଉପାୟ ଆପଣାଇବାକୁ ହେବ ।