କିମ୍ବଦନ୍ତୀ ହେଲା ଗୋଟେ ଚରିତ୍ର ବା ସ୍ଥାନ ବା ଘଟଣା ଉପରେ ଗଢ଼ିଉଠିଥିବା ଗଳ୍ପ, ଯେଉଁଠି ହୁଏତ ଚରିତ୍ର କିମ୍ବା ସ୍ଥାନ କିମ୍ବା ଘଟଣାଟି ସତ କିନ୍ତୁ ସମୟକ୍ରମେ ସେଥିରେ ଅନେକଙ୍କର ଅନେକ କଳ୍ପନାର ପୁଟ ମାଖି ହୋଇ ଯାଇଛି । ସାଧାରଣ ଲୋକେ କିମ୍ବଦନ୍ତୀକୁ ପୂରାପୂରି ବିଶ୍ୱାସ କରନ୍ତି ନାହିଁ, ପୁଣି ପୂରାପୂରି ଅବିଶ୍ୱାସ ମଧ୍ୟ କରନ୍ତି ନାହିଁ । ବିଶ୍ୱାସ ଅବିଶ୍ୱାସର ମଝାମଝିରେ ତାର ଅବସ୍ଥାନ ।
ମାଇଥୋଲଜି ବା ପୁରାଣରେ କିନ୍ତୁ ଯେଉଁ ସବୁ ଚରିତ୍ରର କଥା କୁହାଯାଏ- ସେଥିରୁ ଅଧିକାଂଶ ସମ୍ପୂର୍ଣ୍ଣ କଳ୍ପନା ପୁରାଣର ଚରିତ୍ରମାନଙ୍କର ଉଦ୍ଦେଶ୍ୟ ଭିନ୍ନ । ତଥ୍ୟ ସମ୍ପ୍ରସାରଣ ନୁହେଁ ତତ୍ୱର ସମ୍ପ୍ରସାରଣ ସେମାନଙ୍କ ଲକ୍ଷ୍ୟ । ସମସ୍ୟା ହୁଏ ଯେତେବେଳେ ଲୋକେ କିମ୍ବଦନ୍ତୀ, ପୁରାଣ ଆଉ ଇତିହାସ- ଏ ତିନୋଟିକୁ ଗୋଳିଆମିଶା କରି ଦିଅନ୍ତି । କିମ୍ବଦନ୍ତୀ ଏବଂ ପୁରାଣକୁ ଇତିହାସ ବୋଲି କହିଲେ ବା ପରିଣତ କରିବାର ଚେଷ୍ଟା କଲେ- ବାର ସମସ୍ୟା । ଜଣେ ସାଧାରଣ ଲୋକ ଏହା କଲେ ବି ଠିକ୍ ଅଛି । ହେଲେ ଯେତେବେଳେ ଗଣମାଧ୍ୟମ, ରାଜନୈତିକ ଦଳ ଏବଂ/କିମ୍ବା ସମାଜର ସଂଖ୍ୟା ଗରିଷ୍ଠ ଲୋକ ଏହା କରନ୍ତି ତେବେ ଏହା ବଡ଼ ସମସ୍ୟା ସୃଷ୍ଟି କରିପାରେ । ସମସ୍ୟା ହେଲା ସତ୍ୟର ସ୍ୱରୂପକୁ ନେଇ । ସାମ୍ବାଦିକ ଓ ସମାଜତତ୍ୱବିଦ୍ ଭାରତ ଡୋଗ୍ରା କହନ୍ତି: ଅନ୍ବାୟାସ୍ଡ ଐତିହାସିକମାନେ ଯେଉଁମାନେ ବୈଜ୍ଞାନିକ ପଦ୍ଧତିରେ ଗବେଷଣା କରନ୍ତି- ସେମାନେ ଏ କ୍ଷେତ୍ରରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ପାରନ୍ତି । ସେମାନେ ପୁରାଣ କିଏ ଆଉ ଇତିହାସ କିଏ- ତାହା ସ୍ପଷ୍ଟ ଭାବେ କହି ଦେଇ ପାରନ୍ତି । କିନ୍ତୁ ଐତିହାସକିମାନେ ଯଦି ଏହା ନିିଷ୍ଠାପର ଭାବେ ନ କହନ୍ତି ତେବେ ପୁରାଣ ଆଉ ଇତିହାସ ଏକା ହୋଇଯିବ । ବାସ୍ତବ ଓ କଳ୍ପନା ଏକାଠି ମିଶିଯିବ । ଆଉ ଏହା ସମାଜରେ ଏକ ବଡ଼ ସମସ୍ୟା ସୃଷ୍ଟି କରି ପାରେ ।
ଖାଲି ପାଦରେ ଚାଲନ୍ତୁ
ଆମ ଅଜା ଜେଜେ କହୁଥିଲେ ଏବେ ବୈଜ୍ଞାନିକମାନେ ବି କହିଲେଣି: ଅନ୍ୟ କିଛି ଅସୁବିଧା ନ ଥିଲେ ଯେତେ ସମୟ ସମ୍ଭବ ଖାଲି ପାଦରେ ଚାଲନ୍ତୁ । ପ୍ରକୃତି ସହିତ ଏକାତ୍ମ ହେବା ଛଡ଼ା ଏହାର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ରହିଛି । ଏହାଦ୍ୱାରା ମାନସିକ ଚାପ କମିପାରେ । ଶରୀରର ରକ୍ତ ସଂଚାଳନ ଭଲ ହୋଇପାରେ । ନିଦ ଭଲ ହେବାରେ ସାହାଯ୍ୟ କରେ । ଆଉ ଏନର୍ଜି ଲେବୁଲ୍ ବା ଉର୍ଜାର ସ୍ତରକୁ ଉନ୍ନତି ରଖିବାରେ ସାହାଯ୍ୟ କରେ । କେତେକ କ୍ଷେତ୍ରରେ ଗୋଡ଼, ଆଣ୍ଠୁ, ଅଣ୍ଟାବଥା ମଧ୍ୟ କମ କରିବାରେ ସାହାଯ୍ୟ କରିପାରେ ।
ବୈଜ୍ଞାନିକମାନେ କହନ୍ତି ଜୋତା ପିନ୍ଧିବା ଆମର ନ୍ୟାଚୁରାଲ ବାୟୋମେକାନିକ୍ସର ପରିପନ୍ଥୀ । ଆମ ଦେହରେ ଯେତେ ହାଡ଼ ଅଛି, ସେଥିରେ ଚାରି ଭାଗରୁ ଭାଗେ ଅଛି ଗୋଡ଼ରେ । ଜୋତା ପିନ୍ଧି ରହିଲେ ହାଡ଼ ଗୁଡ଼ିକ ଯେମିତି ମୁଭ୍ମେଣ୍ଟ୍ କରିବା କଥା- ସେମିତି କରି ପାରନ୍ତି ନାହିଁ । ଏହାଫଳରେ ଗୋଡ଼ରେ ଆଣ୍ଠୁରେ ଯନ୍ତ୍ରଣା ହୋଇପାରେ ।
ଖାଲି ଗୋଡ଼ରେ ଚାଲିଲେ ପାଦରେ ଥିବା ମାଂସପେଶୀର ମେସେଜ୍ ହୋଇଯାଏ । ଯାହା ଫଳରେ ଗୋଡ଼ରେ ରକ୍ତ ସଂଚାଳନ ଭଲ ହୁଏ । ଆଉ ଆପଣଙ୍କ ପୋସ୍ଚର୍ ବା ଠିଆ ହେବାର ଭଂଗୀ ଭଲ ହୁଏ । ତେଣୁ ଦିନରେ ଅନ୍ତତଃ କିଛି ସମୟ ଖାଲି ପାଦରେ ଚାଲନ୍ତୁ ।
ଖବରକାଗଜର ବିଭିନ୍ନ ବ୍ୟବହାର
ଖବରକାଗଜକୁ ପଢ଼ିବା ଛଡ଼ା ଆହୁରି ବିଭିନ୍ନ କାମରେ ବ୍ୟବହାର କରାଯାଏ । ଜିନିଷପତ୍ର ନେବା ପାଇଁ ଠୁଙ୍ଗା ତିଆରିରୁ ବସ୍ଟ୍ରେନ୍ରେ ସିଟ୍ ରଖିବା ପାଇଁ ପକେଇବାଠୁଁ ପିଲାର ମଳ ସଫା କରିବା- ବହୁତ କାମରେ ବ୍ୟବହାର ହୁଏ ଖବରକାଗଜ । ମଳ କଥାରୁ ମନେ ପଡ଼ିଲା- କରୋନା ସମୟରେ ବହୁ ପାଶ୍ଚାତ୍ୟ ଦେଶରେ ଟୟଲେଟ୍ ପେପର୍ର ଅଭାବ ଦେଖାଦେଲା । ସେ ସମୟରେ ଅଷ୍ଟ୍ରେଲିଆର ଗୋଟେ ଖବରକାଗଜ (ଏନ୍ଟି ନିଉଜ୍)ଆଠ ପୃଷ୍ଠା ଅଧିକ କାଗଜ ଛାପି ତାକୁ ଟୟଲେଟ୍ ପେପର୍ ଭାବରେ ବ୍ୟବହାର କରନ୍ତୁ ବୋଲି ପାଠକମାନଙ୍କୁ କହିଲେ । କାଶ୍ମୀର ଶ୍ରୀନଗରରୁ ବାହାରୁଥିବା ଉର୍ଦ୍ଦୁ ଖବରକାଗଜ ରୋଶନି ମୁଖା ପିନ୍ଧିବା କ୍ଷେତ୍ରରେ ଜନ ସଚେତନା ସୃଷ୍ଟି କରିବା ପାଇଁ ଖବରକାଗଜ ସହିତ ଗୋଟିଏ ଲେଖାଁଏ ମୁଖା ଦେବାର ବି ବ୍ୟବସ୍ଥା କରିଥିଲେ ।
ଗପ ଶୁଣନ୍ତୁ
ଭୁବନେଶ୍ୱରର ବକୁଲ୍ ସଂସ୍ଥା କରୋନାକାଳୀନ ଲକ୍ଡାଉନ୍ ସମୟରେ ପିଲାମାନଙ୍କୁ ଗପ ଶୁଣେଇବା ପାଇଁ ଗୋଟେ ଭଲ ଉଦ୍ୟମ କରିଛନ୍ତି । ଅଗଷ୍ଟ ମାସ ସାରା ପ୍ରତି ଶନିବାର ରାତି ନଅଟାରେ ସେମାନେ ଅନ୍-ଲାଇନ୍ ଗପ କହିବା ଅନୁଷ୍ଠାନର ଆୟୋଜନ କରିଛନ୍ତି । ଏଥିରେ ସାରା ବିଶ୍ୱର ବଛାବଛା ଗାଳ୍ପିକମାନେ ପିଲାମାନଙ୍କୁ ସେମାନେଙ୍କ ଦେଶର ଗଳ୍ପ ଶୁଣେଇବେ । ଫେସ୍ବୁକ୍, ଇଉ ଟିଉବ ଆଉ ଟୁଇଟର୍ରେ ଏହାକୁ ଜଣେ ଶୁଣିପାରିବ । ସେଥଇପାଇଁ ବକୁଲ୍ର ଏଇ ସବୁ ପେଜ୍କୁ ଫଲୋ/ଲାଇକ୍ କରିବାକୁ ପଡ଼ିବ ।
କାଡ଼ା
କରୋନା ବେଳେ ଦୁଇଟି ଜିନିଷର କାଟ୍ତି ଖୁବ୍ ବଢ଼ିଛି । ଗୋଟେ ହେଲା ସାନିଟାଇଜର୍ ଆଉ ଗୋଟେ ହେଲା କାଡ଼ା । ସାନିଟାଇଜର୍ ବୋଲି ଗୋଟେ ଜିନିଷ ଏ ମହୀରେ ଅଛି, ତାହା ମୋ ଭଳିଆ ଅନେକେ ବିଲକୁଲ ଜାଣିନଥିଲେ । କରୋନା ଆସି ଶିଖେଇଲା । କାଡ଼ା ଜିନିଷଟା ଲୋକେ ଅଳ୍ପେ ବହୁତେ ଜାଣିଥିଲେ । ଥଣ୍ଡା-ସର୍ଦ୍ଦି ହେଲେ କାହା କାହା ଘରେ ଏହାକୁ ତିଆରି କରି ପିଉଥିଲେ । ହେଲେ କରୋନା ବ୍ୟାପିବା ପରଠୁଁ ଆଉ ମନ୍ତ୍ରୀମାନେ ସୁଦ୍ଧା ଏହାର ଗୁଣଗାନ କରିବା ପରଠୁଁ କାଡ଼ା ବେଶି ଫୁଟେଜ୍ ପାଇଛି । ସମସ୍ତେ ବିଭିନ୍ନ ପ୍ରକାରର କାଡ଼ା ପିଉଛନ୍ତି ।