Odisha news

ଶ୍ରୀରାମଚନ୍ଦ୍ର ଦାଶ : ଏକ ବିରଳ ବ୍ୟକ୍ତିତ୍ୱ , ୨୬ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ….

0

ହିମାଂଶୁ ଶେଖର ଆଚାର୍ଯ୍ୟ : ବ୍ୟକ୍ତି ସମକାଳର, ବ୍ୟକ୍ତିତ୍ୱ ଚିରକାଳର । ଆଦର୍ଶ ବ୍ୟକ୍ତିତ୍ୱର ମହକ ବିଚ୍ଛୁରିତ ହୋଇପଡେ ସମାଜରୁ ରାଷ୍ଟ୍ରକୁ । ସେମିତି ଜଣେ ଆଦର୍ଶ ବ୍ୟକ୍ତିତ୍ୱ ଥିଲେ ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ । ଏକାଧାରରେ ସେ ଥିଲେ ଜଣେ ପ୍ରବୀଣ ଅଧ୍ୟାପକ, ସୁସାହିତି୍ୟକ, ଦକ୍ଷ ସଂଗଠକ, ବିଶିଷ୍ଟ ଗବେଷକ, ଉଚ୍ଚକୋଟୀର ବାଗ୍ମୀ ତଥା ସୁନାମଧନ୍ୟ ଅଧିବକ୍ତା । ଜ୍ଞାନର ଅସରନ୍ତି ଭଣ୍ଡାର ଥିଲେ ସେ । ଯଥାର୍ଥରେ ସେ ଥିଲେ ଜଣେ ପ୍ରଜ୍ଞାପୁରୁଷ । ଯେଉଁଥିପାଇଁ ସେ ଜଣେ ସାଧାରଣ ବ୍ୟକ୍ତି ନଥିଲେ ସେ ଥିଲେ ଓଡିଆ ଜାତିର ଏକ ଜୀବନ୍ତ ଅନୁଷ୍ଠାନ ।
ଶ୍ରୀରାମଚନ୍ଦ୍ର ଦାଶ ୧୯୧୮ ମସିହା ନଭେମ୍ବର ୧୭ ତାରିଖରେ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ସୁକିଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ହାଡିବନ୍ଧୁ ଦାଶ ଓ ମାତାଙ୍କ ନାମ ଥିଲା ବିମଳା ଦେବୀ ।

ବାଲ୍ୟକାଳରୁ ଅସାଧାରଣ ମେଧା ଓ ପ୍ରତିଭାର ଅଧିକାରୀ ଥିଲେ ସେ । ପରିବାରର ଆର୍ଥିକ ଦୂରବସ୍ଥା ଓ ପ୍ରତିକୂଳ ପରିସ୍ଥିତି ତାଙ୍କ ପ୍ରତିଭାର ଉନ୍ମେଷ ଦିଗରେ ପ୍ରତିବନ୍ଧକ ସାଜି ନଥିଲା । ପ୍ରାଥମିକ ଅବସ୍ଥାରେ ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ମିଶ୍ର, ପଣ୍ଡିତ କୁଳମଣି ଦାଶ ଓ ପରେ ଶିକ୍ଷାଗୁରୁ ମହିମ ଚନ୍ଦ୍ର ନନ୍ଦୀ, ବିଜନ ବିହାରୀ ରାୟ, କବି ବୈକୁଣ୍ଠନାଥ ପଟ୍ଟନାୟକ, ପଦ୍ମଭୂଷଣ ରାଧାନାଥ ରଥ ଓ ଆନ୍ତାର୍ଜାତିକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ସମୟୋପଯୋଗୀ ସାହାଯ୍ୟ, ସହଯୋଗ ଓ ସହାନୁଭୂତିକୁ ପାଥେୟ କରି ନିଜର ଅନନ୍ୟ ପ୍ରତିଭାର ପରାକାଷ୍ଠା ଦେଖାଇ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

୧୯୨୫ ମସିହାରେ ଓଚିନ୍ଦା ପ୍ରାଥମିକ ବିଦ୍ୟାଳୟରୁ ବାଲ୍ୟ ଶିକ୍ଷା ଆରମ୍ଭ କରିଥିଲେ ଶ୍ରୀରାମ । ପରେ ୧୯୨୮ ରୁ ୧୯୩୧ ମସିହା ପର୍ଯ୍ୟନ୍ତ ବାଲିକୁଦା ବିଦ୍ୟାଳୟରି ମଧ୍ୟ ଇଂରାଜୀ ଶିକ୍ଷା ଓ ୧୯୩୨ ରୁ ୧୯୩୬ ପର୍ଯ୍ୟନ୍ତ ରେଭେନ୍ସା କଲିଜିଏଟ୍ ସ୍କୁଲରୁ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ ସେ । ଏହି ସମୟରେ ଶ୍ରୀରାମ ନିଜ ପ୍ରତିଭାର ପ୍ରମାଣ ଦେଇଥିଲେ । ସେଥିପାଇଁ ସେଦିନ ସମାଜ ପୃଷ୍ଠାରେ ସ୍ୱତନ୍ତ୍ର ସମ୍ବାଦ ପ୍ରକାଶିତ ହୋଇଥିଲା । ତାହାର ଶୀର୍ଷକ ଥିଲା – ‘ପ୍ରବେଶିକା ପରୀକ୍ଷାରେ ଓଡିଆ ଛାତ୍ର ବିଶ୍ୱବିଦ୍ୟାଳୟରେ ପ୍ରଥମ’ । ଏହି ଫଳାଫଳ ଅପ୍ରତ୍ୟାଶିତ ନଥିଲା । ଏହା ଥିଲା ତାଙ୍କ ଅସାଧାରଣ ମେଧା ଓ ଅତନ୍ଦ୍ର ସାଧନାର ସ୍ୱୀକୃତି ।

ଏହା ପରଠାରୁ ସେ ଆଉ ପଛକୁ ଫେରିନଥିଲେ । ତା’ ପରର ଘଟଣା ଥିଲା ସ୍ୱର୍ଣ୍ଣାଭ ଇତିହାସ । । ଏହାପରେ ସେ ୧୯୩୬ ରୁ ୧୯୪୦ ରେଭେନ୍ସା କଲେଜରୁ ସ୍ନାତକ ଓ ୧୯୪୦ ରୁ ୧୯୪୨ ପାଟନା ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା କୃତିତ୍ୱର ସହ ଶେଷ କରିଥିଲେ । ଏହା ପରେ ୧୯୫୩ ମସିହା ସେପ୍ଟେମ୍ବର ୨୨ ତାରିଖରୁ ୧୯୫୫ ମସିହା ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ଡକ୍ଟରେଟ୍ ଉପାଧି ପାଇଁ ସେ ବର୍ଲିନ୍ ଯାତ୍ରା କରିଥିଲେ ଓ ସେଠାରେ ମାତ୍ର ୧୬ ମାସ ଭିତରେ ଦୁଇବର୍ଷର ଗବେଷଣା କାର୍ଯ୍ୟ ଶେଷ କରି ନିଜର ଅଗାଧ ପାଣ୍ଡିତ୍ୟର ପ୍ରମାଣ ଦେଇଥିଲେ ।
୧୯୪୮ ମସିହାରେ ଭାରତର ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆଇ.ଏ.ଏସ୍ ଓ ଆଇ.ପି.ଏସ୍ ଚାକିରୀ ସୃଷ୍ଟି କଲେ । ପ୍ରଥମେ ବିଭିନ୍ନ ବିଭାଗରୁ ଲୋକଙ୍କ ବାଛି ଆଇ.ଏ.ଏସ୍ରେ ନିଯୁକ୍ତି ଦିଆଗଲା । ଏଥିପାଇଁ ଗୋଟିଏ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳ ଭାରତର ବିଭିନ୍ନ ସ୍ଥାନକୁ ଯାଇ ପ୍ରାର୍ଥୀ ବାଛିଲେ । ପ୍ରଥମ ଦଳ ୧୯୪୮ରେ ବଛା ହୋଇ ତାଲିମ ପାଇଁ ପଠାଗଲା । ଶ୍ରୀରାମଚନ୍ଦ୍ର ଦାଶ ପ୍ରଥମ ଦଳରେ ବଛା ହୋଇଥିଲେ ଓ ତାଙ୍କୁ ନିଯୁ୍କ୍ତିପତ୍ର ମିଳିଥିଲା । ସେହି ଅନୁସାରେ ତାଙ୍କୁ ୧୯୪୯ ଜାନୁୟାରୀ ୧୫ ତାରିଖ ସୁଦ୍ଧା ଦିଲ୍ଲୀର ତାଲିମ କେନ୍ଦ୍ରରେ ଯୋଗଦେବା ପାଇଁ ନିଦେ୍ର୍ଦଶ ଥିଲା । ମାତ୍ର ଷଡଯନ୍ତ୍ରର ଶୀକାର ହେଲେ ଶ୍ରୀରାମଚନ୍ଦ୍ର ଦାଶ । ଗୁଇନ୍ଦା ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ଗୁପ୍ତ ରିପୋର୍ଟରତେ ଜଣାଇ ଦିଆଗଲା ଯେ ଶ୍ରୀରାମ ଦାଶ ଜଣେ କମୁ୍ୟନିଷ୍ଟ ଓ ତାଙ୍କୁ ଆଇ.ଏ.ଏସ୍ ରେ ନେଲେ ରାଷ୍ଟ୍ରର ନିରାପତ୍ତା ବିପନ୍ନ ହେବ । ଫଳରେ ତାଙ୍କର ନିଯୁକ୍ତିପତ୍ର ରଦ୍ଧ ହେଲା ।

ତଥାପି ଏଥିରେ ଦବି ନଯାଇ ଅଧ୍ୟାପନାକୁ ଆପଣେଇ ନେଇଥିଲେ ସେ । ଯଥାର୍ଥରେ ସେ ଥିଲେ ସରସ୍ୱତୀଙ୍କର ବରପୁତ୍ର । ଅର୍ଥନୀତି ବିଭାଗର ଅଧ୍ୟାପକ ରୂପେ ସେ ନିଜର କର୍ମମୟ ଜୀବନ ଆରମ୍ଭ କରି ବେଶ୍ ସଫଳ ହୋଇଥିଲେ । ଜଣେ ପ୍ରବୀଣ ଅଧ୍ୟାପକ ଭାବେ ରାଜ୍ୟରେ ଓ ଜାତୀୟ ସ୍ତରରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ତାଙ୍କ ଉଦ୍ୟମରେ ୧୯୫୮ ମସିହାରେ ଓକôଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଏକ ସ୍ୱତନ୍ତ୍ର ପାଠ୍ୟ ବିଷୟ ରୂପେ ଗୃହିତ ହୋଇ ଅଧ୍ୟାପନା ଆରମ୍ଭ ହେଲା । ୧୯୬୩ ମସିହା ଜୁଲାଇ ୧୭ ତାରିଖରୁ ୧୯୭୫ ମସିହା ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସେ ରାଜନୀତି ବିଜ୍ଞାନର ଅଧ୍ୟାପକ ଓ ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟକରି ଅନେକ ଯଶ ଓ ଖ୍ୟାତିର ଅଧିକାରୀ ହୋଇପାରିଥିଲେ । ଭାଗ୍ୟର ବିଡମ୍ବନା ଯେ ୧୯୭୫ ମସିହା ଡିସେମ୍ବର ୨୩ ତାରିଖରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।

ଅବସର ଗ୍ରହଣ ପରେ ଚୁପ୍ ହୋଇ ବସି ରହିନଥିଲେ ଡକ୍ଟର ଦାଶ । ଭବିଷ୍ୟତ ବିପଦକୁ ସାମ୍ନାରେ ଦେଖିପାରୁଥିଲେ ସେ । ତେଣୁ ୧୯୬୦ରେ ଆଇନ୍ର ୍ପ୍ରଥମ ଭାଗ ଓ ୧୯୬୧ରେ ଆଇନର ଦ୍ୱିତୀୟ ଭାଗ ପରୀକ୍ଷାରେ ଘରୋଇ ଭାବେ ପରୀକ୍ଷାଦେଇ ପ୍ରଥମ ଶ୍ରେଣୀରେ ଏକମାତ୍ର ଭାବେ ଏଲ୍.ଏଲ.ବି ଉପାଧି ଅର୍ଜନ କରିଥିଲେ । ଏହି ଉପାଧିର ସଦୁପଯୋଗ କରି ୧୯୭୬ ମଇ ମାସ ୧୩ ତାରିଖରୁ ସେ ଓକିଲାତି ଆରମ୍ଭ କଲେ । ଅଧ୍ୟାପକ ଥିଲା ବେଳେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସଫଳତା ତାଙ୍କୁ ଯେତିକି ଆନନ୍ଦ ଦେଇଥିଲା ଓକିଲାତିରେ ମଧ୍ୟ ମୋକଦ୍ଦମାରେ ବିଜୟ ହାସଲ କରି କାହା ମୁହଁରେ ହସ ଫୁଟାଇଲେ, ତାହା ତାଙ୍କୁ ସେତିକି ଆନନ୍ଦିତ କରୁଥିଲା । କେବଳ ସେତିକି ନୁହେଁ ନିଖିଳ ଉକ୍ରଳ ରାଜନୀତି ବିଜ୍ଞାନ ମୁଖପତ୍ରର ଉପସଭାପତି ଓ ସଭାପତି ଭାବେ କାର୍ଯ୍ୟ କରି ସେ ନିଜର ସାଂଗଠନିକ ଦକ୍ଷତା ଓ କାର୍ଯ୍ୟ କୁଶଳତାର ପ୍ରମାଣ ଦେଇଥିଲେ । ଏଥି ସହିତ ଉକ୍ରଳ ବିଶ୍ୱବିଦ୍ୟାଳୟର ସିନେଟ୍, ସିଣ୍ଡିକେଟ୍ ଓ ପାଠ୍ୟ ସଂସଦର ସଭ୍ୟ ଭାବେ କାର୍ଯ୍ୟକରି ଶ୍ରୀରାମଚନ୍ଦ୍ର ଦାଶ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିଲେ ।

କେବଳ ଅଧ୍ୟାପନା ବା ଗବେଷଣା ନୁହେଁ, ସୃଜନଶୀଳତା କ୍ଷେତ୍ରରେ ମଧ୍ୟ ଡକ୍ଟର ଦାଶଙ୍କର ଗଭୀର ପ୍ରବେଶ ଓ ଅନୁରାଗ ଥିଲା । ସେ ପ୍ରାୟ ୨୫ ଖଣ୍ଡରୁ ଉଦ୍ଧ୍ୱର୍ ପୁସ୍ତକ ରଚନା କରିଛନ୍ତି । ଜଣେ ଲବ୍ଧପ୍ରତିଷ୍ଠ ସ୍ତମ୍ଭକାର ହିସାବରେ ତାଙ୍କର ନିଆରା ପରିଚୟ ଥିଲା । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ ଲିଖିତ ନିବନ୍ଧ ଗୁଡିକ ଯଥେଷ୍ଟ ପାଠକୀୟ ସ୍ୱୀକୃତି ଲାଭ କରିପାରିଥିଲା । ଉଭୟ ଅର୍ଥନୀତି ଓ ରାଜନୀତି ବିଜ୍ଞାନରେ ତାଙ୍କର ଅସାଧାରଣ ପାରଦର୍ଶିତା ଥିଲା ଯାହା ସମସ୍ତେ ମୁକ୍ତ କଣ୍ଠରେ ସ୍ୱୀକାର କରିବେ । “ଭାରତର ସମ୍ବିଧାନ” “ଉକ୍ରଳମଣି ଗୋପବନ୍ଧୁ ଦାସ” ଓ “ମୋ ଅକୁହା କାହାଣୀ” ପ୍ରଭୃତି ତାଙ୍କର ଉଲ୍ଲେଖନୀୟ କୃତି । ଏଥି ସହିତ ତାଙ୍କ ରଚିତ ପୁସ୍ତକ “ୟୁରୋପରେ ମୋ ଅନୁଭୂତି” ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ଏହିପରି ଜଣେ ପ୍ରତିଭାଧାରୀ, କାଳଜୟୀ ପୁରୁଷ ଡକ୍ଟର ଶ୍ରୀରାମ ଦାଶଙ୍କର କର୍ମମୟ ଜୀବନର ଅବସାନ ଘଟିଲା ୧୯୯୪ ମସିହା ଅଗଷ୍ଟ ୧୦ ତାରିଖରେ । ଆଜି ସେ ଆମ ଗହଣରେ ନାହାଁନ୍ତି, ମାତ୍ର ତାଙ୍କର ବିଜ୍ଞତା, ସୃଜନଶୀଳତାର ଦୃଢତା ଓ କର୍ମତତ୍ପରତା ଏବେବି ଉଜ୍ଜିବୀତ ହୋଇ ରହିଛି । ଅନ୍ୟାୟ ଭାବେ ଆଇ.ଏ.ଏସ୍ ପଦବୀରୁ ବଞ୍ଚିତ ହୋଇଥିଲେ ବି ନିଜ ହାତରେ ବହୁ ଆଇ.ଏ.ଏସ୍ ସୃଷ୍ଟି କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଯାଇଛନ୍ତି ସେ । ଅତୀତର ଇତିହାସରେ ଲୁଚିଯିବାକୁ ବସିଥିବା ଏହି ପ୍ରତିଭାଧରଙ୍କ ଜୀବନୀ ଆଜି ବି ପ୍ରାସଙ୍ଗିକତା ରଖେ । ଉତ୍ତରପିଢିର ଦାୟାଦମାନେ ଏହି ପ୍ରଜ୍ଞାପୁରୁଷଙ୍କର ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ,ଏହାହିଁ ଆଜିର ଅନୁଚିନ୍ତା ।

Leave A Reply