Odisha news

ବଦଳିଯାଉଛି ଗାଁର ଛବି : ସାମାଜିକ ତଥା ଆର୍ଥିକ ବିକାଶ କ୍ଷେତ୍ରରେ ଆମ ଦେଶର ଗ୍ରାମାଂଚଳ ଛବି ବଦଳିବାରେ ଲାଗିଛି

0

Special story by sakalakhabar.com
ସର୍ବବୃହତ ଗଣତାନ୍ତ୍ରିକ ଭାରତ ଏକ ଗ୍ରାମବହୁଳ ରାଷ୍ଟ୍ର । ଆମ ଦେଶରେ ଗ୍ରାମୀଣ ପରିବାରର ମୋଟ ସଂଖ୍ୟା ୨୧.୧୭ କୋଟି । ସେଥିମଧ୍ୟରୁ ୪୮ ଶତାଂଶ ପରିବାର ପ୍ରଧାନତଃ କୃଷି ଉପରେ ନିର୍ଭର କରୁଥିବାବେଳେ ଅବଶିଷ୍ଟାଂସ ଗ୍ରାମୀଣ ପରିବାର ଅଣ-କୃଷି କ୍ଷେତ୍ରରେ କାର୍ଯ୍ୟରତ । କୃଷି ଉପରେ ନିର୍ଭରଶୀଳ ପ୍ରତି ପରିବାରର ଜଣଙ୍କର ବର୍ଷକୁ ଆୟ ପାଂଚହଜାର ଟଙ୍କା ବୋଲି ନାବାର୍ଡ ଦ୍ୱାରା ପ୍ରକାଶିତ ଏକ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି । ତା ଛଡା, ଅନ୍ୟ ଏକ ନିର୍ଭରଯୋଗ୍ୟ ସର୍ବେକ୍ଷଣରୁ ଜଣାଯାଏ, କୃଷି ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ-ଯଥା ଗୋପାଳନ ଓ କୁକୁଡାପାଳନ କାର୍ଯ୍ୟ କ୍ଷେତ୍ରରେ ଆମ ଦେଶର ଗ୍ରାମୀଣ ପରିବାରଙ୍କ ହାରାହାରୀ ଉପଲବ୍ଧ ଆୟ ୬୭.୨ ଶତାଂଶ ।

ସଂପ୍ରତି ସାମାଜିକ ତଥା ଆର୍ଥିକ ବିକାଶ କ୍ଷେତ୍ରରେ ଆମ ଦେଶର ଗ୍ରାମାଂଚଳ ଛବି କିନ୍ତୁ ବଦଳିବାରେ ଲାଗିଛି । ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ତରଫରୁ କରାଯାଇଥିବା ଏକ ନିର୍ଭରଯୋଗ୍ୟ ସର୍ବେକ୍ଷଣ ( ୨୦୧୬-୧୭) ଏ ବାବଦରେ ବେଶ୍ କିଛି ସୂଚେଇଦେଇଛି । ପ୍ରତି ତିନ ବର୍ଷରେ ଥରେ କରାଯାଉଥିବା ଏହି ସର୍ବେକ୍ଷଣର ତଥ୍ୟ ମୁତାବକ ଗ୍ରାମାଂଚଳ ଚାଷୀ ପରିବାରର ହାରାହାରି କୃଷି ଲବ୍ଧ ଆୟ ଯେତେ ତାଠୁ ଯଥେଷ୍ଟ କମ ହେଉଛି ଦୈନିକ ମଜୁରୀ । କୃଷି ଉପରେ ନିର୍ଭରଶୀଳ ଜଣେ ଗ୍ରାମୀଣ ପରିବାର ହାରହାରୀ ବାର୍ଷିକ ଆୟ ୧,୦୭,୧୭୨ଟଙ୍କା ଥିବାବେଳେ ଅଣ କୃଷି କ୍ଷେତ୍ର ସହିତ ସଂଶ୍ଲିଷ୍ଟ ଗ୍ରାମୀଣ ପରିବାର ହାରାହାରୀ ବାର୍ଷିକ ଆୟ ୮୭,୨୨୮ ଟଙ୍କା । ସେଇମିତି ଏ କଥା ବି ରିପୋର୍ଟରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି ଯେ ପ୍ରତିମାସ ଆମଦାନୀର ୧୯ ପ୍ରତିଶତ କୃଷିରୁ ଆସୁଥିବାବେଳେ ସେଥିରେ ଦୈନିକ ମଜୁରୀର ଅଂଶ ପ୍ରାୟତଃ ଚାଳିଶ ଶତାଂଶରୁ ଅଧିକ । ଏତଦ୍ ବ୍ୟତୀତ,୮୭ ପ୍ରତିଶତ ଗ୍ରାମୀଣ ପରିବାରଙ୍କ ହାତରେ ଏବେ ମୋବାଇଲ ଉପଲବ୍ଧ । ସେପଟେ କିନ୍ତୁ ୮୮.୭ ପରିବାରଙ୍କ ପାଖରେ ସଂଚୟ ଜମା ରହିଛି । ରିପୋର୍ଟ ଆହୁରି କୁହେ ଯେ, ଏବେ ୫୮ ଶତାଂଶ ପରିବାରଙ୍କ ନିକଟରେ ଟି ଭି ରହିଥିବାବେଳେ ୩୪ ଶତାଂଶ ପରିବାରଙ୍କ ପାଶେ ମୋଟର ସାଇକେଲ ଆଉ ୩ ପ୍ରତିଶତ ପରିବାର ଲୋକଙ୍କ ଘରେ ସୌଖୀନ କାର ରହିଛି । ଏତଦ୍ବ୍ୟତୀତ,୨ ଶତାଂଶ ଗ୍ରାମୀଣ ପରିବାର ଲ୍ୟାପଟକ ବ୍ୟବହାର କରୁଥିବା ଦେଖାଯାଉଛି ।


ସେହିଭଳି ଆମ ଦେଶରେ ୨୬ ପ୍ରତିଶତ ଚାଷୀ ପରିବାର ଓ ଅଣ କୃଷି କ୍ଷେତ୍ରରେ ନିୟୋଜିତ ଏବଂ ୨୫ ପ୍ରତିଶତ ପରିବାର ବୀମା ପରିସରଭୁକ୍ତ । ପୁଣି ପେନସନ ଯୋଜନାରେ କେବଳ ୨୦.୧ ଶତାଂଶ ପରିବାକୁ ସାମିଲ କରାଯାଇଥିବାବେଳେ ଅଣ କୃଷି କ୍ଷେତ୍ରରେ ଅନ୍ତର୍ଭୁକ୍ତ ହୋଇଛନ୍ତି ମାତ୍ର ୨୦.୧ ଶତାଂଶ ପରିବାର । ତେବେ ଏହି ସର୍ବେକ୍ଷଣ ତଥ୍ୟକୁ ନେଇ ଦେଶର କେତେକ ସଂଗଠନ ପ୍ରଶ୍ନ ଉଠାଇଥିବା କୁହାଯାଉଛି । ସେମାନଙ୍କ କହିବାମୁତାବକ ଏଇ ସର୍ଭେରେ ଚାଷୀର ପରିଭାଷାକୁ ବଦଳାଯାଇ ପରିସଂଖ୍ୟାନ ଯୋଗାଡ କରାଯାଇଛି । କହିବା ବାହୁଲ୍ୟ ଯେ,୨୦୧୨ -୧୩ ମସିହାର ପରିସଂଖ୍ୟାନକୁ ଜାତୀୟ ନମୁନା ସର୍ବେକ୍ଷଣ ସହିତ ଏକୀକୃତ କରାଯାଇ ତଦନୁସାରେ ପରିବାରକୁ କୃଷକ ପରିବାର ବୋଲି ମାନ୍ୟତା ପ୍ରଦାନ କରାଯାଉଛି । କେବଳ କୃଷିରୁ ହିଁ ସେମାନଙ୍କ ଆମଦାନୀ ହେଉଛି ୩୦୦୦ ଟଙ୍କା । ତୁଳନାତ୍ମକଭାବେ ଦେଖିଲେ ,୨୦୧୫-୧୬ରେ ଯେଉଁ ପରିସଂଖ୍ୟାନ କରାଯାଇଥିଲା ସେଥିରେ କେବଳ କୃଷିରୁ ୫୦୦୦ ଉପାର୍ଜନ କରୁଥିବା କୃଷକ ପରିବାରକୁ ମାନ୍ୟତା ପ୍ରଦାନ କରାଯାଇଥିଲା । ସେଥିପାଇଁ ଏଥର ଗ୍ରାମାଂଚଳରେ ଆମଦାନୀ ଯଥେଷ୍ଟ ବେଶି ରହିଥିବା କୁହାଯାଉଛି । ତେବେ ଏହି ସର୍ବେକ୍ଷଣକୁ ନେଇ ଉଦବେଗ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ଗ୍ରାମୀଣ କ୍ଷେତ୍ରରେ ୪୭ ଶତାଂଶ ପରିବାର ଏବେ ଋଣ ବୋଝରେ ଭାରାକ୍ରାନ୍ତ । ତେବେ ଏ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିବା ଆବଶ୍ୟକ ମନେହୁଏ । କୃଷିରୁ ଆମକୁ ଆଶାନୁରୂପ ଯେତିକି ଲାଭ ମିଳିବା କଥା ସେତିକି ମିଳୁନି । ସେଥିପାଇଁ ଚାଷୀକୁ ବେଠି ଖଟିବାକୁ ପଡୁଛି,କରିବାକୁ ପଡୁଛି କଠିନ ମେହନତ । ଆଉ ଗୋଟେ କଥା ହେଉଛି ଆମର ଆୟ ସ୍ତରରେ ବୈଷମ୍ୟ ପରିଲକ୍ଷିତ ହେଉଛି । ବିଶେଷକରି, ଆମ ଦେଶର ପଂଜାବ ରାଜ୍ୟର ଗ୍ରାମୀଣ ପରିବାରର ହାରାହାରୀ ଆୟ ୧୬,୦୨୦ ଟଙ୍କା ଥିବାବେଳେ ଆନ୍ଧ୍ର ପ୍ରଦେଶ ରାଜ୍ୟରେ ଗ୍ରାମୀଣ ପିରବାରର ଆୟ ଜମାରୁ ୫,୮୪୨ ଟଙ୍କା ।
୨୦୧୧ ବର୍ଷର ଜନଗଣନା ପରିପ୍ରେକ୍ଷୀରେ ଦେଖିଲେ ଆମ ଦେଶର ଗ୍ରାମାଂଚଳରେ ରହୁଥିବା କୃଷି ଶ୍ରମିକ ସଂଖ୍ୟା ପାଖାପାଖି ୧୪ କୋଟି ୪୩ ଲକ୍ଷ । ଏମାନଙ୍କ ଭିତରୁ ପ୍ରାୟ ୫୫ ଶତାଂଶ କୃଷି ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି ।

ଏମାନେ ପ୍ରାୟତଃ ଭୂମିହୀନ । କେତେକ ଗ୍ରାମାଂଚଳରେ ବାସ କରୁଥିବା ଏହି କୃଷି ଶ୍ରମିକଙ୍କର ସତ୍ୱାଧିକାର ଥାଏ ଖୁବ କମ ଜମି ଉପରେ । ପରିବାର ପ୍ରତିପୋଷଣ ପାଇଁ ଏମାନେ ଅନ୍ୟମାନଙ୍କ ଜମିରେ ଖଟି ନିଜ ଶ୍ରମ ଦାନ ବଦଳରେ ଦୈନିକ ମଜୁରି ପାଇଥାନ୍ତି । ବିଡମ୍ବନା ଯେ, ପ୍ରତିବର୍ଷ ଆମ ଦେଶରେ ପ୍ରାୟତଃ ୩୭ ଲକ୍ଷ ନିଜର ଜମି ହାରାଇ କୃଷି ଶ୍ରମିକ ହୋଇଯାଉଛନ୍ତି । ଏପରିକି ଗ୍ରାମାଂଚଳରୁ କାମଧନ୍ଦା ସୁଯୋଗ ନ ପାଇ ଏମାନେ ସହରମୁହାଁ ହେଉଛନ୍ତି ନିଜ ପରିବାରର ଗୁଜୁରାଣ ମେଂଟାଇବା ପାଇଁ । ସହରରେ ସେମାନଙ୍କୁ କାମ ମିଳିଯାଏ ସିନା ହେଲେ ଯେତିକି ମଜୁରୀ ପାଇବା କଥା ସେତିକି ପାଆନ୍ତିନାହିଁ । ଅଧିକନ୍ତୁ ଏମାନେ ଅସ୍ୱାସ୍ଥ୍ୟକର ପରିବେଶର ଜୀବନ ବିତାଇ ନାନାଦି ଉକ୍ରଟ ରୋଗର ଶୀକାର ହୋଇଥାନ୍ତି । ତେବେ ସେ ଯାହାହେଉ,ଏହି ଭୂମିହୀନ ବାସହୀନ କୃଷି ଶ୍ରମିକମାନେ କେମିତି କିଛି ସରକାରୀ ଭୂମୀ ପାଇବେ ସେଥିଲାଗି ଆଇନଗତ ବ୍ୟବସ୍ଥା ରହିବା ଉଚିତ ।
ତେବେ ଗ୍ରାମାଂଚଳର ସମୃଦ୍ଧି ଏକ ପ୍ରକାରେ ସୀମିତ କହିଲେ ଅତ୍ୟୁକ୍ତି ନୁହେଁ । ଏହି ସମୃଦ୍ଧିକୁ ବ୍ୟାପକ କରାଇବା ସଙ୍ଗେ ସଙ୍ଗେ ଏହାର ସୁଫଳ ଯେମିତି ସମସ୍ତଙ୍କ ପାଖରେ ପହଂଚେ ସେଥିପ୍ରତି ଦୃଷ୍ଟିଦେବାର ଆବଶ୍ୟକତା ରହିଛି । ବ୍ୟାପକ ସହରୀକରଣ, ଜଗତୀକରଣ ଓ ବିଶ୍ୱତାପାୟନ ଉପରାନ୍ତେ ଏବେ ସମଗ୍ର ବିଶ୍ୱର ନଜର କେନ୍ତ୍ରିତ ହୋଇଛି ଶିଳ୍ପ ଉଦ୍ୟୋଗର ବିକାଶ ଉପରେ । ତେବେ ଗ୍ରାମାଂଚଳରେ ଛୋଟମୋଟ ଶିଳ୍ପଗୁଡିକ ସେତେଟା କାର୍ଯ୍ୟକ୍ଷମ ହୋଇପାରୁନି । ଆବଶ୍ୟକ ପଂଜୀ ନିବେଶ ଅଭାବରୁ ସେଗୁଡିକ ଏବେ ଦୁର୍ବଳ ହୋଇ ପଡିଲାଣି. ଏବେ କୃଷି କ୍ଷେତ୍ରରେ ପୁଂଜୀ ନିବେଶ ରାଶୀକୁ ଯଥେଷ୍ଟ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି. ଏଥି ସହିତ ଗ୍ରାମାଂଚଳରେ ଥିବା ଲଘୁ ତଥା କୁଟୀର ଶିଳ୍ପ ଗୁଡିକରେ ମଧ୍ୟ ପୁଂଜୀ ନିବେଶକୁ ସେହି ଅନୁପାତରେ ବୃଦ୍ଧି କରିବାକୁ ପଡିବ,ତେବେ ଯାଇ ଗ୍ରାମାଂଚଳରେ ଆମଦାନୀ ଆଶାନୁରୂପ ବୃଦ୍ଧିପାଇପାରିବ ।

Leave A Reply

Your email address will not be published.