Odisha news

ଆଗାମୀ ୨୨ରେ ତାଳଚେର ସାର କାରଖାନାର ଶୁଭ ଦେବେ ପ୍ରଧାନମନ୍ତ୍ରୀ:ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର,୩୧ ଅଗଷ୍ଟ – ଆଗାମୀ ୨୨ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଜ୍ଞାନକୌଶଳ ଆଧାରରେ ନିର୍ମିତ ହେବାକୁ ଥିବା ତାଳଚେର ଫର୍ଟିଲାଇଜର ଲିମିଟେଡର ଶୁଭ ଦେବା ସହ ଝାରସୁଗୁଡା ଠାରେ ଓଡିଶାର ଦ୍ୱିତୀୟ ପୂର୍ଣାଙ୍ଗ ବିମାନ ବନ୍ଦରର ଶୁଭାରମ୍ଭ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୩ ହଜାର କୋଟି ଟଙ୍କାର ପୁଂଜି ନିବେଶରେ ପ୍ରତିଷ୍ଠିତ ହେବାକୁଥିବା ଏହି ସାର କାରଖାନା କେବଳ ସାର ନୁହେଁ, ବୈଜ୍ଞାନିକ ମାନଙ୍କର ଅନୁସନ୍ଧାନର ଆଧାରରେ କୋଇଲାରୁ ଗ୍ୟାସ, ତଥା ଆମୋନିଆ ଓ ୟୁରିଆ ଉତ୍ପାଦନ କରିବ । ଏହା ସହ ଜଟିଳ ବୈଜ୍ଞାନିକ ପ୍ରକ୍ରିୟାରେ ମିଥାନୋଲ ମଧ୍ୟ ଉତ୍ପାଦିତ ହେବ । କୋଇଲାରୁ ମିଥାନୋଲ ବାହାରିଲେ ଅଶୋଧିତ ତୈଳର ଆମଦାନୀକୁ କମ କରା ଯାଇ ଦେଶର ଅର୍ଥନୀତିକୁ ବଡ ସହଯୋଗ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଓଡିଶା ଭଳି ରାଜ୍ୟରେ ପ୍ରଚୁର କୋଇଲା ମହଜୂଦ ଥିବା ବେଳେ କୋଇଲାରୁ ବିଜୁଳି ବାହାର କରିବା ଏକ ମାତ୍ର ବ୍ୟବହାର ଥିଲା । ମାତ୍ର କୋଇଲାରୁ ଗ୍ୟାସ, ଆମୋନିଆ, ୟୁରିଆ ଓ ମିଥାନୋଲ ଉତ୍ପାଦନ ମୋଦି ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଥି ପାଇଁ ଏହି ଦିନ ଓଡିଶା ପାଇଁ ଏକ ମହତ୍ୱପୂର୍ଣ ଦିନ ଭାବରେ ପରିଗଣିତ ହେବ ।ତାଳଚେର ଠାରେ ଏହି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ପରେ ଝାରସୁଗୁଡା ଠାରେ ଉଡାନ ଯୋଜନାରେ ନୂଆ ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ହାବାଇ ଚପଲ ପିନ୍ଧୁ ଥିବା ଲୋକ ହାବାଇ ଜାହାଜରେ ଯାତ୍ରା କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ । ଏହି ଦୁଇ ସ୍ଥାନରେ ଅନ୍ୟାନ୍ୟ ସରକାରୀ ପ୍ରକଳ୍ପ ଗୁଡିକର ଲୋକାର୍ପଣ ଓ ଭିତି ପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମର ସୂଚନା ପରବର୍ତୀ ସମୟରେ ଦିଆ ଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।
ଉଭୟ ସ୍ଥାନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Govt
Leave A Reply