Odisha news

ପୋଷଣ ସଚେତନତାର ବାର୍ତ୍ତା ନେଇ ପାଳିତ ହେଲା ପ୍ରକଳ୍ପ ସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ

0
ବାଲିଗୁଡ଼ା : (ସଞ୍ଜୟ କୁମାର ପାଣିଗ୍ରାହୀ):  ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ, ସୁସ୍ଥ ଜୀବନଶୈଳୀ ଓ ପୋଷଣ ସଚେତନତାର ବାର୍ତ୍ତା ନେଇ ବାଲିଗୁଡ଼ା ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ପ୍ରକଳ୍ପସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡିଏସ୍‌) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସିଡିପିଓ ଇନ୍ଦିରା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ପଣ୍ଡା ଓ ଅତିରିକ୍ତ ତହସିଲଦାର କବିରାଜ ଆର୍ଯ୍ୟ ଉପସ୍ଥିତ ଥିଲେ। ଏକ ମାସ ଧରି ଚାଲିଥିବା ପୋଷଣ ଅଭିଯାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ। ଶିଶୁ, କିଶୋରୀ ଓ ମହିଳାଙ୍କ ସୁସ୍ଥତା ପାଇଁ ସନ୍ତୁଳିତ ଆହାର ଓ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ପ୍ରକଳ୍ପର କର୍ମୀମାନଙ୍କ ପକ୍ଷରୁ ବିଭିନ୍ନ ପୁଷ୍ଟିକର ରନ୍ଧା ଖାଦ୍ୟ, ତ୍ରିରଙ୍ଗା ଖାଦ୍ୟ, ବିଭିନ୍ନ ପ୍ରକାର ଡାଲି ଜାତୀୟ ଖାଦ୍ୟ ଓ ପୁଷ୍ଟିକର ପନିପରିବାର ପ୍ରଦର୍ଶନୀ କରାଯାଇଥିଲା। ଏହି ପ୍ରଦର୍ଶନୀ ମାଧ୍ୟମରେ ଦୈନନ୍ଦିନ ଖାଦ୍ୟରେ ବିଭିନ୍ନ ପ୍ରକାର ପୁଷ୍ଟିକର ଉପାଦାନ ସାମିଲ କରିବାର ଆବଶ୍ୟକତା ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା। ଏଥିସହ ବନବାସୀ ସେବା ସମିତିର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବନବାସୀ ସେବା ସମିତି ଓ ପ୍ରଥମା ଏଜୁକେସନ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଶେଷରେ ସିଡିପିଓ ଇନ୍ଦିରା ପଣ୍ଡା ଉପସ୍ଥିତ ଅତିଥି, କର୍ମକର୍ତ୍ତା ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Ad2
Leave A Reply