Odisha news

ଆଦିବାସୀ ମହାବିଦ୍ୟାଳୟରେ ପ୍ରଥମ ଛାତ୍ର ସଂସଦ ନିର୍ବାଚନ ପରେ ଶପଥ ଗ୍ରହଣ ଉତ୍ସବ

0
ବାଲିଗୁଡ଼ା  : (ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ ହୋଇଛି। ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଛାତ୍ର ପ୍ରତିନିଧି ନିର୍ବାଚନ ସମ୍ପନ୍ନ ହେବା ପରେ ଗତ ଶୁକ୍ରବାର ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଉତ୍ସବ କେବଳ ନବନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱ ଗ୍ରହଣରେ ସୀମିତ ନ ରହି ମହାବିଦ୍ୟାଳୟର ଛାତ୍ର ସଂସଦ ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ ଭାବେ ଯୋଡ଼ି ହୋଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ଶପଥ ପାଠ କରାଇଥିଲେ। ଛାତ୍ର ସଂସଦର ସଭାପତି ଭାବେ ଶ୍ରୀଧର ସିଅ, ଉପସଭାପତି ଭାବେ ଅବିନାଶ ମସିହା ଦିଗାଳ, ସାଧାରଣ ସମ୍ପାଦକ ଭାବେ ଅଭୟ ପାଟମାଝି ଏବଂ ସହସମ୍ପାଦକ ଭାବେ ଅଂଶୁମାନ ବେହେରା ଶପଥ ଗ୍ରହଣ କରିଥିଲେ। ସେହିପରି ଡିଏସଏ ସମ୍ପାଦକ ଭାବେ ଇତି ନାୟକ, ଡିଏସଏ ସହସମ୍ପାଦକ ଭାବେ ବିଜୟ କହଁର, କ୍ରୀଡ଼ା ସମ୍ପାଦକ ଭାବେ ଇସାକ ନାୟକ ଏବଂ କ୍ରୀଡ଼ା ସହସମ୍ପାଦକ ଭାବେ ସୌମ୍ୟ ରଞ୍ଜନ ମଲ୍ଲିକ ଶପଥ ନେଇଥିଲେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିବାରୁ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧିତ୍ୱକୁ ନେଇ ନୂଆ ଆଶା ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବା, ଶିକ୍ଷାନୁଷ୍ଠାନର ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଓ ଦାୟିତ୍ୱବୋଧର ଭାବନାକୁ ସୁଦୃଢ଼ କରିବା ଦିଗରେ ନବନିର୍ବାଚିତ ପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା କରାଯାଉଛି। ଏହି ଶପଥ ଗ୍ରହଣ ଉତ୍ସବରେ ନିର୍ବାଚନ ଅଧିକାରୀ ଅଧ୍ୟାପକ ତେଜେଶ୍ୱର ନାୟକ, ସହ ନିର୍ବାଚନ ଅଧିକାରୀ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
୪୬ ବର୍ଷର ଅପେକ୍ଷା ପରେ ଆରମ୍ଭ ହୋଇଥିବା ଏହି ନୂଆ ଯାତ୍ରା ଛାତ୍ରଛାତ୍ରୀଙ୍କ ସ୍ୱରକୁ ଅଧିକ ଶକ୍ତିଶାଳୀ କରିବା ସହ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ନୂଆ ଦିଗ ଦେବ ବୋଲି ଆଶା ପ୍ରକାଶ ପାଇଛି।
Ad2
Leave A Reply