Odisha news

ସୋରରେ ଅବାଧ ଚୋରା ମଦ କାରବାର : ନିଦରେ ଅବକାରୀ ବିଭାଗ

0

ସୋର : ସୋରରେ ଏବେ ଗ୍ରାମାଂଚଳ ଠାରୁ ସହର ପର୍ଯ୍ୟନ୍ତ ଅବାଧ ଚୋରା ଦେଶୀ, ବିଦେଶୀ ମଦ କାରବାର ଖୋଲମ୍ଖୋଲା ଚାଲିଥିବା ବେଳେ ଅବକାରୀ ବିଭାଗ ନିଘୋଡ ନିଦରେ ଶୋଇଛି । ଅବକାରୀ ବିଭାଗ ନିଜ ପାରିବା ପଣିଆ ଜାହିର କରିବାକୁ କେବେ କେଉଁଠି କାଁଭାଁ ଚଢ଼ାଉ କରି ବାହାବାହା ନେବା ଚେଷ୍ଟାରେ ଅଛି । ସଂପୃକ୍ତ ବିଭାଗ ପକ୍ଷରୁ ଲୋକଦେଖାଣିଆ କେବେ କେମିତି ଚଢ଼ାଉ କରାଯାଇ ଅଧିକ ପରିମାଣର ମଦ ଜବଦ କରି ସିଜରରେ କମ୍ ଦେଖାଇ ବେପାରୀଙ୍କୁ ପରୋକ୍ଷରେ ଉତ୍ସାହିତ କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ଏହି ଚୋରା ଦେଶୀ ମଦ ପୁରୁଣା ବାଳେଶ୍ୱରରୁ ଭାୟା କେଶରୀପୁର ଫଟାଅର୍ଜୁନ ଛକ ଦେଇ ସୋର , ସିମୁଳିଆ ଓ ଖଇରା ଅଂଚଳକୁ ଚାଲାଣ ହେଉଥିବା ବେଳେ କିଛି ଦିନ ପୂର୍ବରୁ କିଛିଟା ଧରପଗଡ ପରେ ଏବେ ଗୋପପାଳପୁର ରାସ୍ତାରେ ସୋରକୁ ଚାଲାଣ ହେଉଛି । ମୁଳିସିଂ ସହ ସାଧୁଆପଡା ଆଖପାଖ ଅଂଚଳରେ ଥିବା ଚୋରା ଡିପୋ ଏହି କାରବାରର କେନ୍ଦ୍ରସ୍ଥଳ ଅଛି ।

ସୋର – ମଙ୍ଗଳପୁର ରାସ୍ତାର ମାଣତ୍ରୀ ଛକ, ସିଙ୍ଗାଖୁଣ୍ଟା ବଜାର ସହ ବନ୍ଧସାହି , ଆଟ୍ଟପୁର ପଞ୍ଚାୟତର ବେଲଦା , ନିଶ୍ଚିନ୍ତପୁର ପଞ୍ଚାୟତର କୁଡେଇ , ମଧୁସୂଦନପୁର ପଞ୍ଚାୟତର ପୀତାକାଳିଆ , ଖଜୁରିଡିହା ଛକ, ବଣବିଷ୍ଣୁପୁର ବଜାର, ନହରପଦା,ଆଘିରିଆ, ବଇଁଶିଖାର୍ଜି, ରଘୁନାଥପୁର ଗଞ୍ଜ, ନଦିଗାଁ ପଞ୍ଚାୟତ କାନପୁର ଓ ଗୁହାଳଡିହି, ସରଶଂଖ ଛକ ସହ କୁଶଗଢ଼ିଆ ବଳଦିଆ, ସାବିରା, ସାଜନପୁର ପଞ୍ଚାୟତ ଶିରାପୁର ଜେନାସାହି, କେଦାରପୁର ପଞ୍ଚାୟତର କେୟାରପୁର ଛକ, ପାଖର ଛକ, ଟେଣ୍ଟେଇ ବଜାରରେ ଏବେ ଚୋରା ମଦ କାରବାର ପ୍ରବଳ ହେଉଥିବା ବେଳେ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାରୁ ସ୍ଥାନୀୟ ବାସିନ୍ଦା ଅତିଷ୍ଠ ହୋଇ ଅବକାରୀ ବିଭାଗ ଓ ପୁଲିସରେ ବାରମ୍ବାର ଅଭିଯୋଗ କଲେବି କୈାଣସି ସୁଫଳ ମିଳିନି । ବରଂ ଦିନକୁ ଦିନ ଏହି କାରବାର ଏବେ ସୀମା ଟପୁଛି ।

ଏଥି ସହ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଉତ୍ତରେଶ୍ୱର, ନୂଆ ବସ୍ଷ୍ଟାଣ୍ଡ, ପୁରୁଣା ମାଛ ହାଟ ଗଳି , ପୁରୁଣା ସିନେମାହଲ ଛକ, କ୍ଷୀରକୋଣୀ ଓ ଅଡଙ୍ଗରେ ଏହି କାରବାର ଅବାଧରେ ଚାଲିଛି । ଏସବୁ ପରେ ରାଜପଥ ପାଶ୍ୱର୍ରେ ଥିବା ବିଭିନ୍ନ ହୋଟେଲ ଓ ଢ଼ାବାରେ ଏବେ ଚଢ଼ା ଦରରେ ମଦ କାରବାର ବେଶ୍ ଜମିଛି । ଏଥି ସହ ଗଞ୍ଜେଇ କାରବାର ମଧ୍ୟ ଖୋଲମ୍ଖୋଲା ଚାଲୁଥିବା ଅଭିଯୋଗ ହେଉଛି । ଅବକାରୀ ବିଭାଗ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ନେଡିଗୁଡ କହୁଣୀକୁ ବୋହିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Govt
Leave A Reply