ସୋର : ଚଳିତ ଖରିଫ ·ଷ ସୋର ଅଂଚଳର ପ୍ରଥମ ବନ୍ୟା ପରେ ପରେ ଚାଷୀର ଚାଷ ଜମି ଉଜୁଡ଼ି ଯାଇଛି । ଅଚିହ୍ନା ପୋକ ଲାଗି ଚାଷ ଜମି ର ବ୍ୟାପକ କ୍ଷତି ହୋଇଛି । ପାଖାପାଖି ୫୦ ହେକ୍ଟର ଚାଷ ଜମିରେ ଅଜଣା ପୋକ ଲାଗିବାରୁ ଧାନ ଗୁଡ଼ିକ ପାଚିଗଲା ପରି ସବୁ ହଳଦିଆ ପଡ଼ିଯାଇଛି । ଚାଷଜମିର ଏପରି ଅବସ୍ଥା ଦେଖି ଚାଷୀ ତାର ପରିବାର ଚଳାଇବା ମନୋବଳ ଭାଙ୍ଗିପଡ଼ିଛି । ଗତ ବନ୍ୟାରେ ସୋର ବ୍ଲକର ତିନି ଚାରିଗୋଟି ପଂଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ଏହି ନଦୀକୂଳିଆ ପଂଚାୟତର ପାଣି ନିଷ୍କାସନ ହୋଇନପାରି ଚାଷ ଜମିରେ ମାଡ଼ି ରହିବାରୁ ଅଜଣା ପୋକ ଲାଗି ବର୍ତ୍ତମାନ ଚାଷ ଜମିକୁ କ୍ଷତିଗ୍ରସ୍ତ କରିଛି ।

ମୁଖ୍ୟତଃ ବାଳଙ୍ଗ ପଂଚାୟତର ବାଳଙ୍ଗ ଗ୍ରାମର ଚାଷଜମି ପାଖର ପଂଚାୟତର ବଳରାମପୁର, ଖେରଣା ଓ ପାଖର ଏବଂ ଟେଂଟେଇ ପଂଚାୟତର ତେନ୍ତୁଳିଆ ଗ୍ରାମର ପାଖାପାଖି ୫୦ ହେକ୍ଟର ଜମିରେ ପୋକ ଲାଗି ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏ ସମ୍ପର୍କରେ ସୋର କୃଷିଜିଲ୍ଲାର କୌଣସି କର୍ମଚାରୀ ଚାଷୀ ଙ୍କ ନିକଟରେ ପହଂଚି ନଥିବାର ଅଭିଯୋଗ ହେଉଛି । ସୋର ବ୍ଲକର ୯୫ପ୍ରତିଶତ ଲୋକ ଚାଷ ଉପରେ ହିଁ ନିର୍ଭର କରିଥାନ୍ତି । ଧାନଚାଷ ହିଁ ଭାତହାଣ୍ଡି କହିଲେ ଭୁଲହେବନାହିଁ । ଚଳିତବର୍ଷ ବିଳମ୍ବରେ ବର୍ଷା ହୋଇଥିବାରୁ ଚାଷୀ ମାନେ ବିଳମ୍ବରେ ଧାନ ରୋଇ ଚାଷ ଜମିକୁ ଉଠିଆ କରିଥିଲେ ।

ଏପରିକି ନାମମାତ୍ର ଚାଷୀ , କ୍ଷୁଦ୍ରଚାଷୀ ଓ ବଡ଼ଚାଷୀ ନିଜର ଚାଷ ଜମିକୁ ଉଠିଆ କରିବା ପାଇଁ ସେବାସମବାୟ ସମିତି ତଥା ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ଏପରିକି ରାଷ୍ଟ୍ରାୟତ ବ୍ୟାଙ୍କ ମାନଙ୍କରୁ ଚାଷ ଋଣ କରି ନିଜର ଚାଷ ଜମିକୁ ଉଠିଆ କରିଥିଲା । ଗତସପ୍ତାହରେ ଲଘୁଚାପ ଜନିତ ବର୍ଷାଯୋଗୁଁ ନାହିଁ ନଥିବା ବନ୍ୟା ପାଣି ଆସିବାରୁ ୩/୪ ଦିନ ଧରି କାଂଶବାଂଶ ନଦୀକୁ ନିଷ୍କାସିତ ହୋଇନପାରି ଚାଷ ଜମିରେ ମାଡ଼ି ରହିଥିଲା । ଯାହାର ପ୍ରଭାବରେ କି ଏହି ଅଜଣାପୋକ ଏବେ ଚାଷ ଜମିରେ ଲାଗିବାରୁ ଧାନ ଗଛ ଗୁଡ଼ିକ ହଳଦିଆ ପଡ଼ିଯାଇଥିଲାବେଳେ ପାଚିଲା ଧାନକ୍ଷେତର ଭ୍ରମ ସୃଷ୍ଟି କରିଛି । ଚାଷ ଜମିର ଧାନର ଏ ପ୍ରକାର ଅବସ୍ଥା ଦେଖି ଚାଷୀ ଧାନ ଅମଳ କରିବାର ଆଶା ମଉଳି ଯାଇଛି ।

ଚାଷପାଇଁ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥାରୁ ଋଣ କରିଥିଲାବେଳେ କିପରି ଋଣ ପରିଶୋଧ କରିବ ସେଥିପାଇଁ ଚିନ୍ତାଗ୍ରସ୍ତ ହୋଇପଡ଼ିଛି । ସୋର କୃଷି ଜିଲ୍ଳା ବିଭାଗ ପକ୍ଷରୁ ଅଦ୍ୟାବଧି କୌଣସି ଅଧିକାରୀ ବା କ୍ଷେତ୍ରପରିଦର୍ଶକ କ୍ଷତିଗ୍ରସ୍ତ ଚାଷ ଜମିକୁ ପରିଦର୍ଶନରେ ନଯିବା ଚାଷୀ ଙ୍କ ପାଇଁ ଆହୁରି ଦୁଃଖଦାୟକ ହୋଇ ଉଠିଛି । ସମ୍ପକ୍ତ ୫ଗୋଟି ଗ୍ରାମର ଏହି ଚାଷ ଜମିରେ ଅଜଣା ପୋକ ଲାଗି ଚାଷ ଜମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡ଼ିଥିଲାବେଳେ ପାଖ ଚାଷ ଜମିକୁ ଏହି ଅଜଣା ପୋକ ଲାଗି କ୍ଷତିକରିବାର ସମ୍ଭାବନା ଦେଖାଦେଇଥିବାରୁ ଅନ୍ୟଚାଷୀମାନେ ଭୀତତ୍ରସ୍ତ ହୋଇପଡ଼ିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଚାଷୀକୂଳକୁ ବଂଚାଇବାକୁ ସରପଂଚ ତ୍ରିଲୋଚନ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ଙ୍କୁ ଟୁଇଟ କରି ଜଣାଇଥିବାର ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here