ସୋର : ଆଜିବି ସମାଜରୁ ଭୂତପ୍ରେତ, ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ମଣିଷମନରୁ ଦୂରହୋଇ ପାରିନାହିଁ । ଅନେକ ସମୟରେ ଏହଭଳି କୁସଂସ୍କାରରେ ବଶବର୍ତ୍ତୀ ମଣିଷ ହିତାହତଜ୍ଞାନ ଭୁଲିଯାଇ ଜଘନ୍ୟ କାର୍ଯ୍ୟ କରିବାକୁ ପଛାଇ ନଥାଏ ଏବଂ ଏହାର କରୁଣ ପରିଣତି ଲୋକଙ୍କୁ ଭୋଗିବାକୁ ପଡ଼ିଥାଏ । ଆଜି ସେହିପରି ଏକ ଘଟଣା ସୋର ବ୍ଲକ ନଦୀଗାଁ ପଞ୍ଚାୟତ ବାଇନଣ୍ଡା ମଙ୍ଗରାଜପୁର ଗ୍ରାମରେ ଘଟିଯାଇଛି । ଅବଶ୍ୟ ସଚେତନ ଗ୍ରାମଲୋକଙ୍କ ବିରୋଧ ଫଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ଆକ୍ରମଣକାରୀଙ୍କ କବଳରୁ ସେମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ଆଗିରିଆ ଗ୍ରାମର ରତ୍ନାକର ବେହେରାଙ୍କ ଦୁଇପୁତ୍ର କମଳାକାନ୍ତ ବେହେରା ଏବଂ ପ୍ରଭାତ ବେହେରାଙ୍କର ଭଉଣୀ ୨ବର୍ଷ ହେଲା ମାନସିକ ରୋଗରେ ଆକା୍ରନ୍ତ ଥିବାରୁ ସେମାନେ ଡାକ୍ତରଙ୍କୁ ଦେଖାଇ ନିରାଶ ହେବା ଫଳରେ ଜଣେ ଗୁଣିଆ ପାଖକୁ ଭଉଣୀକୁ ନେଇ ଦେଖାଇବା ପରେ ସେ ବାଇନଣ୍ଡା ମଙ୍ଗରାଜପୁର ଗ୍ରାମର ମନୋରଂଜନ ବେହେରା ଗୁଣିକରିଥିବା କହିଥିଲା । ଏହା ଶୁଣି କମଳାକାନ୍ତ ଏବଂ ପ୍ରଭାତ ଉତ୍ତ୍ୟକ୍ତ ଅବସ୍ଥାରେ ବାଇନଣ୍ଡାର ମନୋରଂଜନ ଘରେ ପହଞ୍ଚି ପୁରୁଷ ଲୋକ ନଥିବା ବେଳେ ଘର ଭିତରେ ପଶି ଭୁଜାଲି ଦେଖାଇ ମାରିଦେବାର ଧମକଚମକ ଦେଇଥିଲେ । ଏହି ସମୟରେ ମନୋରଂଜନର ସ୍ତ୍ରୀ ଜ୍ୟୋତ୍ସ୍ନା ବେହେରା ଏବଂ ନଣନ୍ଦ ବିଶ୍ୱବନ୍ଦିତା ଭୟରେ ପାଟିକରିବାକୁ ଗାଁ ଲୋକମାନେ ପହଞ୍ଚିଯିବା ଫଳରେ ସେମାନେ ହାଣିଦେବାର ଧମକ ଦେଇ ପଳାଇ ଯାଇଥିଲେ । ଏ ସଂପର୍କରେ ଆଜି ଅପରାହ୍ନରେ ସୋର ଥାନାରେ ଜ୍ୟୋତ୍ସ୍ନା ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।