ସୋର : ସୋର ବ୍ଲକ ମୂଳିସିଂ ପଞ୍ଚାୟତ ଶ୍ୟାମପୁର ଗ୍ରାମର କିରାଣି ପ୍ରଫୁଲ୍ଲ କୁମାର ସାହୁ (୪୭)ଙ୍କର ହୃଦଘାତ ମୃତ୍ୟୁ ହୋଇଯାଇଛି । ସେ ଥାଳା ଗ୍ରାମରେ ଥିବା ଭଜହରୀ ହାଇସ୍କୁଲର କିରାଣି ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଅତି ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ରରେଓଦା ଗ୍ରାମରେ ଥିବା ପୂଜ୍ୟପୂଜା ସଂସଦ ସେବା ସଙ୍ଗଠନର ଜଣେ ଆଗଧାଡିର ସଭ୍ୟ ଥିଲେ ।ସେ ଜଣେ ସମାଜସେବୀ, ପରୋପକାରୀ , ଛାତ୍ରବତ୍ସଳ,ଓ ମେଳାପି ବ୍ୟକ୍ତି ଥିଲେ । ମୃତ୍ୟୁ ଖବର ପାଇ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ ଓ ପୂଜ୍ୟ ପୂଜା ସଂସଦର ସଦସ୍ୟ ମାନେ ତାଙ୍କ ଘରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆସନ୍ତାକାଲି ବାଲେଶ୍ୱରରେ ତାଙ୍କ ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି ।