ସୋର : ଆଜି ସୋର ବ୍ଲକ ମହୁମୁହାଣ, ଜଡ଼ିଦା ଏବଂ କେଶରୀପୁର ପଞ୍ଚାୟତରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ମେଡିକାଲ ତରଫରୁ ସେମାନଙ୍କ ଲିଙ୍କ୍ର ୫୦ଜଣଙ୍କର ସ୍ୱାବ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି । ମହୁମୁହାଣ ସରପଞ୍ଚ ଶାନ୍ତିଲତା ବେହେରା କାଳନ୍ଦୀପାଟଣା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଏହି ଗ୍ରାମର ଲୋକମାନଙ୍କ ମଧ୍ୟରୁ ୨୦ ଜଣଙ୍କ ସ୍ୱାବ୍ ପରୀକ୍ଷଣ ପାଇଁ ନିଆଯାଇଛି । କାଳନ୍ଦୀପାଟଣାର ଏହି ୧୮ ବର୍ଷିୟ ଯୁବକ ଜଣକ ହରିଆନାରୁ ଜୁନ୍ ୧୩ ତାରିଖ ଘରକୁ ଫେରିବା ପରେ ବାଗୁଡ଼ି କ୍ୱାରେଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ରହିଥିଲେ । ଦେହ ଅସୁସ୍ଥ ହେବାରୁ ଗତ ସୋମବାର ଦିନ ତାଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଯାଇଥିଲା ଆଜି ପଜିଟିଭ୍ ବାହାରିଛି ।
ସେହିପରି କେଶରୀପୁର ଗ୍ରାମର ୫୦ ବର୍ଷୀୟ ବ୍ୟକ୍ତି ଜଣକ ଗତ ୧୧ ତାରିଖରେ କଲିକତାରୁ ଫେରି ସୋର ମହିଳା ମହାବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ରହୁଥିଲେ । ସେଠାରେ ତାଙ୍କର କୋଭିଡ଼୍ ଲକ୍ଷଣ ଦେଖାଦେବାରୁ ତାଙ୍କୁ ବାଲେଶ୍ୱରସ୍ଥିତ ଫକୀରମୋହନ କୋଭିଡ଼୍ କେୟାରକୁ ପଠାଇଦିଆଯାଇଥିଲା । ସେଠାରେ ତାଙ୍କର ସ୍ୱାବ ପରୀକ୍ଷାରୁ କରୋନା ପଜିଟି୍ଭ ଜଣା ପଡ଼ିବା ପରେ ବାଲେଶ୍ୱର କୋଭିଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଜଡ଼ିଦା ପଞ୍ଚାୟତ ନର୍ସିଂନଗର ଗ୍ରାମର ୩୧ ବର୍ଷୀୟ ଯୁବକ ଜଣକ ବାଗୁଡ଼ିରେ ଟିଭି ଦୋକାନ କରନ୍ତି । ତାଙ୍କର ଗତ ସୋମବାର ଦିନ ମହୁମୁହାଣରେ ସ୍ୱାବ୍ ପରୀକ୍ଷା ପାଇଁ ଯାଇଥିଲା । ଆଜି ତାଙ୍କଠାରେ ପଜିଟିଭ୍ ଥିବା ଜଣା ପଡ଼ିବା ପରେ ତାଙ୍କୁ ବାଲେଶ୍ୱର କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ୩୦ ଜଣ ଲୋକଙ୍କର ଆଜି ସ୍ୱାବ ପରୀକ୍ଷା ପାଇଁ ଯାଇଛି । ନର୍ସିଂନଗର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି ।