ସୋର : ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ଗ୍ରାମର ଜଣେ ମୁମ୍ବାଇ ଫେରନ୍ତା ଯୁବକ ଆର୍ଥିକ ଅନାଟନକୁ ସାମ୍ନା କରି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହି ଗ୍ରାମର ଅଚୁ୍ୟତାନନ୍ଦ ଜେନାଙ୍କ ପୁଅ ମନୋରଂଜନ (୩୧)ଙ୍କର ଘରୋଇ ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିବା ସହିତ ପରିବାର ପ୍ରତିପୋଷଣ କରୁଥିଲା । କରୋନା ସଂକ୍ରମଣ ସମୟରେ ଲକ୍ଡାଉନ କାରଣରୁ କମ୍ପାନୀ ବନ୍ଦହୋଇଯିବା ଫଳରେ ଗତ ୨ ମାସ ତଳେ ଘରକୁ ଫେରି ଆସିଥିଲେ ।
ଘରେ ରହିବା ଭିତରେ ଆର୍ଥିକ ଅନାଟନ କାରଣରୁ ମାନସିକ ଭାବେ ଚାପରେ ରହୁଥିଲେ । ଗତକାଲି ଅପରାହ୍ନରେ ଘରେ କିହି ନଥିବା ବେଳେ ଚାଷପାଇଁ ଥିବା ବିଷକୁ ପିଇଦେଇଥିଲେ । ଏହା ଜାଣିପାରି ରାତିରେ ପରିବାର ଲୋକେ ୧୦୮ ଅମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଆଜି ସୋର ପୁଲିସ୍ ଶବ ବ୍ୟବଚ୍ଛେଦ କରି ଥାନାରେ କେଶ୍ ନମ୍ବର ୪୧/୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି ।
