ଅନୁଗୁଳ: କରେନା ଯୁଦ୍ଧରେ କିଏ କେଉଁ ଭଳି ଭାବେ ସାମିଲ ହୋଇ ଲଢ଼େଇ କରିବ ଏବଂ ଦେଶରୁ କରୋନାକୁ ନିପାତ କରିବ ସେଥିପାଇଁ ଅଧିକାଂଶ ଲୋକ ବେଶ ତତ୍ପର । ଏଭଳି ଜଣେ କୁନି ଲଢ଼ୁଆ ହେଉଛନ୍ତି ଲଭଲି ନାଏକ । ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକର ଆଦିବାସୀ ଗାଁ ଝିମିରିପାଲିର ୫ମ ଶ୍ରେଣୀର ଛାତ୍ରୀ ଲଭଲି । ସେ ଗାଁ ପ୍ରାଥମିକ ସ୍କୁଲରେ ପଢ଼ନ୍ତି । ବାପା ଜଣେ ଦିନ ମଜୁରିଆ । ମା ସିଲେଇ କରି ଦି ପଇସା ରୋଜଗାର କଲେ ଚୁଲି ଜଳେ । ଏଭଳି ପରିସ୍ଥିତିରେ ମଧ୍ୟ ଲଭଲି କରୋନା ଯୁଦ୍ଧରେ ସାମିଲ ହେବାକୁ ମନ ବଳେଇଲେ । ଗାଁରେ କେହି ମାସ୍କ ପିନ୍ଧୁ ନଥିବା ଦେଖି ଘର ଘର ବୁଲି ସେମାନଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରାଇଲେ ।
ହେଲେ ସମସ୍ତେ ଗରିବ ଶ୍ରେଣୀର ହୋଇଥିବାରୁ ମାସ୍କ କିଣିବା ସେମାନଙ୍କ ପାଇଁ ସମ୍ଭବ ହେଉ ନାହିଁ । ତେଣୁ ଲଭଲି ନିଜ ସ୍କୁଲ ଡ୍ରେସରୁ ମାସ୍କ ତିଆରି କରି ଗରିବ ଲୋକଙ୍କୁ ବାଟିଂଛନ୍ତି । ତାଙ୍କୁ ଦୁଇ ହଳ ଡ୍ରେସ ସ୍କୁଲରୁ ମିଳିଥିଲା । ହେଲେ ଆଦର୍ଶ ବିଦ୍ୟାଳୟରେ ତାଙ୍କୁ ଚୟନ କରାଯାଇ ଥିବାରୁ ସେହି ଡ୍ରେସର ଆବଶ୍ୟକତା ନାହିଁ । ତେଣୁ ସେଥିରୁ ସିଲେଇ ମେସିନରେ ସେ ନିଜେ ମାସ୍କ ତିଆରି କରି ଲୋକଙ୍କୁ ପିନ୍ଧିବାକୁ ଦେଇଛନ୍ତି । ସେ କହିବା କଥା ଯଦି ତାଙ୍କ ପାଖରେ ଅର୍ଥ ଥାନ୍ତା ତେବେ ସେ କପଡା କିଣି ଆଣି ଆହୁରି ଅଧିକ ମାସ୍କ କରି ଲୋକଙ୍କୁ ଦେଇପାରିଥାନ୍ତେ ।
କିଛି ଅଭାବ ଯୋଗୁଁ ଯେତିକି ସମ୍ଭବ କରିଛନ୍ତି । ଦାରିଦ୍ୟ୍ରତା ମଧ୍ୟରେ ସଢ଼ୁ ଥିଲେ ମଧ୍ୟ ଲଭଲିଙ୍କ ମା ତାଙ୍କୁ ଏଥିପାଇଁ ଉତ୍ସାହିତ କରୁଛନ୍ତି । ଏତେ ଛୋଟ ବୟସରେ ଲଭଲିଙ୍କ ଏଭଳି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଯଦି ତାଙ୍କୁ କିଛି ସହାୟତା ମିଳନ୍ତା ତେବେ ସେ ଆହୁରି ଅଧିକ ମାସ୍କ ତିଆରି କରି ବଟଂନ କରି ପାରନ୍ତେ ବୋଲି କହିଛନ୍ତି ।