Odisha news

କାରଖାନା ଉପରେ କରୋନା ମାଡ: ରୋଜାଗାର ହରେଇଲେଣି ହଜାର ହଜାର ଶ୍ରମିକ

0

ଅନୁଗୁଳ: କରୋନାର ପ୍ରଭାବରେ ଜର୍ଜରିତ ସାରା ବିଶ୍ୱ । ଏହି ମାହାମାରୀ କେବଳ ଯେ ଲକ୍ଷାଧିକ ଜୀବନ ନେଇଛି ତାହା ନୁହେଁ,ଆର୍ଥିକ ବ୍ୟବସ୍ଥାକୁ ବିଗାଡି ଦେଇଛି । ବହୁ ଲୋକଙ୍କ ଜୀବନ ଜୀବିକା ଉଜାଡି ଦେଇଛି । କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ । ଅଧିକାଂଶ ଶିଳ୍ପସଂସ୍ଥା ଗୁଡିକରେ ପଡିଛି ତାଲା । ଏକ ମାସରୁ ଅଧିକ ହେଲାଣି ନା ଆସି ପାରୁଛି କଚାଂମାଲ ନା ଉତ୍ପାଦିତ ଜିନିଷ ବିକ୍ରି ହୋଇ ପାରୁଛି । ହାତ ବାନ୍ଧି ବସିଛନ୍ତି ମାଲିକ । ରୋଜଗାର ହରାଇଛନ୍ତି ହଜାର ହଜାର ଶ୍ରମିକ ।

ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି । ଆକଳନ ଅନୁସାରେ ଅନୁଗୁଳ ଜିଲ୍ଲାରେ ୧୧୯୨ଟି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଜିଲ୍ଲା କେନ୍ଦ୍ର ଜରିଆରେ ପଜିଂକୃତ କରିଛନ୍ତି । ସେଗୁଡିକ ମଧ୍ୟରେ ପାଉଁଶ ଇଟା କାରଖାନା, ଫେବ୍ରିକେସନ, ଷ୍ଟିଲ, ଆଲୁମିନିୟମ, ପେପର ଟ୍ରେ ସମେତ ବହୁ କାରଖାନା ରହିଛି । ଏହି କାରଖାନା ଗୁଡିକରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରମିକ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । କିନ୍ତୁ କରୋନା ଯୋଗୁଁ ଏହି କାରଖାନା ଗୁଡିକ ବନ୍ଦ ହୋଇଯାଇଛି । କାମ କରୁଥିବା ଶ୍ରମିକ ମାନେ ନିଜ ନିଜ ଘରକୁ ଯାଇ ଆଉ ଆସି ପାରୁନାହାଁନ୍ତି । ଆବଶ୍ୟକ କଚାଂମାଲ ଆସି ପାରୁନାହିଁ । ଯାହା ଉତ୍ପାଦନ ହୋଇଛି ସେସବୁ ଗଦା ହୋଇ ରହିଛି ।

ବଜାର ବନ୍ଦ ଯୋଗୁଁ ବିକ୍ରି ହୋଇ ପାରୁନାହିଁ । ବାହାର ରାଜ୍ୟର ଯେଉଁ କେତେକ ଶ୍ରମିକ ରହି ଯାଇଛନ୍ତି ସେମାନଙ୍କ ପାଇଁ କାମ ନାହିଁ । କେବଳ ଗଣ୍ଡେ ଖାଇ ପଡି ରହିଛନ୍ତି । ଅନ୍ୟ ପକ୍ଷରେ କାରଖାନା ମାଲିକ ମାନେ ବ୍ୟାଙ୍କ ଋଣ, ବିଦ୍ୟୁତ୍ ବିଲ ଓ ଅନ୍ୟାନ୍ୟ ଖର୍ଚ ବହନ କରିବାକୁ ପଡୁଛି । ତେଣୁ ସେମାନେ ଆଉ କାରଖାନା ଚଳାଇବା ସ୍ଥିତିରେ ନାହାଁନ୍ତି । ସରକାର ଶିଳ୍ପ ସଂସ୍ଥା ମାନେ ଆବଶ୍ୟକ କଟକଣା ମାନି କାରଖାନା ଚଳାଇ ପାରିବେ ବୋଲି କୋହଳ କରିବା ପରେ ଅଳ୍ପ କିଛି ଶ୍ରମିକଙ୍କୁ ନେଇ କାମ ଆରମ୍ଭ ହୋଇଛି । ହେଲେ ଜନିଷ ପତ୍ର ଉତ୍ପାଦନ କରି କରିବେ କଣ? ବିକ୍ରି କରିବେ କେଉଁଠି? ଏହି ଚିନ୍ତାରେ ପଡି ଯାଇଛନ୍ତି । ଅନୁଗୁଳ ସହରରେ ଥିବା ଆଲୁମିନିୟମ କାରଖାନା ମାଲିକ ସରୋଜ ତୁଳସିଆନ ଓ ସୁନିଲ ତୁଳସିଆନଙ୍କ କହିବା କଥା ଅନୁସାରେ ସେଠାରେ କାମ କରୁଥିବା ପ୍ରାୟ ୨୫୦ କର୍ମଚାରୀ ଏବେ ବେକାର ।

ଏବେ ସୁଦ୍ଧା ସେ ୨୦ ଲକ୍ଷରୁ ଅଧିକ ଟଙ୍କା କ୍ଷତି ସହିଲେଣି । ଆଗକୁ ଆହୁରି କଣ ହେବ ତାହା ଜଣା ନାହିଁ । ଏଭଳି ଅବସ୍ଥା ଅନ୍ୟ ସମସ୍ତ କାରଖାନାର କାମ କରୁଥିବା ଶ୍ରମିକ ଚନ୍ଦନ କୁମାର, ପ୍ରଦୀପ ଅମାନ୍ତ, ହେମନ୍ତ ବୈଠଙ୍କ ସମେତ ବହୁ ଶ୍ରମିକ କୁହନ୍ତି ଆମେ ବର୍ଷ ବର୍ଷ ଧରି କାମ କରି ପରିବାର ପ୍ରତିପୋଷଣ କରି ଆସୁଛୁ । ଏବେ କାରଖାନା ବନ୍ଦ ଯୋଗୁଁ କାମ ନାହିଁ । ମାଲିକ କେତେଦିନ ଏମିତି ଆମକୁ ବସାଇ ଖାଇବାକୁ ଦେଉଥିବ । ଘରେ ପିଲା ଛୁଆ କଣ ଖାଇବେ । ଆଗକୁ ଯଦି ଏଭଳି ପରିସ୍ଥିତି ଲାଗି ରହେ ତେବେ ଆମେ ଭୋକ ଉପାସରେ ମରିଯିବୁ । ଶିଳ୍ପ ସଂସ୍ଥା ଦ୍ୱାରା କେବଳ ମାଲିକ ମାନେ ଲାଭବାନ ହେଉଛନପ୍ତି ତାହା ନୁହେଁ କାମ କରୁଥିବା ହଜାର ହଜାର ଶ୍ରମିକ ରୋଜଗାର କରନ୍ତି । ଶତାଧିକ ବ୍ୟବସାୟୀ, ପରିବହନରେ ନିୟୋଜିତ କର୍ମଚାରୀ ମଧ୍ୟ ଲାଭବାନ ହୁଅନ୍ତି ।

ଏହାଛଡା ସମ୍ପୃକ୍ତ ଅଚଂଳର ଆର୍ଥିକ ବିକାଶ ମଧ୍ୟ ହୁଏ । କିନ୍ତୁ ଶିଳ୍ପ ସଂସ୍ଥା ଗୁଡିକ ବନ୍ଦ ହୋଇଯାଇଛି । ଫଳରେ ସବୁ କ୍ଷେତ୍ରରେ କ୍ଷତି ହୋଇଛି । ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ବିଶେଷ କରି ଶିଳ୍ପ ସଂସ୍ଥା ଗୁଡିକ ଆବଶ୍ୟକ କଚାଂମାଲ ଯୋଗାଇ ଦେବା, ଉତ୍ପାଦିତ ଜିନିଷ ଗୁଡିକର ବିକ୍ରି ପାଇଁ ସୁବିଧା କରିବା, ବ୍ୟାଙ୍କ ଋଣ ସୁଧ ଛାଡ କରିବା ଓ ବିଦ୍ୟୁତ୍ ବିଲ ସାମାନ୍ୟ କମାଇବା ଆଦି ପଦକ୍ଷେପ ନନେଲେ ଆଉ ଶିଳ୍ପ ଗୁଡିକ ଚାଲି ପାରିବ ନାହିଁ । ଏଭଳି ହେଲେ ସବୁଠାରୁ କ୍ଷତି ସହିବେ ଶ୍ରମିକ ।

ସେମାନଙ୍କ ମେରୁଦଣ୍ଡ ଦୋହଲି ଯିବ । ଶ୍ରମିକ ମାନଙ୍କ ପରିବାର ଭୋକ ଉପାସରେ ରହିବେ । ଏହାକୁ ସ୍ୱୀକାର କରିଛନ୍ତି ଜିଲ୍ଲା ଶିଳ୍ପ କେନ୍ଦ୍ରର ଜିଏମ ଗଗନ ବିହାରୀ ନାୟକ । ତେବେ ଏହାର ସମାଧାନ ପାଇଁ ସରକାର ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ଆଗାମୀ ଦିନରେ କଣ ପଦକ୍ଷେପ ନିଆଯିବ ତାହା ଜଣା ପଡିବ ବୋଲି କହିଛନ୍ତି ଶ୍ରୀ ନାୟକ ।

Leave A Reply