Odisha news

ତିନିବର୍ଷ ହେଲା ଦାଦନ ଶ୍ରମିକ ନିଖୋଜ, ଦୁଇ ନାବାଳିକା ସହ ଦୁର୍ବିସହ ଜୀବନ କାଟୁଛି ବିରମଣି, ଥାନାରେ ଅଭିଯୋଗ ର ବର୍ଷେ ପରେବି ପ୍ରଶାସନ ଚୁପ

0
ସିନାପାଲି,୫।୭ : ପ୍ରଶାସନ ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ଯେତେ ନୀତି ନିୟମ ନିର୍ଦ୍ଧାରଣ କରୁଥିଲେ ମଧ୍ୟ ପ୍ରଶାସନିକ ଅବହେଳା ତଥା ଲୋକଙ୍କ ସଚେତନତାର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁ ନାହିଁ। ବାରମ୍ବାର ଦାଦନ ଶ୍ରମିକଙ୍କ ଦୁଃଖ ଲାଗିରହୁଛି। ଥମିବାର ନାଁ ଧରୁନି। ଦିନକୁ ଦିନ ବଢ଼ିବାରେ ଲାଗିଛି ଦାଦନ ଯନ୍ତ୍ରଣା । ବର୍ତ୍ତମାନ ଏଭଳି ଘଟଣା ଲୋକଲୋଚନକୁ ଆସିଛି। ସିନାପାଲି ଥାନା ଅନ୍ତର୍ଗତ ଗୋର୍ଲା ପଞ୍ଚାୟତ ଅରମେଲା ଠାରେ । ଅରମେଲା ନିବାସୀ ବୁଧୁରାମ ଚିନ୍ଦା ଙ୍କ ପୁଅ ଟିକଚନ୍ଦ ଚିନ୍ଦା(୩୮) ଆଜକୁ ପ୍ରାୟ ତିନିବର୍ଷ ହେଲା ଦାଦନ ଯାଇ ନିଖୋଜ ଅଛନ୍ତି। ପରିବାରରେ ବୃଦ୍ଧ ବାପାଙ୍କ ସହ ସ୍ତ୍ରୀ ବିରମଣି ଚିନ୍ଦା(୩୫) ଓ ଦୁଇ ନାବାଳିକା ଝିଅ ମେନକା (୧୧) ଏବଂ ବିଶ୍ୱକୁମାରି(୪) ଅସହାୟ ହୋଇପଡି ଦୁର୍ବିସହ ଜୀବନ ଯାପନ କରୁଛନ୍ତି। ଦାଦନ ଶ୍ରମିକ ଟିକଚନ୍ଦ ଚିନ୍ଦା କୁ ଖୋଜି ଫେରାଇ ଆଣିବା ପାଇଁ ପରିବାର ଲୋକେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି। ବରଂ ପରିବାର ଲୋକ ଙ୍କୁ ପ୍ରଶାସନ ପକ୍ଷରୁ ଚାପ ପକାଯାଇଥିବା ସେମାନେ ଅଭିଯୋଗ କରନ୍ତି। ପ୍ରାପ୍ତ ଖବର ଅନୁସାରେ ଟିକଚନ୍ଦ ଚିନ୍ଦା ପଡୋଶୀ ପୁଞ୍ଜିପଡା ଗ୍ରାମର ବ୍ରହ୍ମା ନିଆଲଙ୍କ ବାପପୁଅ ସହିତ ମିଶି ଦାଦନ ଖଟି ରୋଜଗାର କରିବାକୁ ସୁଦୂର ହାଇଦ୍ରାବାଦ କୁ ଯାଇଥିଲେ। ହେଲେ ସେଠାରେ କିଛିଦିନ କାମ କଲାପରେ ବ୍ରହ୍ମା ନିଆଲଙ୍କ ବାପପୁଅ ଦୁହେଁ ଘରକୁ ଫେରି ଆସିଥିଲେ। କିନ୍ତୁ ଟିକଚନ୍ଦ ଗାଁକୁ ଫେରିଲା ନାହିଁ। ପରିବାର ଲୋକେ ବ୍ରହ୍ମା ନିଆଲଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ପାଇଲେ ନାହିଁ। ପରେ ଦୀର୍ଘ ଦିନ ବିତିଯାଇଥିଲେ ବି ଟିକଚନ୍ଦ ର କୌଣସି ଖୋଜ ଖବର ମିଳିଲା ନାହିଁ। ଫଳରେ ପରିବାର ଲୋକେ ସିନାପାଲି ଥାନାରେ ୨୦୨୩ ଅଗଷ୍ଟ ୯ ତାରିଖ ଦିନ ଟିକଚନ୍ଦ ର ନିଖୋଜ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗର ଆଜକୁ ପ୍ରାୟ ଏକ ବର୍ଷ ହେବ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନଥିବା ପରିବାର ଲୋକେ କହିଛନ୍ତି। ନିଖୋଜ ଦାଦନ ଶ୍ରମିକ ଟିକଚନ୍ଦ ଚିନ୍ଦା ର ସ୍ତ୍ରୀ ବିରମଣି କୁ ପଚାରିବାରୁ ସ୍ୱାମୀ ଦାଦନ ଖଟିଯାଇ ନିଖୋଜ ହେବାର ପ୍ରାୟ ତିନିବର୍ଷ ହେଲା। ମୁଁ ଥାନାରେ ଅଭିଯୋଗ ବି କରିଛି। ପୁଲିସ ଖୋଜି ଦଉନି। ତୁମେ ଖୋଜ ଆମେ ଆଣିଦେଇ ଯିବୁ କହୁଛି ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ବିରମଣି ନିଜର ଦୁର୍ବିସହ ଜୀବନ କାଟୁଥିବା ଯନ୍ତ୍ରଣା ବଖାଣି କୁଆଡେ ଟଙ୍କା ପଇସା ଯୋଗାଡ଼ କରି ଖୋଜିବୁ ଯେ ସେମାନେ ଆଣି ଦେବେ ବୋଲି କୋହଭରା କଣ୍ଠରେ କୁହନ୍ତି। ବିରମଣିର ଜମିବାଡ଼ି କିଛି ନାହିଁ। ଘର ଖଣ୍ଡିକ ଏବଂ ରାସନ କାର୍ଡ ହିଁ ତାର ସମ୍ପତ୍ତି। ରାସନ କାର୍ଡରେ ମିଳୁଥିବା ଚାଉଳରେ ପରିବାର ଚଳନ୍ତି। ନିଖୋଜ ସ୍ୱାମୀକୁ ଖୋଜିବା ତା ପକ୍ଷରେ ସମ୍ଭବ ନୁହେଁ। ବର୍ତ୍ତମାନ ସେ ସ୍ୱାମୀଙ୍କୁ ଝୁରୀଝୁରୀ ମୁଣ୍ଡରେ ହାତ ଦେଇ ଦୁଇ ନାବାଳିକା ଝିଅକୁ ଦେଖି ବଞ୍ଚି ଥିବା କହନ୍ତି। ସାଙ୍ଗରେ ରହିବୁ,ଖାଇବୁ, ଦିପଇସା ରୋଜଗାର କରିବୁ କହି ମୋ ପୁଅକୁ ବ୍ରହ୍ମା ନିଆଲ ନେଇଗଲା। ସେମାନେ ଗାଁ କୁ ଫେରିଲେ। ମୋ ପୁଅ ଆଉ ଫେରିଲାନି। ପୁଲିସ ଥାନାରେ କେଶ କଲୁ। ପୁଅକୁ ଖୋଜିବା ପାଇଁ କହିବାରୁ ଆମକୁ ଟଙ୍କା ଦେଲେ ଖୋଜି ଆଣିଦେବୁ ବୋଲି ଥାନାରେ କହିଥିବା ବୃଦ୍ଧ ବାପା ବୁଧୁରାମ ଚିନ୍ଦା ପ୍ରକାଶ କରିଛନ୍ତି। ନିଖୋଜ ଦାଦନ ଶ୍ରମିକ ଟିକଚନ୍ଦ ର ପରିବାର ବର୍ତମାନ ଅସହାୟ ଅବସ୍ଥାରେ ଦୁର୍ବିସହ ଜୀବନ କାଟୁଛନ୍ତି। ତାଙ୍କ ପକ୍ଷେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ସମ୍ଭବ ନୁହେଁ। ଏଦିଗରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ନିଖୋଜ ଦାଦନ ଶ୍ରମିକ ଟିକଚନ୍ଦ ଚିନ୍ଦା କୁ ଖୋଜି ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ ନିବେଦନ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା କୁ ସାଧାରଣରେ ଦାବି ହେଉଛି।
Ad2
Leave A Reply