ସାବିତ୍ରୀଙ୍କ ଶଙ୍ଖା, କତୁରୀର ଦର ବି ଆକାଶ ଛୁଆଁ : ମୁନାଫାଖୋର ବ୍ୟବସାୟୀ ମାନେ ଲକଡାଉନର ଫାଇଦା ନେଇ ଚଢ଼ା ଦରରେ ବିକ୍ରି କଲେ ଫଳମୂଳ
ବେତନଟୀ : ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା । ଏହାକୁ ନେଇ ବେତନଟୀ ଓ ବୈଶିଙ୍ଗା ଥାନା ଅଧୀନରେ ଥିବା ଗ୍ରାମ ଗୁଡିକରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଲକ ଡାଉନରେ ଥିଲେ ମଧ୍ୟ ନିଜ ଘରେ ପୂଜାପାଠ ସହିତ ପତିଙ୍କ ଶୁଭ ମନାସିବାକୁ ନେଇ ବିବାହିତା ମହିଳା ମାନେ ପ୍ରସ୍ତୁତି କରି ଥିଲେ । ତେବେ ଲକ ଡାଉନରେ ଥିବାରୁ ଶାଢ଼ୀ ଦୋକାନରେ ଥିବା ପୁରୁଣା ଷ୍ଟକ ଥିବା ଶାଢ଼ୀ ଚଢ଼ା ଦାମରେ ବିକ୍ରି କରା ଯାଉ ଥିବାର ଦେଖା ଯାଇଛି ।
ନୂତନ ବସ୍ତ୍ର ଧାରଣର ନିୟମ ଥିବାରୁ ମହିଳା ମାନେ ବାଧ୍ୟ ହୋଇ ଏହାକୁ କିଣିବାକୁ ବାଧ୍ୟ ହୋଇଛନ୍ତି । ପୁଣି ପୋଲିସ ଆସିବ, ଦୋକାନ ବନ୍ଦ ହେବ ତେଣୁ ତୁରନ୍ତ ଶାଢ଼ୀ ବାଛି ନିଅନ୍ତୁ ବୋଲି କହି ଶାଢ଼ୀ ଦୋକାନୀ ତରବରରେ ଶାଢ଼ୀ ଗୁଡିକ ମହିଳା ମାନଙ୍କୁ ବିକ୍ରି କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁ ଥିବାର ଦେଖା ଯାଇଛି । ସେହିପରି ମନୋହରୀ ଦୋକାନରେ ମଧ୍ୟ ମହିଳାଙ୍କ ସାଜସଜ୍ଜା ସାମଗ୍ରୀ ଦରରେ ନିଆଁ ଲାଗି ଥିବାର ଦେଖା ଯାଇଛି । ଏପରିକି ସାବିତ୍ରୀ ବ୍ରତ କରୁ ଥିବା ମହିଳା ମାନଙ୍କର ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ରତ ଗୋଟାକ ଦୁଇ ଟଙ୍କା ବଦଳରେ ଦଶ ଟଙ୍କା, ମାଟି ଶଙ୍ଖା ଯୋଡାକ ପାଞ୍ଚ ଟଙ୍କା ବଦଳରେ ୧୫ ଟଙ୍କା, ଅଷ୍ଟଧାତୁ କତୁରୀ ଯୋଡାକ ଦଶ ଟଙ୍କା ବଦଳରେ ୩୦ ଟଙ୍କାରେ ବିକ୍ରି ହେୁ ଥିବାର ଦେଖା ଯାଇଛି ।
ସେହିପରି ଅଳତା, ସିନ୍ଦୁର, ନଖପଲିସ, ଆଇନା, ପାନିଆର ଦର ମଧ୍ୟ ଦୁଇରୁ ତିନି ଗୁଣ ରହିଛି । ଗତକାଲି ଓଡିଶା ତଟ ଦେଇ ଘସିହୋଇ ଯାଇ ଥିବା ଆମ୍ଫାନ ସାମୁଦି୍ରକ ଝଡର ପ୍ରଭାବ ମୟୂରଭଞ୍ଜରେ ବ୍ୟାପକ ପବନ ଓ ବର୍ଷା ଅନୁଭୂତ ହୋଇ ଥିଲା । ଏହି ଝଡ ପବନ ଯୋଗୁଁ ବିଶେଷ କରି ଗଛରୁ ନଡିଆ, ଆମ୍ବ, ପିଜୁଳି, ସପେଟା, ଜାମରୋଳ, ଲିଚୁ ଓ ଅନ୍ୟାନ ଫଳ ସବୁ ଝାଡି ଦେଇ ଥିଲା । ଏହା ବ୍ୟତୀତ ଚାଷୀ ମାନଙ୍କ ସପୁରୀ, କଦଳୀ ଓ ଅନ୍ୟାନ ଫଳ ମଧ୍ୟ ପ୍ରଭାବିତ ହୋଇ ଥିଲା । ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା ହୋଇ ଥିବାରୁ ଚାଷୀମାନେ ମଧ୍ୟ ଏହି କ୍ଷୟକ୍ଷତିକୁ ଖାତିର ନକରି ନିଜ ନିଜର ଫଳମୂଳ ବଜାରକୁ ପଠାଇ ଦେଇ ଥିଲେ ।
ଯେହେତୁ ସାବିତ୍ରୀ ଅମାବାସ୍ୟାର ପୂଜା ପାଇଁ ଫଳମୂଳର ଆବଶ୍ୟକତା ରହିଛି ତେଣୁ ଝଡ ଅଜାଡି ଦେଇ ଥିବା ଫଳମୂଳ ମଧ୍ୟ ବିକ୍ରି ହୋଇ ଯିବ ଏକଥା ଚାଷୀ ହୃଦୟଙ୍ଗମ କରି ଥିଲେ । ତେବେ ଏହାକୁ ନେଇ ସାବିତ୍ରୀ ବ୍ରତ କରିବାକୁ ଥିବା ପରିବାର ଗୁଡିକ ଫଳମୂଳ ଶସ୍ତା ହେବ ବୋଲି ଭାବି ଆଶାବାଦୀ ହୋଇ ପଡି ଥିଲେ । ହେଲେ କିଛି ସମୟରେ ମଧ୍ୟରେ ଖାଉଟୀ ମାନଙ୍କ ଆଶା ପାଣି ଫୋଟକା ପରି ମିଳେଇ ଯାଇ ଥିଲା । ଚାଷୀଙ୍କ ଫଳମୂଳ ଗୁଡିକ ବ୍ୟବସାୟୀ ମାନେ କବ୍ଚା କରି ନେଇ ଥିଲେ । ସେମାନେ ଏହି ଫଳମୂଳ ଗୁଡିକୁ ନିଜ ନିଜର ଇଚ୍ଛା ମୁତାବକ ଚଢ଼ା ଦରରେ ବିକ୍ରି କରି ଥିଲେ । ଏହା ସହିତ ଚାଲାଣି ଫଳ ମଧ୍ୟ ଏହି ବିପଣିରେ ସାମିଲ ଥିଲା । କଳଦୀ ଡଜନ ପିଛା ୫୦ରୁ ୬୦ ଟଙ୍କା, ଲିଚୁ କିଲୋ (ଡାଳ ସହିତ) ୧୨୦ରୁ ୧୫୦ ଟଙ୍କା, ଆମ୍ବ କିଲୋ ପିଛା ୮୦ରୁ ୧୦୦ ଟଙ୍କା, ନଡିଆ ଗୋଟାକ ୩୦ ଟଙ୍କା ଓ ଅନ୍ୟାନ ଫଳ ସବୁ ଚଢ଼ା ଦରରେ ବିକ୍ରି ହେଉ ଥିବାର ଦେଖା ଯାଇଛି ।