Odisha news

ଜଳ ନିଷ୍କାସନ ହୋଇ ପାରୁନଥିବାରୁ ପାଣିରେ ବୁଡ଼ିରହିଛି ଶହଶହ ହେକ୍ଟର୍ ଜମି

0
ସାଲେପୁର,୨୦/୮:- ସାଲେପୁର ବ୍ଳକ୍‌ ଅଞ୍ଚଳରେ ଚାଷ ଜମିରୁ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ ଫେଲ୍ ମାରିଛି। ଜଳ ନିଷ୍କାସନ ହୋଇପାରୁନଥିବାରୁ ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ପାଣିରେ ବୁଡ଼ିରହିଛି। ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି  ବହୁଗ୍ରାମ ଓ ତେନ୍ତାଳ ପଞ୍ଚାୟତରେ । ଏହି ଅଞ୍ଚଳରେ ଚାଷ ଜମି ସଂପୂର୍ଣ ଜଳମଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି ପାଣି ଜମି ରହୁଥିବାରୁ ରୁଆ ହୋଇଥିବା ଧାନ ତଳି ପଚି ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ମୂଲମଜୁରୀ ଦେଇ ଧାନ ରୋଇସାରିବା ପରେ ସପ୍ତାହେ ହେଲାଣି ପାଣି ଜମି ରହୁଥିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି। ଚଳିତ ବର୍ଷ ପାଣି ଅଭାବ କାରଣରୁ ବିଳମ୍ବରେ ଚାଷ କାମ ଆରମ୍ଭ ହୋଇଥିଲା। ଏବେ ପାଣି ନିଷ୍କାସନ ହେଉନଥିବାରୁ ଚାଷ ପୁଣି କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଦୀର୍ଘବର୍ଷ ଧରି ଡ୍ରେନେଜ୍ ବ୍ୟବସ୍ଥା ମରାମତି କରାଯାଉନଥିବାରୁ ଏଭଳି ସମସ୍ୟା ଉପୁଯୁଛି ।ଅନ୍ୟପକ୍ଷରେ କେବଳ ଚାଷ ଜମି ଜଳମଗ୍ନ ହୋଇନାହିଁ ସମ୍ପୃକ୍ତ ଦୁଇ ପଞ୍ଚାୟତର ସୀମାବର୍ତ୍ତୀ ବହୁଗ୍ରାମ ପଞ୍ଚାୟତର ସିଂହମାପୁରର ପ୍ରାୟ ୩୦ରୁ ଅଧିକ ପରିବାର ସପ୍ତାହେ ଧରି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଜଳ ନିଷ୍କାସନ ପାଇଁ ବ୍ଲକ ପ୍ରଶାସନକୁ ବାରମ୍ବାର ନିବେଦନ କଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଏଯାବତ୍ ସେମାନଙ୍କ ପାଇଁ ସରକାରୀ
ଯୋଜନାରେ ଭଲ ଘର କି ରାସ୍ତା ନାହିଁ । ଘର ଚାରିପଟେ ପାଣି ଜମି ରହିଛି। ଫଳରେ ଲୋକେ ଆଣ୍ଠୁଏ ପାଣିରେ ଯ’ଆସ କରୁଛନ୍ତି। ପୁଣି ଅନେକ ଗରିବ ପରିବାର ମାନଙ୍କର ମାଟି କାନ୍ଥ ପଡି ଭାଙ୍ଗୁରୁଜି ଯାଇଛି। ରୋଷେଇ କରିବା ପାଇଁ ବି ସେମାନେ ଦହଗଞ୍ଜ ହେଉଛନ୍ତି । ଘରୁ ବାହାରିଲେ ଆଣ୍ଠୁଏ ଉଚ୍ଚର ପାଣିରେ ପଶି ଗ୍ରାମ ମୁଖ୍ୟରାସ୍ତାକୁ ଆସିବାକୁ ପଡୁଛି। ପାଣି ମଧ୍ୟରେ ନଳକୂପ ବୁଡ଼ି ରହିଥିବାରୁ ଲୋକେ ପାନୀୟ ଜଳ ସମସ୍ୟାରେ ବି ପଡୁଛନ୍ତି। ଗୋରୁଗାଈଙ୍କ ଖାଦ୍ୟ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଲୋକେ ପାଣିରେ ଯାତାୟାତ କରିବା ଦ୍ବାରା ଚର୍ମରୋଗ, ଥଣ୍ଡା ଓ ଜରରେ ପୀଡ଼ିତ ହେଉଥିବାବେଳେ ଆଗକୁ ସଂକ୍ରମଣ ଭୟ ମଧ୍ୟ ରହିଛି। ଏଭଳି ଦୟନୀୟ ସ୍ଥିତିରେ ୩୦ଟି ପରିବାର ଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ନକଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି
Leave A Reply