ସାଲେପୁର : ସାଲେପୁର ଅଞ୍ଚଳର ଜଣେ ପ୍ରବାସୀ ଓଡ଼ିଆଙ୍କ ୨୦ଦିନ ପରେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ସମୟରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପ୍ରବାସୀ ଓଡ଼ିଆଙ୍କୁ ନେଇ ଏହି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା ଉପୁଜିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ କିଛି ଦିନ ତଳେ ଗୁଜୁରାଟର ସୁରଟରୁ ଆସିଥିବା ସାଲେପୁର ବ୍ଲକ୍ ଅଞ୍ଚଳର ଜଣେ ପ୍ରବାସୀ ଓଡ଼ିଆ ରାମେଶ୍ୱର କ୍ୱାରେଣ୍ଟାଇନ୍ ସେଣ୍ଟରରେ ୧୬ଦିନ ରହିବାପରେ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିଲା ।
ଉକ୍ତ ସେଣ୍ଟରରେ ଅନ୍ୟ ପ୍ରବାସୀ ଓଡ଼ିଆଙ୍କର କରୋନା ପଜିଟିଭ୍ ବାହାରିଥିବାରୁ ଏହି ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ୭ଦିନ ରହିବାପାଇଁ ପ୍ରସାଶନ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା । କିନ୍ତୁ ସଂପୃକ୍ତ ପ୍ରବାସୀ ଓଡ଼ିଆ ଜଣକ ହୋମ୍ କ୍ୱାରେଣ୍ଟାଇନ୍ରେ ନରହି ରାଇସୁଙ୍ଗୁଡ଼ା ବଜାର ସମେତ ଆଖପାଖ ଅଞ୍ଚଳରେ ବୁଲାବୁଲି କରିବା ସହ ବିଭିନ୍ନ ଲୋକଙ୍କ ସହ ମିଳାମିଶା କରିବା ଓ ରଜରେ ଦୋଳି ଖେଳିବା ଏବଂ ସାଙ୍ଗସାଥୀଙ୍କ ସହିତ ଭୋଜିକରି ଖାଇଥିବାର ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି ।
ସଂପୃକ୍ତ ବ୍ୟକ୍ତିର ଥଣ୍ଡା, ଜ୍ୱର ଆଦି ଲକ୍ଷଣ ଦେଖାଦେବାରୁ ଏହି ପ୍ରବାସୀ ଓଡ଼ିଆ ଜଣକ ସ୍ଥାନୀୟ ଆଶାକର୍ମୀଙ୍କ ଏହି ସଂପର୍କରେ ଅବଗତ କରାଇଥିଲେ । ଆଶାଙ୍କ ମାଧ୍ୟମରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ତାଙ୍କର ପୁନର୍ବାର ସ୍ୱାବ୍ ପରୀକ୍ଷା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ପଠାଇଥିଲେ । ସେଠାରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିବାପରେ ଏହି ଅଞ୍ଚଳରେ ଏବେ ଏହି ପ୍ରବାସୀ ଓଡ଼ିଆଙ୍କୁ ନେଇ କରୋନା ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଉପୁଜିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରବାସୀ ଜଣକ ଗାଁରେ ରହିଲା ସମୟରେ କେଉଁ କେଉଁ ଲୋକମାନଙ୍କ ସହ ମିଶିଛି, ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ୱାବ୍ ପରୀକ୍ଷା ପାଇଁ ଦାବି ହୋଇଛି ।