Odisha news

ପୂର୍ବତଟ ରେଳପଥ ପକ୍ଷରୁ 75 ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର ସ୍ଥିତ  ରେଳବାଇ  ଷ୍ଟାଡିଅମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ 75ତମ  ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା  ଭୂଷଣ ଜାତୀୟ ପତାକା ଉତ୍ତୋଳନ କରି କୋଭିଡ ପ୍ରଟୋକଲ ଅନୁପାଳନ ସହିତ ରେଳବାଇ ସୁରକ୍ଷା ବଳ (RPF) ଦ୍ଵାରା ଆୟୋଜିତ ପ୍ୟାରେଡ଼ରେ  ଅଭିବାଦନ ଗ୍ରହଣ କରିଥିଲେ |

ଏହି ଅବସରରେ ଶ୍ରୀ ବିଦ୍ୟା ଭୂଷଣ ପୂର୍ବ ତଟ ରେଳପଥର ପ୍ରଦର୍ଶନ ଓ ରେଳ କର୍ମଚାରୀମାନଙ୍କର ସାମୂହିକ ପ୍ରୟାସ ସହିତ ଯାତ୍ରୀ ସୁବିଧା,  ସୁରକ୍ଷା  ଓ ନିରାପତ୍ତା, ରେଳ ନେଟୱାର୍କର ସମ୍ପ୍ରସାରଣ,  ଡିଜିଟାଲ ପଦକ୍ଷେପ  ଏବଂ ମାନବ ସମ୍ବଳ ଉପରେ ଆଲୋକପାତ କରିବା ସହିତ କୋଭିଡ ମହାମାରୀ ସମୟରେ ଜରୁରୀ ସାମଗ୍ରୀ ପରିବହନ କ୍ଷେତ୍ରରେ କର୍ମଚାରୀ ମାନଙ୍କ ନିଷ୍ଠା ଓ ପ୍ରୟାସକୁ  ପ୍ରଶଂସା କରିଥିଲେ l ଏହି ଉତ୍ସବରେ ଅତିରିକ୍ତ ମହା ପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ରେଳ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ |

ପୂର୍ବତଟ ରେଳପଥର ବହୁମୁଖି ସଫଳତା ବିଷୟରେ ଉଲ୍ଲେଖ କରି  ଶ୍ରୀ ବିଦ୍ୟା ଭୂଷଣ ଗତ ଆର୍ଥିକ ବର୍ଷରେ ଅଦ୍ଭୁତପୂର୍ବ ପ୍ରଦର୍ଶନ ନିମନ୍ତେ ରେଳ କର୍ମଚାରୀ ମାନଙ୍କୁ ସେମାନଙ୍କର  ଉତ୍ସର୍ଗୀକୃତ ତଥା ଅବିଶ୍ରାନ୍ତ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଥିଲେ |  ଏହି ଅବସରରେ ମହାପ୍ରବନ୍ଧମ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ରେଳବାଇରେ ପୂର୍ବତଟ ରେଳପଥ ହେଉଛି ପ୍ରଥମ ଜୋନ ଯାହା ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ  ବିଶାଖାପାଟଣା ଠାରୁ ପ୍ରଥମେ ତରଳ ମେଡିକାଲ ଅମ୍ଳଜାନର ପରିବହନ କରିଥିଲା | ପରବର୍ତ୍ତି ସମୟରେ ଏହି ଜୋନ ତରଳ ମେଡିକାଲ ଅମ୍ଳଜାନର ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇ ଦ୍ୱାରା ଅମ୍ଳଜାନ ପରିବହନର ସିଂହ ଭାଗ ପରିବହନ କରିଛି |

ଗତ ଆର୍ଥିକ ବର୍ଷ ଠାରୁ ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଅଧିକ ମାଲ ପରିବହନ କରିଛି ଏବଂ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ଲୋଡିଂ ପାଇଁ ଧାର୍ଯ୍ୟ ଲକ୍ଷ୍ୟକୁ ମଧ୍ୟ ଅତିକ୍ରମ କରିଛି | ମହାପ୍ରବନ୍ଧକ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ହୋଇଛି | କୋଭିଡ -19 ମହାମାରୀ ସମୟରେ ପୂର୍ବତଟ ରେଳପଥ ଏହି ଅଦୃଶ୍ୟ ଶତ୍ରୁକୁ ସାହସର ସହିତ ସାମ୍ନା କରିଥିଲା ବୋଲି ଶ୍ରୀ ବିଦ୍ୟା ଭୂଷଣ କହିଛନ୍ତି।

ଶ୍ରୀ ବିଦ୍ୟା ଭୂଷଣ ଏହା ମଧ୍ୟ କହିଛନ୍ତି ଯେ, 2021-22 ରେ ଜୁଲାଇ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ସର୍ବାଧିକ ଲୋଡିଂ ହାସଲ କରିଛି | ଏହି ସମୟ ମଧ୍ୟରେ, ଏହି ରେଳବାଇ ଗତ ବର୍ଷ ସମାନ ସମୟ ତୁଳନାରେ 18MT (ନିୟୁତ ଟନ) ଅଧିକ ମାଲ ପରିବହନ କରିଛି | ଔଷଧ, ଖାଦ୍ୟ ଶସ୍ୟ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପାର୍ସଲ ପରିବହନ ପାଇଁ ପୂର୍ବତଟ ରେଳପଥ ମାଲବାହୀ ଟ୍ରେନ୍ ଗୁଡ଼ିକୁ ପ୍ରାଥମିକତା ଦେଇ ଚଳାଚଳ କରାଇଥିଲା ଏବଂ ଏହା ବ୍ୟତୀତ ଆମର ବହୁମୂଲ୍ୟ ଦ୍ରବ୍ୟ ଯଥା ଲୁହାପଥର, କୋଇଲା, ଇସ୍ପାତ ଇତ୍ୟାଦି କୁ ମଧ୍ୟ ପରିବହନ କ୍ଷେତ୍ରରେ ପ୍ରାଥମିକତା ଦେଇଥିଲା  |

ମହାମାରୀ ସମୟରେ ଟ୍ରେନ୍ ଚଲାଇବାରେ ଜଡିତ ଥିବା ଉତ୍ସର୍ଗୀକୃତ ସେବା ପାଇଁ ଲୋକୋ ପାଇଲଟ୍, ଷ୍ଟେସନ୍ ମାଷ୍ଟର, ଗାର୍ଡ, ଟିଟିଇ, ଆରପିଏଫ୍ କର୍ମଚାରୀ ଏବଂ ଅନ୍ୟାନ୍ୟ ବର୍ଗର କର୍ମଚାରୀଙ୍କ ଉଦ୍ୟମକୁ ମହାପ୍ରବନ୍ଧକ ପ୍ରଶଂସା କରିଥିଲେ। ଶ୍ରୀ ବିଦ୍ୟା ଭୂଷଣ ମଧ୍ୟ ରେଳବାଇ ଡାକ୍ତର, ନର୍ସ, ପାରାମେଡିକ୍, ସ୍ୱାସ୍ଥ୍ୟସେବା କର୍ମଚାରୀ, ଆରପିଏଫ୍ କର୍ମଚାରୀ, ଟ୍ରେନ୍ କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ସହାୟତା ବିଭାଗ ଏବଂ ଅନ୍ୟ ସମସ୍ତଙ୍କ ପାଇଁ ଯେଉଁ ମାନେ ସାହାସିକତା ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ସହିତ ସମାଜ ତଥା ଦେଶର ସେବା ପାଇଁ  କୋଭିଡ ସଂକ୍ରମଣ ସମୟରେ ନିଷ୍ଠାପର ସେବା ପ୍ରଦାନ କରିଥିବାରୁ ସେମାଙ୍କୁ ପ୍ରଶଂସା କରିଛନ୍ତି |

Comments are closed.