ଅଭୟ କୁମାର ଦାସ : ଦୈନନ୍ଦିନ ସଡ଼କଜନିତ ଭୟାନକ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏ କ୍ଷେତ୍ରରେ ସଚେତନତାକୁ ଗୁରୁତ୍ୱ ଦେବା ପାଇଁ ବିଦ୍ୟାଳୟ ପାଠ୍ୟକ୍ରମ ବିଷୟରେ ସଡ଼କ ସୁରକ୍ଷାକୁ ଅନ୍ତର୍ଭୁକ୍ତ କରାଯାଇଛି । ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଇତିହାସ, ରାଜନୀତି ବିଜ୍ଞାନ ସହ ଭୂଗୋଳରେ ମଧ୍ୟ ଏହା ସ୍ଥାନିତ ହୋଇଛି । ସୂଚାଇ ଦିଆଯାଇପାରେ ସଡ଼କ ସୁରକ୍ଷା କମିଟି ପକ୍ଷରୁ ବିଧିବଦ୍ଧ ଭାବେ ଚିନ୍ତା ପ୍ରକଟ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହା ଗତ ୨୦୧୬-୧୭ ଶିକ୍ଷା ବର୍ଷରୁ ସ୍ଥାନିତ ହୋଇଛି ।
ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ସମ୍ବନ୍ଧରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେବା ସହ ନିୟମାବଳୀ ସମ୍ପର୍କିତ ସବିଶେଷ ତଥ୍ୟ ପାଠ୍ୟ ପୁସ୍ତକରେ ସ୍ଥାନିତ ହୋଇଛି । ବର୍ତ୍ତମାନର ଶିକ୍ଷା ଖସଡ଼ାରେ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ ବିଜ୍ଞାନ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ସମ୍ପର୍କରେ ଶିକ୍ଷା ଦିଆଯାଉଥିବା ବେଳେ ତୃତୀୟ ଶ୍ରେଣୀରେ ଜଣା ଅଜଣା ପାଠ୍ୟ ପୁସ୍ତକରେ ସଡ଼କ ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ସୂଚିତ ହୋଇଛି । ଆମେ ଓ ଆମ ପରିବେଶ ପୁସ୍ତକ ଯାହାକି ଚତୁର୍ଥ ଶ୍ରେଣୀର ଶିକ୍ଷା ଖସଡ଼ାରେ ରହିଛି ସେଥିରେ ସାଧାରଣ ଦୁର୍ଘଟଣା ଓ ପଞ୍ଚମ ଶ୍ରେଣୀର ପରିବେଶ ବିଜ୍ଞାନ ପୁସ୍ତକରେ ସାମାଜିକ ଶୃଙ୍ଖଳା ବିଷୟରେ ରାସ୍ତା ଦୁର୍ଘଟଣାର କାରଣ, ଏଥିରୁ ରକ୍ଷା ପାଇବାର ଉପାୟ, ସାମାଜିକ ଦାୟିତ୍ୱ ଆଦି ବିଷୟରେ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି । ପୋଥିଗତ ବିଦ୍ୟା ଭାବରେ ପିଲାଙ୍କ ବହିରେ ଏସବୁ ସ୍ଥାନିତ ହେବା ବ୍ୟତୀତ ନିୟମିତ ଭାବେ ବିଭିନ୍ନ ସଚେତନଧର୍ମୀ ସ୍ଲୋଗାନ, ପ୍ରବନ୍ଧ, ତର୍କ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।
ଏହାପାଇଁ ବିଭାଗୀୟ କ୍ଷେତ୍ରରେ ପିଲାମାନଙ୍କ ଶ୍ରେଣୀ ରୁଟିନ୍ରେ ଦୁଇଟି ପିରୟଡ଼ ରହିଛି । କେବଳ ସେତିକି ନୁହେଁ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କ୍ଳାସ ଆରମ୍ଭ ପୂର୍ବରୁ ପ୍ରାର୍ଥନା ଶ୍ରେଣୀରେ ଯେଉଁ ନୈତିକତା, ଜ୍ଞାନବିଜ୍ଞାନ ସୂଚନା ବ୍ୟବସ୍ଥା ରହିଛି ସେଥିରେ ସଡ଼କ ସୁରକ୍ଷା ମଧ୍ୟ ଯୋଡ଼ା ଯାଇଛି । ଚଳିତ ବର୍ଷ ଶିକ୍ଷା ବର୍ଷରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ଇତିହାସ ଓ ଭୂଗୋଳ ପୃଷ୍ଠା ପାଇଁ କଭର ପୃଷ୍ଠା ପଛପଟେ ସଡ଼କ ସୁରକ୍ଷା ସଂକ୍ରାନ୍ତ କରଣୀୟ ଓ ଅକରଣୀୟ ତଥ୍ୟ ସୂଚିତ କରାଯାଇଛି । ସଡ଼କ ସୁରକ୍ଷା ଭିତ୍ତିରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିବା ଏପରି ପିଲାମାନେ ବିଦ୍ୟାଳୟ ବସରେ ଚଢ଼ିବା ବେଳେ ଗୋଟିଏ ଧାଡ଼ିରେ ଛିଡ଼ା ହୋଇ ଶୃଙ୍ଖଳା ରଖିବା, ପାଦଚଲା ରାସ୍ତାରେ ଯାଉଥିବାବେଳେ ଫୁଟ୍ପାଥ ବ୍ୟବହାର, ରାତିରେ ସାଇକେଲରେ ପ୍ରତିଫଳକ ପଟି ଲଗାଇବା, ଚାଲି ଚାଲି ରାସ୍ତା ପାର ହେଉଥିଲେ ଜେବ୍ରା କ୍ରସିଂ ଓ ଫୁଟ୍ଓଭର ବ୍ରିଜ୍ ବ୍ୟବହାର ପରି ବିଭିନ୍ନ ତଥ୍ୟ ସୂଚିତ ହୋଇଛି ।
ସୂଚନା ପ୍ରଯୁକ୍ତିର ବୈପ୍ଳବିକ ପ୍ରଗତି, ଡିଜିଟାଲ ଇଣ୍ଡିଆର ଭେଳିକି, ସଚେତନତା ପାଇଁ କୋଟି କୋଟି ଟଙ୍କାର ଟଙ୍କା ଶ୍ରାଦ୍ଧ ହୋଇ ବି ଉଦ୍ବେଗଜନକ ଭାବରେ ସଡ଼କ ଦୁର୍ଘଟଣାରେ ଅନେକଙ୍କ ଜୀବନ ଦୀପ ନିର୍ବାପିତ ହୋଇଯାଉଛି । ନିକଟରେ ଜାତୀୟ ଅପରାଧ ରେକର୍ଡ଼ ବୁ୍ୟରୋ ତଥ୍ୟ ଅନୁଯାୟୀ ଭାରତରେ ଗୋଟିଏ ଘଣ୍ଟା ଭିତରେ ସେଥିରେ ପାଖାପାଖି ୧୬ଜଣଙ୍କ ପ୍ରାଣହାନୀ ହୋଇଛି । ଏହି ପରିସଂଖ୍ୟନକୁ ହିସାବ କଲେ ଭାରତରେ ପ୍ରତିଦିନ ୩୮୪ଜଣଙ୍କ ଜୀବନ ହାନୀ ହେଉଛି ।
କେବଳ ଗତବର୍ଷ ସମଗ୍ର ଭାରତରେ ୪ଲକ୍ଷ ୫୦ ହଜାରରୁ ଉଦ୍ଧ୍ୱର୍ ସଡ଼କ ଦୁର୍ଘଟଣାରେ, ୧ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ହେବା ସହ ୫ଲକ୍ଷ ପାଖାପାଖି ଲୋକେ ଗୁରୁତର ଭାବେ ଆହତ ହେଉଛନ୍ତି । କେତେକ ବିକଳାଙ୍ଗ ହୋଇ ସାରା ଜୀବନ ବିତାଉଥିବାର ଛାତିଥରା ଘଟଣାଟି ହେଉଛି ଏହା । ସମଗ୍ର ପୃଥିବୀରେ ଅନ୍ୟ ରାଷ୍ଟ୍ର ତୁଳନାତ୍ମକ ପରିସଂଖ୍ୟନରେ ଭାରତର ରାସ୍ତା ସବୁଠାରୁ ଅଧିକ ଦୁର୍ଘଟଣା ପ୍ରବଣ । ଗତ ୨୦୧୩ରେ ଦେଶରେ ଘଟିଥିବା ଦୁର୍ଘଟଣା ସଂଖ୍ୟା ଥିଲା ପ୍ରାୟ ୫ ଲକ୍ଷ ଏବଂ ଏଥିରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିଲା ।
ସଡ଼କ ଦୁର୍ଘଟଣାର ଭୟାବହତାର ତଥ୍ୟ ଯାହା ଅନେକ ହତଭାଗ୍ୟଙ୍କ ବୃତ୍ତିଗତ କ୍ଷେତ୍ର ଠାରୁ ପାରିବାରିକ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଥାଏ । ସଡ଼କ ଦୁର୍ଘଟଣାକୁ କେତେକାଂଶରେ ରୋକିବା ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ବହୁତ କିଛି କାର୍ଯ୍ୟ ହେଉଥିବାର ଢ଼ୋଲ ପିଟାଯାଉଛି । କିନ୍ତୁ କିଛି ଫଳ ମିଳୁ ଥିବାର ତ ଦେଖାଯାଉନାହିଁ? ତେବେ ଆଉ ଗୋଟିଏ ଉଦ୍ବେଗ ଜନକ ପ୍ରସଙ୍ଗ ହେଉଛି ଯେ ଘଟଣାସ୍ଥଳରେ ମୁର୍ମୁଷୁ ହୋଇଥିବା ଲୋକଟିକୁ ତକ୍ରାଳ ଚିକିତ୍ସାଳୟକୁ ନେଇ ପାରିଲେ ହୁଏତ କିଛି ଲୋକଙ୍କ ଜୀବନ ଅନ୍ତତଃ ବଞ୍ଚôଯାଇପାରନ୍ତା । ଏଥିପାଇଁ ଆବଶ୍ୟକ ଦୁର୍ଘଟଣାର ଆହତଙ୍କୁ ଠିକଣା ସମୟରେ ଚିକିତ୍ସା ଏବଂ ସର୍ବନିମ୍ନ ସଡ଼କ ସୁରକ୍ଷା ନିୟମର ପାଳନ ।
ଆଇନ କମିସନଙ୍କ ଏକ ଜାନୁଆରୀ ୨ରୁ ୯ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ଅବସରରେରିପୋର୍ଟ ଅନୁଯାୟୀ ସଡ଼କ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକଙ୍କ ଜୀବନ ରକ୍ଷା ହୋଇପାରନ୍ତା, ଯଦି ସେମାନଙ୍କୁ ଠିକଣା ସମୟରେ ଚିକିତ୍ସା ସୁବିଧା ମିଳି ପାରନ୍ତା । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା ଅନେକ କ୍ଷେତ୍ରରେ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ଠିକଣା ସମୟରେ ଚିକିତ୍ସା ସୁବିଧା ମିଳି ପାରୁନାହିଁ । ଏଥିପାଇଁ ଜରୁରୀ ଆମ୍ବୁଲାନ୍ସ ସେବାର ଅଭାବ ମୁଖ୍ୟତଃ ଦାୟୀ ହୋଇଥିଲେ ସୁଦ୍ଧା ଆଇନଗତ ସମସ୍ୟା ମଧ୍ୟ ଏ କ୍ଷେତ୍ରରେ ଏକ ବାଧକ । ସହାୟତାକାରୀଙ୍କୁ ସୁରକ୍ଷା ପ୍ରଦାନ ଲାଗି ଆଗତ ଏକ ଜନସ୍ୱାର୍ଥ ମାମଲା ୨୦୧୧ରୁ ସୁପ୍ରିମକୋର୍ଟର ବିଚାରାଧୀନ ରହିଛି । ଏ ବିଷୟରେ କୋର୍ଟ ଏକ କମିଟି ଗଠନ କରିଥିଲେ ସୁଦ୍ଧା କିଛି ଚୂଡ଼ାନ୍ତ ହୋଇ ନାହିଁ । ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇ ସହାୟତାକାରୀଙ୍କୁ ସୁରକ୍ଷା ପ୍ରଦାନ ଲାଗି ଆଇନ ଓ ନିୟମର ଆବଶ୍ୟକ ସଂଶୋଧନ ହେବା ଏକାନ୍ତ ଆବଶ୍ୟକ ।
ସଡ଼କ ଦୁର୍ଘଟଣାର ବିଭିନ୍ନ କାରଣ ଭିତରେ ନିଶାଦ୍ରବ୍ୟ ସେବନ ପ୍ରଥମ । ମାନ୍ୟବର କୋର୍ଟ ପ୍ରଥମେ ଜାତୀୟ ରାଜପଥ କଡ଼ରୁ ମଦ ଦୋକାନ ହଟାଇବା ପାଇଁ ନିଦେ୍ର୍ଦଶ ଦେଇଥିଲେ ବି ମାନ୍ୟବର ନ୍ୟାୟାଳୟର ରାୟ ସରକାରଙ୍କ ନାଲିଫିତା ତଳେ ବନ୍ଧା ହୋଇ ଯାହା ଧୂଳି ହିଁ ଖାଉଛି । ସେହିପରି ଆମ ସଡ଼କର ଗୁଣାତ୍ମକ ମାନ ଭଲ ରହୁନଥିବାରୁ ରାସ୍ତା ଦବି ଯିବା ଦ୍ୱାରା ବା ଫାଟ ସୃଷ୍ଟି ହେବା ଦ୍ୱାରା ବିଭିନ୍ନ ସମୟରେ ଦେଖାଯାଇଥାଏ । ସେହିପରି ମାତ୍ରାଧିକ ବେଗରେ ଗାଡ଼ି ଚାଳନା, ଯୁବକମାନଙ୍କ ଭିତରେ ଡେୟାର ଡ୍ରାଇଭିଂ, ବିନା ହେଲମେଟ ବ୍ୟବହାର, ବଡ଼ଯାନର ସିଟ ବେଲଟ୍ ବ୍ୟବହାର ନ ହେଉଥିବାର, ଟ୍ରାଫିକ ନିମୟ ସମ୍ପର୍କରେ ସଚେତନ ନହୋଇଥିବାରୁ ଏହା ବି ଏକ ପ୍ରକାର କାରଣ । ତେବେ ଏ ନେଇ ସରକାରଙ୍କ ଉପରେ ସବୁଯାକ ଦୋଷ ଲଦିଲେ ଏପରି ଏକ ଉଦ୍ବେଗଜନକ ପ୍ରସଙ୍ଗର ଅନ୍ତଃ ଘଟିପାରିବ ନାହିଁ । ସର୍ବୋପରି ଆମ ସମସ୍ତଙ୍କର ସଚେତନତା ସୃଷ୍ଟି ପାଇଁ ସହଯୋଗର ହାତ ବଢ଼ାଇବା ବି ନିହାତି ଜରୁରୀ ।