ଡ଼ଃ. ଅରୁନ୍ଧତୀ ଦେବୀ : ଓଡ଼ିଶାର ବୌଦ୍ଧ କୀର୍ତ୍ତିବିମଣ୍ଡିତ ହୀରକ ତ୍ରିଭୁଜର କ୍ଷେତ୍ର ଉଦୟଗିରି ହେଉ ବା ଉପକୂଳ କେନ୍ଦ୍ରାପଡ଼ା, ସବୁଜ ବନାନୀର ଭୂସ୍ୱର୍ଗ ଦେବଗଡ଼ ହେଉ ବା କେରଳ । ସବୁ କୋଣ ଅନୁକୋଣରୁ ଭାରତୀୟତାର ମହାମନ୍ତ୍ରକୁ ନେଇ ପୃଥିବୀର ବିଭିନ୍ନ ଦେଶରେ ନିଜ ପ୍ରତିଭାକୁ ବିକଶିତ କରିବା ସହ ନିଜ ଦେଶ, ନିଜ ରାଜ୍ୟ ସର୍ବୋପରି ନିଜ ଜନ୍ମ ଭୂଇଁର ନାମକୁ ଉତୁଙ୍ଗଶିଖରରେ ପହଞ୍ଚାଇ ପାରିଛନ୍ତି । କର୍ମସଂସ୍ଥାନ ଓ ନିଜର ଶ୍ରେଷ୍ଠ ପ୍ରତିଭାକୁ ବିକଶିତ କରିବା ପାଇଁ ଭାରତ ବାହାରେ ସାଉଥ ଆଫ୍ରିକା ଠାରୁ ଆମେରିକା, ନେପାଳ ଠାରୁ ପାକିସ୍ଥାନ, ଚୀନ ଠାରୁ ଋଷ ସବୁଠି ଓଡ଼ିଆମାନେ ଭାରତର ମାତାର ସନ୍ତାନ ଭାବରେ ନିଷ୍ଠାପର ଭାବେ ନିଜ ବୃତ୍ତି ସମ୍ପନ୍ନ ସହ ନିଜ ଜନ୍ମ ମାଟି ପାଇଁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଯଥାର୍ଥରେ ସେମାନେ ଜଣେ ଜଣେ ପ୍ରବାସର ଧର୍ମପଦ ।
ଓଡିଆ ମାଟି, ପାଣି, ପବନ ହେଉ ବା ଗୁଜୁରାଟର ଭାଇଚାର, ନୂଆ ଦିଲ୍ଲୀର ସଂସ୍କୃତି ହେଉ ବା ମହାରାଷ୍ଟ୍ରର ମରାଠୀ ଚିନ୍ତନ । ସମସ୍ତଙ୍କର କିନ୍ତୁ ଗୋଟିଏ ପରିଚୟ ତାହା ହେଉଛି ଆମେ ଭାରତ ମାତାର ସନ୍ତାନ । ଆଜି ପୃଥିବୀର ସବୁ ଦେଶରେ ଭାରତୀୟମାନେ ଭର୍ତ୍ତି ହୋଇଛନ୍ତି । ନିଜ ଦେଶର ଆଧ୍ୟାତ୍ମିକ ବିଭୋବ ତଥା ନିଜର ସୁଦକ୍ଷ ପ୍ରତିଭାର ମୂଲ୍ୟାୟନ ହୋଇପାରୁଛି ସମଗ୍ର ବିଶ୍ୱ ଦରବାରରେ । ଉଦୟଗିରି ହେଉ ବା ଲଳିତଗିରିର ପଥର ଗଡ଼ୁଥିବା ବିନ୍ଧାଣୀମାନେ ସମଗ୍ର ବିଶ୍ୱର ଦାଦା ବୋଲାଉଥିବା ଆମେରିକାରେ ବେଶ ପ୍ରଶଂସିତ । କେବଳ ଲଳିତକଳା ନୁହେଁ ଚିକିତ୍ସା ବିଜ୍ଞାନ ଠାରୁ ସୂଚନା ପ୍ରଯୁକ୍ତି ସାରସ୍ୱତ ସାହିତ୍ୟ ଠାରୁ ଲଳିତ ଚିତ୍ରକଳାର ଅପୂର୍ବ ସମାହାର, କ୍ରୀଡ଼ା ଠାରୁ ରାଜନୀତି ସବୁ କ୍ଷେତ୍ରରେ ଭାରତୀୟମାନେ ପ୍ରବାସରେ ବେଶ ସୁନାମ ଅର୍ଜନ କରିବା ସହ ଭାରତୀୟ ଚିନ୍ତା ଓ ଚେତନାର ମାନବୀୟ ମୂଲ୍ୟବୋଧକୁ ପ୍ରଚାର ଓ ପ୍ରସାର କରିବାରେ ସମର୍ଥ ହୋଇଛନ୍ତି ।
ସମଗ୍ର ବିଶ୍ୱର ସର୍ବଶକ୍ତିମାନ ପରାକ୍ରମର ନାଲି ଆଖି ଦେଖାଉଥିବା ଆମେରିକାର ଗଣତାନ୍ତ୍ରିକ ବ୍ୟବସ୍ଥାରେ ମଧ୍ୟ ଭାରତୀୟମାନେ ସାମିଲ ହୋଇଛନ୍ତି । ସେଠାକାର ସିନେଟରେ ଭାରତୀୟ ନିର୍ବାଚିତ ହୋଇ ଆମେରିକାବାସୀଙ୍କ ପାଖରେ ନିଜର କର୍ମ ଦକ୍ଷତା ଦ୍ୱାରା ବେଶ ଶ୍ରଦ୍ଧାଶୀଳ ହୋଇପାରିଛନ୍ତି । ବିଦେଶର ବିଚାର ନ୍ୟାୟାଳୟରେ ଭାରତୀୟମାନେ ନ୍ୟାୟବତ୍ତାର ଭାବେ ନ୍ୟାୟର ନିକିତିରେ ଉଚିତ ନ୍ୟାୟ ପ୍ରଦାନ କରି ଭାରତୀୟତାର ମହାମନ୍ତ୍ରକୁ ପ୍ରମାଣିତ କରିପାରିଛନ୍ତି । ମହାତ୍ମାଗାନ୍ଧୀଙ୍କ ଦକ୍ଷିଣ ଆଫି୍ରକ ଯାତ୍ରା ହେଉ ବା ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣ ସବୁଠି ଭାରତୀୟତାର ଛାପ ରହିଛି ।
ବିଦେଶରେ ରହିବି ଅନେକ ଆମର ପ୍ରିୟ ଧର୍ମପଦମାନେ ନିଜ ଜନ୍ମମାଟିର ସେବା ପାଇଁ ଭୁଲି ନାହାଁନ୍ତି । ଗାଁରେ ବିଦ୍ୟାଳୟ ହେଉ ବା ଡାକ୍ତରଖାନା । ଦେବାଳୟ ହେଉ ବା ଅନାଥଶ୍ରମ ସବୁଠି ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଛନ୍ତି । ପ୍ରବାସରେ ରହି ବିଦେଶ ରଙ୍ଗୀନ ସଂସ୍କୃତି ସେମାନଙ୍କର ଚିନ୍ତା ଓ ଚେତନାକୁ ରଙ୍ଗୀନ କରିନାହିଁ । ଆଜି ସମଗ୍ର ବିଶ୍ୱରେ ଅହିଂସା ଓ ପଞ୍ଚମାନବୀୟ ମୂଲ୍ୟବୋଧର ମଶାଲ କୋଣ ଅନୁକୋଣରେ ପହଞ୍ଚô ପାରିଛି । ଏହା ସମ୍ଭବ ହୋଇଛି କେବଳ ସେହି ଧର୍ମପଦ ମାନଙ୍କ ନୀତିନିଷ୍ଠ ଓ ଦାୟିତ୍ୱ ସମ୍ପନ୍ନ ଚିନ୍ତା ଓ ଚେତନା ପାଇଁ । ବିଦେଶରେ ରହି ଉଚ୍ଚଶିକ୍ଷା ଲାଭ କଲାପରେ କେହି କେହି ଭାରତ ଫେରି ଆସୁଥିବାବେଳେ କେହି କେହି ନିଜ ପ୍ରତିଭାର ମୂଲ୍ୟାୟନ ସମଗ୍ର ବିଶ୍ୱବାସୀଙ୍କ ପାଇଁ ରଖିବାକୁ ବିଦେଶ ମାଟିରେ ରହୁଛନ୍ତି । ତଥାପି ସେମାନେ ଓଡ଼ିଆ ସଂସ୍କୃତି ଓ ରୀତିନିତିକୁ ଭୁଲୁନାହାଁନ୍ତି ।
ଜଣେ ଯୋଗଜନ୍ମାକୃତି ଓଡ଼ିଆ ଭାବେ ଶୀତିକଣ୍ଠ ଦାସ ବିଦେଶରେ ସୁନାମ ଅର୍ଜନ କରିବା ସହ ନିଜ ଓଡ଼ିଶାର ସର୍ବମଙ୍ଗଳ ଉନ୍ନତି ପାଇଁ ଭୂୟଂଶୀ ଓ ଆଦର୍ଶଣୀୟ ଉଦ୍ୟମ ଜାରି ରଖିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପୃଥିବୀର ବିଭିନ୍ନ ଦେଶରେ ଥିବା କେବଳ ଓଡ଼ିଆମାନେ ନୁହେଁ ଖ୍ରୀଷ୍ଟିଆନ ଶ୍ୱେତାଙ୍ଗମାନଙ୍କ ଦ୍ୱାରା ରଥଯାତ୍ରା ସହ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ପ୍ରତିଷ୍ଠା ହେଉଛି । ଅପୂର୍ବ ହସ୍ତକଳାର ଚାତୁରୀ ଭରି ରହିଥିବା ବାନ୍ଧର ଶ୍ରେଷ୍ଠ କଳା ସମ୍ବଲପୁରୀ ଶାଢ଼ୀକୁ ଆଜି ଆମେରିକାର ରାଷ୍ଟ୍ରପତିଙ୍କ ସହଧର୍ମିଣୀ ପସନ୍ଦ କରୁଛନ୍ତି । ବିକଳାନନ୍ଦ କରଙ୍କ ରସଗୋଲା ହେଉ ବା ବାଲେଶ୍ୱର ଛେନାମୁଡ଼କୀ ସବୁ ଆଜି ବିଦେଶରେ ଭାରି ଲୋକପ୍ରିୟ ।
ବିଦେଶରେ ରହି ଅନେକ ଭାରତୀୟ ଲେଖକ ଓ ସାମ୍ବାଦିକତା ବୃତ୍ତିରେ ନିଜ ନିରପେକ୍ଷତାର ପ୍ରମାଣ ରଖିଛନ୍ତି । କେବଳ ସେତିକି ନୁହେଁ ପ୍ରବାସରେ ରହିବି ନିଜ ରାଜ୍ୟର ସର୍ବୋପରି ନିଜ ଜନ୍ମ ଭୂମିର ପାର୍ବଣକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିବା ସହ ନିଜ ରାଜ୍ୟର କଳାକାର, ଲେଖକ ଲେଖିକା, ବୁଦ୍ଧିଜୀବି, ରାଜନେତା, ସମାଜସେବକ, ଗଣମାଧ୍ୟମ ପ୍ରତିନିଧି, ଆଧ୍ୟାତ୍ମିକ ବ୍ୟାଖ୍ୟାକାର ମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ପ୍ରତିଭା ବିଭବକୁ ସମଗ୍ର ବିଶ୍ୱ ଦରବାରରେ ପହଞ୍ଚାଇ ନିଜ ଜନ୍ମ ଭୂଇଁର ମହକକୁ ସମସ୍ତଙ୍କ ପାଇଁ ସୁଗନ୍ଧର ପ୍ରେରଣା ସୃଷ୍ଟି କରିପାରୁଛନ୍ତି । ଆଜି ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରବାସର ସେହି ଧର୍ମପଦମାନଙ୍କ ଭିତରେ ନିଜ ରାଷ୍ଟ୍ର ପାଇଁ ନିଜ ଜାତି ପାଇଁ, ନିଜ ରାଜ୍ୟ ପାଇଁ, ନିଜ ଜନ୍ମ ଭୂମି ପାଇଁ ମୂଲ୍ୟବୋଧର ଦାୟିତ୍ୱ ସମ୍ପାଦନକୁ ଅଧିକ କର୍ତ୍ତବ୍ୟନିଷ୍ଠ କରିବାର ଶପଥର ଦିବସ ହେଉ ଏହା ହିଁ କାମନା ।