ପୁରୀ : ସ୍ୱାଧୀନତା ପୂର୍ବରୁ ପୁରୀରେ ରହିଥିବା ରେଳ ଡାକସେବା ଖୋର୍ଦ୍ଧାରୋଡକୁ ସ୍ଥାନାନ୍ତରିତ କରାଯିବା ପାଇଁ ଚିଫ ପୋଷ୍ଟମାଷ୍ଟର ଜେନେରାଲ, ଓଡିଶା ଆଦେଶ ଦେଇଛନ୍ତି । ଏହି ଆଦେଶ ତୁରନ୍ତ ପ୍ରତ୍ୟାହାର କରାଯାଇ ପୂର୍ବଭଳି ପୁରୀରେ ରେଳ ଡାକସେବା(ଆରଏମଏସ) କାର୍ଯ୍ୟାଳୟକୁ ରଖାଯିବା ପାଇଁ ଶ୍ରୀଜଗନ୍ନାଥ ସେବା ପକ୍ଷରୁ ଦାବି କରାଯାଇଛି ।
ଏ ସଂକ୍ରାନ୍ତରେ କେନ୍ଦ୍ର ଯୋଗାଯୋଗ ସଚିବଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ଦର୍ଶାଯାଇଛି ଯେ ଆରଏମଏସ ଯୋଗୁ କେବଳ ସ୍ଥାନୀୟ ଲୋକ ନୁହନ୍ତି ହଜାର ହଜାର ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଉପକୃତ ହୋଇଥାନ୍ତି । ସହରରେ ଥିବା ଡାକଘର ଗୁଡିକ ସକାଳ ୧୦ଟାରେ ଖୋଲେ ଓ ଅପରାହ୍ନ ୪ଟାରେ ବନ୍ଦ ହୋଇଯାଏ ।
ମାତ୍ର ଆରଏମଏସରେ ସକାଳ ୭ଟାରୁ ଦିନ ୧୦ଟା ଓ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ସମସ୍ତ ଡାକସେବା ମିଳିଥାଏ । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ସ୍ଥାନାନ୍ତର ନିଷ୍ପତ୍ତିରୁ ନ ଓହରିଲେ ପୁରୀର ସ୍ୱାର୍ଥରକ୍ଷା ପାଇଁ ଆନେ୍ଦାଳନ ସହିତ ଆଇନର ଆଶ୍ରୟ ନିଆଯିବ ବୋଲି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।