Odisha news

ରଥ ନିର୍ମାଣର ନିୟୋଜିତ ସେବାୟତଙ୍କୁ ଦିଆଗଲା ସ୍ୱତ୍ନନ୍ତ୍ର ପରିଚୟ ପତ୍ର

0

ପୁରୀ :ରଥନିର୍ମାଣ କାର୍ଯ୍ୟ ଲାଗି ରଥଖଳା ହୋଇଉଠିଛି ଚଳଚଞ୍ଚଳ । ରଥ ନିର୍ମାଣରେ ନିୟୋଜିତ ବିଶ୍ୱକର୍ମା ମହାରଣା, ରଥଭୋଇ, କରତି ଓ ରୂପକାର ସେବାୟତମାନଙ୍କୁ ସ୍ୱତନ୍ତ୍ରଭାବେ ପରିଚୟ ପତ୍ର ପ୍ରଦାନ କରାଯାଇଛି । ରଥନିର୍ମାଣ ଆରମ୍ଭ ଦ୍ୱିତୀୟ ଦିନରେ ୬ଟି ତୁମ୍ବରେ ବିନ୍ଧ କାମ ଆରମ୍ଭ ହୋଇଛି । ଶିଳ୍ପ ଶାସ୍ତ୍ର ଅନୁଯାୟୀ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଚାଲିଛି । ପ୍ରଥମେ ରଥ ଚକ ପାଇଁ ତୁମ୍ବ କଟା ଚାଲିଛି ।

ଏହାପରେ ତୁମ୍ବରେ ବିନ୍ଧ କରାଯାଇ ଜନ୍ତାଗାଡରେ ଅର ସଂଯୋଗ କରାଯାଇ ଚକ ନିମାଣ ହେବ । ଚଳିତବର୍ଷ କୋଭିଡ-୧୯ ସଂକ୍ରମଣ ଜନିତ ଲକଡାଉନ ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ଆସନ୍ତା ୧୫ ତାରିଖ ଭଉଁରୀ ସୁଦ୍ଧା ୩ରଥର ୨ଟି ଲେଖାଏଁ ଅଖ ଓ ଚକ ଡେରାଯିବ ।

ସ୍ନାନ ପୂର୍ଣ୍ଣମୀରେ ୪ ନାହାକା ଉଠିବ । ଜୁନ ୨୧ତାରିଖ ନବଯୌବନ ଦର୍ଶନ ସୁଦ୍ଧା ୩ରଥର ନିର୍ମାଣ କାର୍ଯ୍ୟ ଶେଷ ହେବ । ରଥଖଳାରେ ରଥ ନିର୍ମାଣ ସାଙ୍ଗକୁ ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ସେବକମାନେ କଣ୍ଟା, ବଳା, ପନ୍ଦାର ଓ ଜୋଖା ଆଦି ବିଭିନ୍ନ ଆବଶ୍ୟକୀୟ ଲୌହ ସରଞ୍ଜାମ ତିଆରି କରିବେ । ଦିନରାତି ରଥ ତିଆରି କାର୍ଯ୍ୟ କରାଯିବା ପାଇଁ ସ୍ଥିରୀକୃତ ହୋଇଥିବାରୁ ନିର୍ଦ୍ଧାରିତ ସମୟ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ଆଶା କରାଯାଉଛି ।

Leave A Reply