ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିୟା ଚକ୍ରବର୍ତ୍ତୀ ଟ୍ୱିଟ୍ କରି ସିବିଆଇ ଯାଞ୍ଚ୍ ଦାବି କରିଛନ୍ତି । ରିୟା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗୁହାରି କରି କହିଛନ୍ତି ଯେ ସେ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଏହାର ସିବିଆଇ ଯାଞ୍ଚ୍ କରାନ୍ତୁ । ରିୟା ଲେଖିଥିଲେ, ‘ଆଦରଣୀୟ ଅମିତ ଶାହ ସାର୍, ମୁଁ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ନିଧନକୁ ମାସେରୁ ଅଧିକ ହୋଇଗଲାଣି । ମୋତେ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଅଛି । ହେଲେ ନ୍ୟାୟ ପାଇଁ ମୁଁ ହାତ ଯୋଡ଼ି ନିବେଦନ କରୁଛି ଯେ ଏହି ଘଟଣାର ସିବିଆଇ ଯାଞ୍ଚ୍ ଆରମ୍ଭ କରାଯାଉ । ମୁଁ କେବଳ ଜାଣିବାକୁ ଚାହୁଁଛି ଏପରି ପଦକ୍ଷେପ ନେବା ପାଇଁ ସୁଶାନ୍ତଙ୍କୁ କିଏ ବାଧ୍ୟ କରିଥିଲା । ସାଦର, ରିୟା ଚକ୍ରବର୍ତ୍ତୀ ।’ ଏହି ଟ୍ୱିଟ୍ ପରେ ରିୟାଙ୍କୁ ସୋସାଲ ମିଡିଆରେ ଟ୍ରୋଲ୍ କରାଯାଇଛି । ଜଣେ ଟ୍ରୋଲର୍ ଲେଖିଛନ୍ତି, ‘ଏହାକୁ ସୁଇସାଇଡ୍ ରୂପ ଦେବାକୁ ଚେଷ୍ଟା କରନାହିଁ । ଆମେ ସମସ୍ତେ ଜାଣିଛୁ ତାଙ୍କୁ ହତ୍ୟା କରାଯାଇଛି । ଯଦି ତୁମେ ତାଙ୍କ ଗର୍ଲଫ୍ରେଣ୍ଡ୍ ତେବେ ତୁମ ଆକାଉଣ୍ଟରୁ ସବୁ ଫଟୋ ଡିଲିଟ୍ କାହିଁକି କରିଦେଲ ? ସୁଶାନ୍ତ ଜୀବିତ ଥିବାବେଳେ ଦୁହେଁ ରିଲେସନଶିପ୍ରେ ଥିବା କଥା ମନା କରିଦେଲ । ଯେତେବେଳେ ସେ ଏ ଦୁନିଆରେ ନାହାନ୍ତି ତୁମେ ଏହି କଥା କାହିଁକି ସ୍ୱୀକାର କରୁଛ ?’