ରାୟଗଡା,୧୩ ।୧ : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ଶିକରପାଇ ଗ୍ରାମ ପଞ୍ଚାୟତର କ୍ରିକେଲପାଡୁ ନିକଟସ୍ଥ ବୁଲାଣି ରାସ୍ତାରେ କପା ବଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ୨ ଜଣ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥା ରେ ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ କାଲି ମଙ୍ଗଳବାର ଦିନ ମାଝୀଗୁଡା ପଞ୍ଚାୟତର ସପ୍ତାହିକ ହାଟରେ ଖୁଚୁରା ବିକ୍ରୟ କାରୀଙ୍କ ଠାରୁ ବେଳକଣା ଗାଁର ବ୍ୟବସାୟୀ କେ ପ୍ରସାଦ କପା କିଣି ଥିଲେ । ଉକ୍ତ କପାକୁ ନିଜ ଟ୍ରାକ୍ଟର ଓ ଆର ୧୮ଏ ୭୪୩୭ ରେ ବିଳମ୍ବିତ ରାତ୍ରରେ କପା ଲୋଡ଼ କରି ନିଜ ଘରକୁ ବେଳକଣା ଗାଁକୁ କପା ଧରି ଆସୁଥିବା ବେଳେ କଲ୍ୟାଣ ସିଂହପୁର ଠାରୁ ରାୟଗଡା ଯିବା ମୁଖ୍ୟ ରାସ୍ତାର କ୍ରିକେଲପାଡୁ ଗାଁ ନିକଟସ୍ଥ ବୁଲାଣି ଠାରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଗାଡି ଚାଳକ ଶଶି ରାଓ ମିଣିଆକା (୨୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ବସିଥିବା ୪ ଜଣ ଶ୍ରମିକ ମଧ୍ୟରୁ ୨ ଜଣ ସୁବର୍ଣ୍ଣ କରଡ଼ିଆ (୨୬),କୁନି ତଲଡିଆ (୨୫)ଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ନିକଟସ୍ଥ କ୍ରିକେଲପାଡୁ ଗ୍ରାମବାସୀ ଘଟଣା ବିଷୟରେ ଅବଗତ ହୋଇଥିଲେ ।ଏହା ଜାଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଓ ପୁଲିସକୁ ସୂଚନା ଦେଇଥିଲେ । ଉକ୍ତ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ୨ ଗୁରୁତରଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । ଏହି ୨ ଜଣ ମଧ୍ୟରୁ ଚିକିତ୍ସା ସମୟରେ ଜଣେ ଶ୍ରମିକ ମହିଳା ସୁବର୍ଣ୍ଣ କରଡ଼ିଆଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ଜଣେ ଗୁରୁତ୍ୱ ଅବସ୍ଥାରେ ଚିକିତ୍ସାଧିନ ଥିବା ସୂଚନା ମିଳିଛି । ଉକ୍ତ ଖବର ପାଇ ସ୍ଥାନୀୟ ପୁଲିସ ଏସଆଇ ରଞ୍ଜନ ନାଗ ଓ ଏସଆଇ ବିମଳ କଅଁର ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଶବ ଜବତ କରି କେସ ନଂ ୭/୨୧ଦଫା ୨୭୯ ଆପିସିରେ ଅପମୃତ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି ।