ରାୟଗଡା,୩୧ ।୧(ରବୀନ୍ଦ୍ର ପାଟଖଣ୍ଡଳ )-ଲାଞ୍ଚ ନଦେଲେ ମିଳୁନାହିଁ ଶବ । ଶବ ବ୍ୟବଚ୍ଛେଦ ଗୃହରୁ ପରିବାରକୁ ଶବ ହସ୍ତାନ୍ତର ପାଇଁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କର୍ମଚାରୀ । ଟଙ୍କା ନଦେବାରୁ ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି ପରିବାର ଲୋକେ । ଏଭଳି ହୃଦୟ ବିଦାରକ ଅଭାବନୀୟ ଘଟଣା ଦେଖିବା ମିଳିଛି ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ । ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁକୁ ନେଇ ଶୋକାକୁଳ ପରିବାର ଉପରେ ୨ହଜାର ଟଙ୍କାର ବୋଝ । ମୃତଦେହ ନେବାପାଇଁ ଘଣ୍ଟାଘଣ୍ଟା ଅପେକ୍ଷା । ଶନିବାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବାପାଙ୍କ ଶବକୁ ନେବାପାଇଁ ଭଞ୍ଜନଗରରୁ ଆସିଥିବା ପରିଜନଙ୍କ ଏହି ବୟାନ ସବୁଙ୍କୁ ଚକିତ କରିଦେଇଛି । ଆଉ କିଛି ସ୍ୱେଚ୍ଛାସେବୀ ଏବଂ ଜିଲା ମୁଖ୍ୟଚିକିତ୍ସାଧିକାରୀଙ୍କ ହସ୍ତକ୍ଷେପ ପରେ ୨ଘଣ୍ଟା ବିଳମ୍ବରେ ଶବକୁ ଭଞ୍ଜନଗର ନେଇ ଯାଇଛନ୍ତି ପରିବାର ଲୋକେ । ଶନିବାର ସନ୍ଧ୍ୟାରେ ରାୟଗଡା ଜିଲା ମୁଖ୍ୟଚିକିତ୍ସାଳୟ ଫାଟକ ପାଖରେ ଘଣ୍ଟଘଣ୍ଟା ଧରି ଠିଆହୋଇଥିଲା ଆମ୍ବୁଲାନ୍ସ । ବାହାର ଜିଲାରୁ ଆସିଥିବା କିଛିଲୋକେ କାକୁତି ମିନତି ହୋଉଥିବା ଦେଖିବାକୁ ମିଳିଥିଲା । ବୁଝାସୁଝା ପରେ ଜଣାପଡିଲାଯେ ବ୍ୟବଚ୍ଛେଦ ପରେ ଶବ ହସ୍ତନ୍ତର ପାଇଁ ଟଙ୍କା ଦାବୀକରାଯାଇଛି ।
ଦୁଇ ହଜାର ଟଙ୍କା ପାଇଁ ଶବକୁ ହସ୍ତାନ୍ତର କରାଯାଇନଥିବାରୁ ପରିବାର ଲୋକେ ଅପେକ୍ଷରା କରି ରହିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ନୟାଗଡରୁ ଜୟପୁର ଅଭିମୂଖ ଯାଉଥିବା ରଘୁନାଥ ନାମକ ଏକ ଘରୋଇ ବସ ରାୟଗଡା ଠାରୁ ୫୦କିଲୋମିଟର ଦୂର ବିଷମକଟକ ଥନା ଅନ୍ତର୍ଗତ ଶିରିକଣା ଛକରେ ଦୁର୍ଘଟଣାର ଗ୍ରସ୍ତ ହୋଇଥିଲା । ଆଉ ଏହି ବସରେ ରାୟଗଡା ସହରରେ ରାଜମେସ୍ତ୍ରୀ କାମ କରିବାକୁ ଗଞ୍ଜାମ ଜିଲା ଭଞ୍ଜନଗର ଅନ୍ତର୍ଗତ ଖମ୍ବରଡି ଗାଁର ରମେଶ ଜେନା ଆସୁଥିଲେ । ତେବେ ବସଟି ଦୁର୍ଘଟଣାର ସମ୍ମୁଖୀନ ଦେବାପରେ ଆହତଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟକୁ ଆଣିବା ପରେ ରମେଶ ଜେନାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ରମେଶଙ୍କ ମୃତଦେହକୁ ରାୟଗଡାର ଶବାଗାରରେ ରଖାଯାଇଥିବା ବେଳେ ଭଞ୍ଜନଗରରୁ ପରିବାର ଲୋକେ ଆସିବା ପରେ ବ୍ୟବଚ୍ଛେଦ ପାଇଁ ବାହାର କରାଗଲା । ବ୍ୟବଚ୍ଛେଦ କାର୍ଯ୍ୟ ୫ଟା ବେଳେ ଶେଷ ହୋଇଥିଲା । କିନ୍ତୁ ଘଣ୍ଟାଘଣ୍ଟା ଧରି ଶବାକୁ ପରିବାର ଲୋକଙ୍କୁ ଦିଆଯାଇନଥିଲା ।
ବ୍ୟବଚ୍ଛେଦ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ପଚାରିବାକୁ ହସ୍ତାନ୍ତର ପାଇଁ ୨ ହଜାର ଟଙ୍କା ଦାବୀ କରିଥିଲେ । ବ୍ୟବଚ୍ଛେଦ ପାଇଁ କଷ୍ଟ କରିବାକୁ ପଡିଛି । ତେଣୁ ଟଙ୍କା ନଦେଲେ ଶବକୁ ହସ୍ତାନ୍ତର କରାଯିବ ନାହିଁ ବୋଲି ରୋକଠୋକ ମନା କରିଦେଇଥିବା ମୃତ ରମେଶଙ୍କ ଦୁଇପୁଅ ଡୁଲୁ ଏବଂ ତୋଫାନ ଅଭିଯୋଗ କରିଛନ୍ତି । ନିଜ ଗରିବ ଏବଂ ଅର୍ଥ ଅଭାବ ଏବଂ ଶବକୁ ନେଇ ବହୁ ଦୂରକୁ ଯିବାକୁ ପଡିବ ବୋଲି ଅନୁରୋଧ କରିବା ସତ୍ୱେ କେହି ଶୁଣିନଥିଲେ । ଏନେଇ ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ଏହି ଘଟଣାକୁ ତୀବ୍ର ପ୍ରତିବାଦ କରିଥିଲେ । ସିଡିଏମଓଙ୍କୁ ଅବଗତ କରାଇ ଆନେ୍ଦାଳନର ଚେତାବନୀ ଦେବାପରେ ଶବକୁ ହସ୍ତାନ୍ତର କରାଯାଇଥିଲା । ତେବେ ଏସମ୍ପର୍କରେ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ବ୍ୟବଚ୍ଛେଦ ହୋଇଥିବା ଶବକୁ ହସ୍ତାନ୍ତର କରିବାକୁ ନିଦେ୍ର୍ଦଶ ଦେଇଥିଲି । ତେବେ ଘଟଣା ସମ୍ପର୍କରେ ତଦନ୍ତ କରି କୋଠରରୁ କୋଠର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।