ରାୟଗଡା : ରାୟଗଡା ଜିଲ୍ଲା କୁମ୍ଭିକଟା ସ୍ଥିତ ସଂଗରୋଧ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା। କେନ୍ଦ୍ରରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ମାରପିଟ ଉଗ୍ରରୂପ ଧାରଣ କରିଛି। ଜଣେ ଆଉ ଜଣଙ୍କ ଉପରେ ଏସିଡ ଢାଳି ଗୁରୁତର ଆହତ କରାଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ଦୀଲିପ ସାହା। ବିଘ୍ନନ ସାହା ନାମ ବ୍ୟକ୍ତି ଦୀଲିପଙ୍କୁ ଆକ୍ରମଣ କରି ହାତ ଭାଙ୍ଗି ଦେବା ସହ ଏସିଡ ପକାଇ ଦେଇଥିଲେ। ଦୀଲିପଙ୍କ ମୁହଁ ଓ ଶରୀରର ଅନ୍ୟ କେତେକ ସ୍ଥାନରେ ଏସିଡ ଢଳା ଯାଇଛି। ଗୁରୁତର ଅବସ୍ଥାରେ ଦୀଲିପଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ଅବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର ହିମାଂଶୁ ଶେଖର ନାଥ କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟର ୮ ଜଣ ବ୍ୟକ୍ତି ଗତ ୧ ତାରିଖରେ ପୁଲିସ ହାତରେ ଧରାପଡି ସଂଗରୋଧ କେନ୍ଦ୍ରରେ ରହିଥିବା ସୂଚନା ମିଳିଛି। ଏହି ସମସ୍ତେ ସୂନା ଅଳଙ୍କାର ମରାମତି କାର୍ଯ୍ୟ କରନ୍ତି। ନିଜର ମରାମତି କାମରେ ବ୍ୟବହାର କରିବା ପାଇଁ ରହିଥିବା ଏସିଡ ଫିଙ୍ଗି ଦେଇଥିବା ଜଣାପଡିଛି।