ରାୟଗଡା-ରାୟଗଡା ସି ଆର ପି ଏଫ ୪ର୍ଥ ବେଟାଲିୟନରେ କାର୍ଯ୍ୟରତ ଯବାନ ଧରମ ଦେବଙ୍କ ମରଶରୀରକୁ ଆଜି ଗାର୍ଡ ଅଫ ହନର ଦିଆଯାଇଛି। ସି ଆର ପି ଏଫ କେମ୍ପ ପରିସରରେ ଆଜି ଯବାନ ମାନେ ଗାର୍ଡ ଅପ ହନର ଦେଇଥିଲେ । ଗତ ଡିସେମ୍ବର ୨୬ ତାରିଖରୁ ନିଖୋଜ ଥିବା ଧରମ ଦେବଙ୍କ କଙ୍କାଳ ସହ ଘଟଣା ସ୍ଥଳରୁ ଧରମ ଦେବଙ୍କ ଆଧାର କାର୍ଡ, ବୁଟ ,ପୋଷାକ ଓ ବ୍ୟାଗ ନୂଆ ସାହି ନିକଟରୁ ରାୟଗଡା ପୋଲିସ ଗତ ୨୩ ତାରିଖ ଦିନ ଉଦ୍ଧାର କରିଥିଲା ।
ଅଧିକ ତଦନ୍ତ ପାଇଁ ଧରମ ଦେବଙ୍କ ମୃତ ଶରୀର କିଛି ଅଂଶକୁ ବ୍ରହ୍ମପୁର ସ୍ଥିତ ଫରେନସିକ ଲାବକୁ ପଠାଯାଇଥିଲା । ଉକ୍ତ ମୃତ ଦେହ ଧରମ ଦେବର ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହେବା ପରେ ରାୟଗଡା ଥାନାରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ସିଆରପିଏଫ ତରଫରୁ ଗାର୍ଡ ଅପ ହନର ଦିଆଯିବା ପରେ ଏକ ସ୍ୱତନ୍ତ୍ର ଗାଡି ଯୋଗେ ମର ଶରୀରକୁ ଧରମ ଦେବଙ୍କ ଉତ୍ତର ପ୍ରଦେଶ ସ୍ଥିତ ଗରଖପୁର ଜିଲ୍ଲାର ଚିଉରୀ ଚୌରା ଥାନା ଅନ୍ତର୍ଗତ ଗୌନର ରାମଦାସାହ ଟଲା ଗ୍ରାମରେ ରହିଥିବା ବାସ ଅଭିମୁଖେ ଧରମ ଦେବଙ୍କ ପୁଅ ରାକେଶ କୁମାର ପାଶବାନ,ଶଳା ସଦା ବ୍ରିଚ ପାଶ୍ବାନଙ୍କ ସମେତ କିଛି ଯବାନ ବାହାରିଛନ୍ତି।
ଗାର୍ଡ ଅଫ ହନର ସମୟରେ ରାୟଗଡା ଆରକ୍ଷୀ ଅଧିକ୍ଷକ ଡ଼ଃ ସର୍ବଣ ବିବେକ ଏମ, ସିଆରପିଏଫ ଡିଆଇଜି ଶ୍ରୀ ଏସ ଡି ପାଣ୍ଡେ, ସି ଆର ପି ଏଫ ସେକେଣ୍ଡ ଇନ କମାନଡେଣ୍ଟ ଏସ ,କେ ,ଠାକୁର ,ଙ୍କ ସମେତ ବହୁ ସିଆରପିଏଫ ଜବାନ ଏବଂ ରାୟଗଡା ପୋଲିସର କର୍ମଚାରୀ ଉପସ୍ଥିତ ଥିଲେ। ଅନ୍ୟପଟେ ଧରମ ଦେବକୁ ଅପହରଣ ଓ ପରେ ହତ୍ୟା କରାଯାଇଥିବା ଧରମ ଦେବଙ୍କ ପୁଅ ରାକେଶ କୁମାର ପାଶବାନ,ଶଳା ସଦା ବ୍ରିଚ ପାଶ୍ବାନ ଅଭିଯୋଗ କରିଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ରାୟଗଡା ଏସ ପି ପ୍ରକାଶ କରିଛନ୍ତି ।
