Odisha news

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ, ଲୁହା ରଡ଼ ଜବତ 

0
ରାୟଗଡା-ଗୁଣି ଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା। ମାମଲାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ବାବାରାଓ ମିଣିଆକା ସମେତ ଦୁଇ ସହଯୋଗୀ ମାସିଆ ହିମିରିକା, କାମାଟି ମିଣିଆକାକୁ ଗିରଫ କରିଛି ପୁଲିସ୍। ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡ, ରେଜରକୁ ପୁଲିସ୍ ଜବତ କରିବା ସହ ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି।
ଶେଷଖାଲ ଥାନା ବାଲାପାଡ଼ୁ ଗ୍ରାମର ଘାସି ମିଣିଆକାକୁ ଗତ ଶୁକ୍ରବାର ବାବାରାଓ ଏବଂ ଦୁଇ ସହଯୋଗୀ ନିର୍ମମ ଭାବେ ହତ୍ୟା କରିଥିଲେ। ବାବାରାଓଙ୍କ ବାପା ଦାଲାନା ମିଣିଆକା ଅଜଣା  ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ ଘାସି ଗୁଣି ଗାରେଡ଼ି କରୁଥିବା ନେଇ ବାବରାଓ ସନ୍ଦେହ କରିଥିଲା। ଏପରିକି ବହୁ ସମୟରେ ହତ୍ୟା କରିବା ପାଇଁ ଚେତାବନୀ ଦେଇ ଆସୁଥିଲା। ଶୁକ୍ରବାର ଘାସି ନିଜ ଜମିର କୁଡ଼ିଆ ଘରେ ଶୋଇଥିବା ସୁଯୋଗ ନେଇ ବାବାରାଓ ଆକ୍ରମଣ କରି ହତ୍ୟା କରିଥିଲା। ରବିବାର ଶେଷଖାଲ ପୁଲିସ୍ ଘଟଣା ସଂପର୍କରେ ସୂଚନା ପାଇ  ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ କରିଥିଲା।
ହତ୍ୟା ଘଟଣା ପରେ ଅଭିଯୁକ୍ତମାନେ ଫେରାର ଥିବାରୁ ଗିରଫ ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଗତକାଲି ରାତିରେ ଗାଁ ନିକଟରୁ ସମସ୍ତ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିବାରେ ସକ୍ଷମ ହୋଇଥିଲା। ପ୍ରକାଶ ଥାଉକି ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ଅନ୍ଧବିଶ୍ୱାସ କବଳିତ ହୋଇ ପଡିଛି । ଏହି ଅନ୍ଧବିଶ୍ୱାସ କୁପରିଣାମ ଭଗୁଛନ୍ତି ନିରୀହ ଆଦିବାସୀ। ଜିଲ୍ଲାରେ ଗୁଣିଗାରେଡିକୁ ନେଇ ଅନେକ ହତ୍ୟା କାଣ୍ଡ ଘଟିଥିବାବେଳେ  ଅନେକ  କାରାଗାରରେ ଦଣ୍ଡ ଭଗୁଥିବା ନଜିର ରହିଛି। ପ୍ରଶାସନ ତରଫରୁ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସରୁ ଦୁରେଇ ରହିବାକୁ ତୁହାକୁତୁହା ପଥପ୍ରାନ୍ତ ନାଟକ,ବୈଠକ ମାଧ୍ୟମରେ କାର୍ଯ୍ୟକ୍ରମମାନ ଯାରିରହିଥିଲେ ସୁଦ୍ଧା ଦୁର ହୋଇପାରୁନାହିଁ ଅନ୍ଧବିଶ୍ୱାସ। ଏହି  ଆଦିବାସୀଙ୍କ ପାଖକୁ ପହଞ୍ଚିପାରୁ ନାହିଁ ଏହି ସଚେତନାର ବାର୍ତ୍ତା ଯାହାକି ଜିଲ୍ଲାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ନେବାକୁ ପଛାଉ ନାହାନ୍ତି ମଣିଷ। ଯାହାଦ୍ୱାରା ସଚେତନ କାର୍ଯ୍ୟକ୍ରମ ଫେଲ ମାରିଥିବା ପ୍ରମାଣ କରିଛି ଏହି ଘଟଣା।

Leave A Reply