Odisha news

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାହୁଡାଯାତ୍ରାର ପ୍ରଥମଦିନରେ ୨ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମରେ ବଡଦାଣ୍ଡରେ ଗଡିଲା ଜଗନ୍ନାଥ ଓ ଶୁଭଦ୍ରାଙ୍କ ରଥ

0

ବାରିପଦା  : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାର ଶ୍ରୀଶ୍ରୀ ହରିବଳଦେବଜିଉଙ୍କ ବାହୁଡାଯାତ୍ରାର ପ୍ରଥମ ଦିନରେ ଦୁଇଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ ଟାଉନଥାନା ନିକଟରେ ପହଞ୍ଚିଛି । ବାହୁଡାଯାତ୍ରାର ପ୍ରଥମଦିନରେ ସକାଳୁ ସକାଳୁ ବଡଦାଣ୍ଡକୁ ଭକ୍ତଙ୍କ ସୁଅ ଛୁଟିଥିଲା । ପ୍ରଥମେ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ତାରାକଟା ଓ ଘୋଡାଲାଗି ନୀତି ଶେଷ ହେବାପରେ ସାରଥୀ ଠାକୁରଙ୍କୁ ପ୍ରଣାମ କରି ଆଜ୍ଞାମାଳ ମାଗିଥିଲେ ଓ ମନ୍ଦିର ପରିଛା ଦୁର୍ଗାଚରଣ ଜିତବାବୁ ଛେରାପହଁରା କରିଥିଲେ । ଖୋଳ, କୀର୍ତ୍ତନ, ହରିବୋଲ, ବାଦ୍ୟଶଙ୍ଖ ଓ ହୁଳୁହୁଳି ଧ୍ୱନୀରେ ଭକ୍ତମାନେ ଭାବବିହୁଳ ହୋଇ ଜଗନ୍ନାଥ ରଥକୁ ଟାଣିଥିଲେ । ଜଗନ୍ନାଥଙ୍କ ରଥ ପହଞ୍ଚିବା ପରେ ମହିଳା ଭକ୍ତମାନେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣିଟାଣି ଆଣି ଟାଉନଥାନା ନିକଟରେ ପହଞ୍ଚାଇଥିଲେ । ଆଜିର ରଥଟଣାରେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ଓ ଏସପି ଗଙ୍ଗାଧର ବାଟୁଲା ପ୍ରମୁଖ ଉପସ୍ଥିତ ଥିଲେ । ରଥ ଉପରୁ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରବଚକ ଭାଗବତ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ । ଶୁକ୍ରୁବାର ବାହୁଡାଯାତ୍ରାର ଶେଷଦିନରେ ଟାଉନଥାନା ନିକଟରେ ଅଟକିଥିବା ଦେବୀଶୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳାମାନେ ଟାଣିଟାଣି ନେଇ ଶ୍ରୀମନ୍ଦିରରେ ପହଞ୍ଚାଇବା ପରେ ଶେଷରେ ପ୍ରଭୁ ବଳରାମଙ୍କ ତାଳଧ୍ୱଜ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦ୍ୱିତୀୟ ଶ୍ରୀକ୍ଷେତ୍ର ପରମ୍ପରା ଅନୁଯାୟୀ ଶୁକ୍ରୁବାର ଦେବୀ ଶୁଭଦ୍ରାଙ୍କ ରଥଟଣା ପୂର୍ବରୁ ମହିଳା ଭକ୍ତଙ୍କ ଉଦେ୍ଦଶ୍ୟରେ ପ୍ରସିଦ୍ଧ ଗୁଡଲଡୁ ଫିଙ୍ଗାଯିବ, ସେହିପରି ବଳଭଦ୍ରଙ୍କ ରଥ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ପ୍ରସିଦ୍ଧ ଗୁଡଲଡୁ ଭକ୍ତଙ୍କ ଉଦେ୍ଦଶ୍ୟରେ ରଥ ଉପରୁ ଫିଙ୍ଗାଯିବ । ଗୁରୁବାର ସନ୍ଧ୍ୟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତମାନେ ରଥ ଉପରେ ମହାପ୍ରଭୁଙ୍କୁ ରୂପାବେଶରେ ଦର୍ଶନ କରିଥିଲେ ।

Leave A Reply