ଆଜି ହେଉଛି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା, ଯାହାକି ଜଗତର ନାଥ ଜଗନ୍ନାଥ ଙ୍କ ର ନିଜର ଭକ୍ତ ମାନଙ୍କ ସହିତ ମିଳନର ଗୋଟିଏ ଉତ୍ସବ ଅଟେ l ଓଡ଼ିଶାରେ ପାଳିତ ବିଭିନ୍ନ ଯାତ୍ରା ମଧ୍ୟରୁ ଏହି ଗୁଣ୍ଡିଚାଯାତ୍ରା ବା ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ l ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ପ୍ରଧାନ ଅଟେ l ଆଷାଢ଼ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ରଥଯାତ୍ରା ପାଳିତ ହୋଇଥାଏ l ରଥଯାତ୍ରା କୁ ବିଭିନ୍ନ ନାମରେ ନାମିତ ହୋଇଛି, ଯେପରିକି ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ l ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ ରୁ ଉର୍ଧ୍ଵ ସ୍ଥାନରେ ପାଳିତ ହୋଇଥାଏ l
ଶାସ୍ତ୍ର ମତରେ ରଥଯାତ୍ରା ର ୮ଟି ଅଙ୍ଗ ରହିଛି -:
ଯେପରିକି : ୧ – ସ୍ନାନ ଉତ୍ସବ, ୨ – ଅନବସର, ୩ – ନବଯୌବନ ଦର୍ଶନ, ୪ – ଶ୍ରୀଗୁଣ୍ଡିଚା, ୫ – ହେରାପଞ୍ଚମୀ, ୬ – ଆଡ଼ପ ପର୍ବ, ୭ – ବାହୁଡା ଯାତ୍ରା, ୮ – ନୀଳାଦ୍ରୀ ବିଜେ l ପୁନଶ୍ଚ ରଥଯାତ୍ରା ୫ଭାଗ ରେ ବିଭକ୍ତ ୧ – ଅନ୍ତର୍ବେଦୀ, ୨ – ମହାବେଦୀ ମହୋତ୍ସବ, ୩ – ଆଡ଼ପ ଉତ୍ସବ, ୪ – ଦକ୍ଷିଣାଭିମୁଖୀ ଉତ୍ସବ, ୫ – ଗୁଣ୍ଡିଚା ବିଜେ , ଏହାକୁ ଗୁଣ୍ଡିଚା ପଞ୍ଚକ ମଧ୍ୟ କୁହାଯାଏ l
ବେଦରେ ରଥର ବର୍ଣନା -:
ୠଗ ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ରହିଥିବା ପ୍ରମାଣ ମିଳିଛି l ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀ ରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରା ର ସମ୍ୟକ ନିଦର୍ଶନ ମିଳିଥାଏ l ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରା ପରବର୍ତୀ କଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା l
କିଛି ଗବେଷକ ମତରେ ପୁରୀ ରଥଯାତ୍ରା ବୌଦ୍ଧ ପରମ୍ପରା ରୁ ସୃଷ୍ଟି ବୋଲି ଅନୁମାନ କରନ୍ତି l କାରଣ ଖ୍ରୀଷ୍ଟିୟ ପଞ୍ଚମ ଶତାବ୍ଦୀ ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାହୀୟାନ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାରେ ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜି ସୁଦ୍ଧା ପ୍ରଚଳିତ ଜଗନ୍ନାଥ ଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହିତ ମେଳ ଖାଉଛି l
୩ ରଥଙ୍କ ଆକାର ର ବିଶେଷତ୍ୱ –
ଶ୍ରୀଜଗନ୍ନାଥ ଙ୍କ ରଥ ନନ୍ଦିଘୋଷ –
ନନ୍ଦିଘୋଷ ବା ଗରୁଡଧ୍ଵଜ ବା କପିଳଧ୍ୱଜ ରଥରେ ମହାପ୍ରଭୁ ଜଗନ୍ନାଥ ଙ୍କ ସହ ମଦନମୋହନ ବିଜେ କରନ୍ତି l ଏହି ରଥ ମୋଟ ୭୪୨ ଖଣ୍ଡ କାଠରେ ତିଆରି ହୋଇଥାଏ, ରଥର ଉଚତା ୪୫ଫୁଟ ୬ ଇଞ୍ଚ l ଏହି ରଥରେ ୧୬ ଟି ଚକ ରହିଛି l ପ୍ରତ୍ୟେକ ଚକର ଉଚତା ୬ଫୁଟ l
ସାରଥୀ – ଦାରୁକ , ରଥର ଦଉଡି -ଶଂଖଚୂଡ, ଧଳାରଙ୍ଗର ଚାରିଟି ଘୋଡା ସଂଯୋଜିତ ହୋଇଥାଏ, ଘୋଡା ଗୁଡିକ ର ନାମ ଶଙ୍ଖ, ବଳାହକ, ଶ୍ୱେତ, ହରିଦ୍ଵାସ l ପତାକା – ଗରୁଡ଼ ଚିହ୍ନାଙ୍କିତ, ଧ୍ଵଜପ ମୂର୍ତି -ପଞ୍ଚମୁଖୀ ମହାବୀର l ନନ୍ଦିଘୋଷ ରଥରେ ହରିହର, ପଣ୍ଡୁନୃସିଂହ, ଗିରିଧର, ଷଡ଼ଭୁଜ, ଚିନ୍ତାମଣୀ କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫଣା ସର୍ପରେ ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ଅବସ୍ଥାନ କରନ୍ତି l
ଶ୍ରୀଜଗନ୍ନାଥ ଙ୍କ ରଥରେ ଥିବା ୧୬ ଟି ଚକ ୧୬ ଟି କଳାକୁ ସୂଚାଇ ଥାଏ l
ବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ –
ତାଳଧ୍ୱଜ ରଥରେ ବଳଭଦ୍ର ଙ୍କ ସହିତ ରାମକୃଷ୍ଣ ବିଜେ କରନ୍ତି l ମୋଟ ୭୩୧ ଖଣ୍ଡ କାଠରେ ତିଆରି ଓ ଉଚତା ୪୫ ଫୁଟ ଅଟେ l ଏଥିରେ ୧୪ଟି ଚକ ସଂଯୋଜିତ କରାଯାଏ, ପ୍ରତ୍ୟେକ ଚକର ଉଚତା ୬ଫୁଟ ୬ ଇଞ୍ଚ l ସାରଥୀ – ମାତଳୀ, ରଥର ଦଉଡି – ବାସୁକୀ, ଏଥିରେ କଳା ରଙ୍ଗର ୪ ଟି ଘୋଡା ସଂଯୋଜନା କରାଯାଇ ଥାଏ , ନାମ ହେଲା ସ୍ଥିରା, ଧୃତି, ସ୍ଥିତି, ପ୍ରଜ୍ଞା l ଧ୍ଵଜପ ମୂର୍ତ୍ତି ହେଉଛନ୍ତି – ଲକ୍ଷ୍ମୀନୃସିଂହ l ତାଳଧ୍ୱଜ ରଥରେ ମହାଦେବ, ବାଇଶୀଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, କାର୍ତ୍ତିକେଶ୍ୱର ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ଅବସ୍ଥାନ କରନ୍ତି l
ବଳଭଦ୍ରଙ୍କ ୧୪ ଟି ଚକ ଚତୁର୍ଦଶ ମନ୍ୱନ୍ତରର ସୂଚନା ଦେଇଥାଏ l
ଦର୍ପଦଳନ –
ଦର୍ପଦଳନ ବା ପଦ୍ମଧ୍ବଜ ରଥରେ ମା ସୁଭଦ୍ରା ଙ୍କ ସହିତ ଶ୍ରୀସୁଦର୍ଶନ ବିଜେ କରନ୍ତି l ଏହି ରଥ ମୋଟ ୭୧୧ ଖଣ୍ଡ କଥାରେ ତିଆରି ହୋଇଥାଏ ଓ ଏହାର ଉଚତା ୪୪ ଫୁଟ ୬ ଇଞ୍ଚ ଅଟେ l ଏହି ରଥରେ ୧୨ ଟି ଚକ ସଂଯୋଜିତ ହୋଇଥାଏ ଓ ପ୍ରତ୍ୟେକ ଚକର ଉଚତା ୬ ଫୁଟ ୮ ଇଞ୍ଚ l ଏହାର ସାରଥୀ ହେଉଛନ୍ତି – ଅର୍ଜୁନ, ରଥର ଦଉଡି ହେଉଛି – ସ୍ଵର୍ଣ୍ଣଚୁଡ଼ , ଧ୍ଵଜାପମୂର୍ତ୍ତି ହେଉଛନ୍ତି – ଜୟଦୁର୍ଗା l ପରମ୍ପରା ମୁତାବକ ଏହି ରଥରେ ନାଲି ରଙ୍ଗର ୪ଟି ଘୋଡା ସଂଯୋଜିତ ହୋଇଥାଏ, ତାଙ୍କ ନାମ ହେଉଛି ରୋଚିକା, ମୋଚିକା, ଜିତା, ଅପରାଜିତା l ଏହି ରଥରେ ମା ବିମଳା, ମା ମଙ୍ଗଳା, ବାରାହୀ, ଭଦ୍ରକାଳୀ, ବନଦୁର୍ଗା, କାତ୍ୟାୟନୀ, ହରଚଣ୍ଡୀ, ରାମଚଣ୍ଡୀ ପ୍ରଭୃତି ଅବସ୍ଥାନ କରି ଥାଆନ୍ତି l
ସୁଭଦ୍ରା ଙ୍କ ରଥରେ ଥିବା ୧୨ଟି ଚକ ୧୨ ମାସର ମହତ୍ୱ ସୂଚାଇ ଥାଏ l
