ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ କୁଳାସର ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ମାଟ୍ରିକ ପରୀକ୍ଷାରେ ୨ ଜଣ ନକଲି ଛାତ୍ରୀ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯିବା ସହ ୧୪ ଜଣଙ୍କୁ ଏକ୍ସପେଲ କରାଯାଇଛି । ରଣପୁର ତାଳକଣି ପଂଚାନନ ଉଚ୍ଚ ବିଦ୍ୟାଳୟର ସମସ୍ତ ୧୬ ଜଣ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ୨ ଜଣ ଛାତ୍ରୀ ନକଲି ସାଜି ପରୀକ୍ଷା ଦେଉଥିବାରୁ ସେମାନଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ୧୪ ଜଣ ପରୀକ୍ଷାର୍ଥୀ ପୂର୍ବେ ଫେଲ ହୋଇ ପୁଣି ରେଗୁଲାରରେ ପରୀକ୍ଷା ଦେଉଥିବାରୁ ସେମାନଙ୍କୁ ଏକ୍ସପେଲ କରାଯାଇଛି ।
ଏହି ପରୀକ୍ଷା କେନ୍ଦ୍ରରେ ଗତ ୩ ଟି ପରୀକ୍ଷା ସୁରୁଖୁରୁରେ ସରିଥିବା ବେଳେ ଆଜି ଏଭଳି ଘଟଣା ସାମ୍ନାକୁ ଆସିଛି । ଏହି ପରୀକ୍ଷା କେନ୍ଦ୍ରକୁ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଆସିଥିବା ଖବର କୌଣସି ବାହ୍ୟ ସୁତ୍ରରୁ ଜାଣିବା ପରେ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ରଣପୁର ବ୍ଲକ ଶିିକ୍ଷା ଅଧିକାରୀ ଉପେନ୍ଦ୍ରନାଥ ସାହୁଙ୍କୁ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ଉଭୟ ଅଧିକାରୀ ପହଂଚି ଯାଂଚ କରିବାରୁ ଜଣାପଡିଥିଲା ଯେ ୨ ଜଣ ନକଲି ପରୀକ୍ଷାର୍ଥୀ ଅନ୍ୟ ୨ଜଣ ଛାତ୍ରୀଙ୍କ ପାଇଁ ପରୀକ୍ଷା ଦେଉଛନ୍ତି । ତୁରନ୍ତ ଏହି ଖବର ରଣପୁର ଥାନାକୁ ପରୀକ୍ଷା କେନ୍ଦ୍ର ତରଫରୁ ସୂଚନା ଦିଆଯାଇଥିଲା । ପରେ ରଣପୁର ପୋଲିସ ଏବଂ ରାଜସୁନାଖଳା ଫାଣ୍ଡି ପୋଲିସ ପହଂଚି ୨ ଜଣ ଛାତ୍ରୀ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଥିଲେ ।
ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ , ଆମେ ବାହ୍ୟ ସୁତ୍ରରୁ ଖବର ପାଇ ପରୀକ୍ଷାର୍ଥୀଙ୍କ ଉପରେ ଯାଂଚ କରିଥିଲୁ । ସେଥି ମଧ୍ୟରୁ ୨ ଜଣ ଛାତ୍ରୀ ନକଲି ପରୀକ୍ଷାର୍ଥୀ ଧରାପଡିଥିଲେ । ଅନ୍ୟ ୧୪ ଜଣ ଛାତ୍ରଛାତ୍ରୀ ଅବୈଧ ଭାବେ ପରୀକ୍ଷା ଦେଉଥିବାରୁ ସେମାନଙ୍କୁ ଏକ୍ସପେଲ କରାଯାଇଛି । ତାଳକଣି ପଂଚାନନ ଉଚ୍ଚ ବିଦ୍ୟାଳୟ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି କହିଛନ୍ତି । ତେବେ ଉଭୟ ୨ ନକଲୀ ପରୀକ୍ଷାର୍ଥୀ ଛାତ୍ରୀଙ୍କୁ ରଣପୁର ଥାନାରେ ଅଟକ ଥିବା ଜଣା ପଡିଛି ।