ରଣପୁର : ଟ୍ରେନରୁ ଖସି ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଥିବା ଯୁବକଙ୍କ ମର ଶରୀର ଦୁଇ ଦିନ ପରେ ନିଜ ଗାଁ ରେ ପହଞ୍ଚିଥିଲା | ଯୁବକଙ୍କ ଶବ ଗାଁ ରେ ପହଁଚିଲା ପରେ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ସମସ୍ତଙ୍କ ମୁହଁରେ ଅଶ୍ରୁ ଧାର ବୋହି ଚାଲିଥିଲା | ଶେଷରେ ଯୁବକଙ୍କ ମର ଶରୀରକୁ ଗାଁ ମଶାଣିରେ ଦାହ କରାଯାଇଥିଲା | ପରିବାରର ଅଭାବ ଅନଟନ ଯୁବକଙ୍କୁ ମାତ୍ର ୨୫ ବର୍ଷ ବୟସରେ ନିଜ ଭିଟାମାଟି ଛାଡି ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ କରିଥିଲା | ତେଣୁ ଯୁବକ ଜଣକ ନିଜ ପରିବାରର ଭରଣ ପୋଷଣ ପାଇଁ ଗୁଜୁରାଟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ | ଦୀପାବଳୀ ଅବସରରେ ନିଜ ପରିବାର ତଥା ଗାଁ ସାଙ୍ଗସାଥିଙ୍କ ସହ ମିଶି ଦୀପାବଳୀ ପାଳନ କରି କିଛି ଖୁସି ମୁହୂର୍ତ ବିତାଇବା ପାଇଁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗାଁ ର ପ୍ରକାଶ କୁମାର ପ୍ରଧାନ ଟ୍ରେନ ଯୋଗେ ଗାଁ କୁ ଫେରୁଥିଲେ | କିଏ ଜାଣିଥିଲା ଗାଁ କୁ ଫେରିବା ବାଟରେ ମୃତ୍ୟୁ ତାକୁ ଜଗି ବସିଛି | ଜାଣିଥିଲେ ହୁଏତ ଯୁବକ ଗାଁ ଫେରି ନ ଥାନ୍ତେ | ସୃଷ୍ଟିର ଲିଖନକୁ କିଏ ବା ଏଡେଇ ପାରିବ | କିଏ ଜାଣିଥିଲା ଦୀପାବଳୀରେ ଆଲୋକ ପ୍ରଦାନ କରିବା ପରିବର୍ତ୍ତେ ନିଜ ଜୀବନ ଦ୍ବୀପକୁ ଲିଭାଇ ସମସ୍ତ ଦାୟିତ୍ୱରୁ ମୁକ୍ତ ହୋଇ ଏ ପାରିରୁ ଆର ପାରିକୁ ଚଳିଯିବ | ଗୁଜୁରାଟରୁ ଗାଁ କୁ ଫେରିବା ବେଳେ ଭରଚୂନ ଷ୍ଟେସନ ନିକଟରେ ଟ୍ରେନରୁ ଖସି ମୃତ୍ୟୁ ବରଣ କରିଥିଲେ | ଦୁଇ ଦିନ ପରେ ଆଜି ତାଙ୍କର ମର ଶରୀରରେ ଗାଁ ରେ ପହଁଚିଲା ପରେ ଗାଁ ମଶାଣିରେ ଶବ ସତ୍କାର କରାଯାଇଛି | ମୃତ ପ୍ରକାଶ ତାଙ୍କ ପିତା ରତ୍ନାକର ପ୍ରଧାନ ଓ ମାତା ଜୟନ୍ତୀ ପ୍ରଧାନଙ୍କ ସାନ ପୁଅ ଥିଲେ | ରତ୍ନାକର ଚାଷ କାମ କରି ନିଜ ପରିବାରର ଗୁଜୁରାଣ ଖୁବ କଷ୍ଟରେ ତୁଲାଉ ଥିବା ବେଳେ ରୋଜଗାରିଆ ପୁଅକୁ ହରାଇ ମାତା ପିତାଙ୍କ ସମେତ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି | ତେଣୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି | ପ୍ରକାଶଙ୍କ ଶବ ସତ୍କାର ବେଳେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପରେଶ ମିଶ୍ର, ଦିଲୀପ କୁମାର ଜେନା, ବିରଞ୍ଚି ନାରାୟଣ ପ୍ରଧାନଙ୍କ ସମେତ ଗ୍ରାମର ସମସ୍ତେ ଉପସ୍ଥିତ ଥିଲେ |
