Odisha news

କରୋନାର ବଳୟରେ ରାକ୍ଷୀ ପର୍ବ

0

ଅମିନୀଲୁ ରାୟ : କେଉଁ ଆଦିମ କାଳରୁ ଭାଇ ଭଉଣୀଙ୍କ ମଧ୍ୟରେ ଥିବା ରକ୍ତର ସମ୍ପର୍କ ସମ୍ପୂର୍ଣ୍ଣ ନିଆରା ଓ ପବିତ୍ର । ଦେଖିବାକୁ ଗଲେ ଭଉଣୀଟିଏ ମାଆ ନ ହୋଇ ବି ମା’ଟିଏ ପରି ଭାଇର ଯତ୍ନ ନେଇଥାଏ । ଠିକ୍ ସେହିପରି ପିତା ନ ହୋଇ ଭାଇ ମଧ୍ୟ ଭଉଣୀକୁ ପ୍ରତିଟି କ୍ଷେତ୍ରରେ  ସୁରକ୍ଷା ପ୍ରଦାନ କରିଥାଏ । ଏମିତିକି ଜୀବନସାଥୀ  ତଥା ବନ୍ଧୁଟିଏ ପରି ଭାଇ ଭଉଣୀର ମନ ତଳର ଅକୁହା କଥା ବୁଝିପାରିଥାଏ । ତେଣୁ ଉକ୍ତ ସମ୍ପର୍କ ସବୁଠାରୁ ଅନନ୍ୟ ଅଟେ । ବାପାମାଆ ଝିଅଟିକୁ ଶାଶୁଘରକୁ ପଠାଇସାରିବା ପରେ ତାଙ୍କର ଚିନ୍ତା ଏତିକିରେ ସରିନଥାଏ । ମୃତୁ୍ୟ ବେଳକୁ ସେମାନେ ଭାଇ ହାତରେ ହିଁ ଭଉଣୀର ସମସ୍ତ ଦାୟିତ୍ୱ ଓ କର୍ତବ୍ୟ ଦେଇଯାଆନ୍ତି । ଜୀବନଯାକ ପର୍ବପର୍ବାଣୀ ହେଉ କି ମହୋତ୍ସବ, ଏମିତିକି ବିଭିନ୍ନ ସମୟରେ ଭାଇ ହିଁ ସାହାରା ହୋଇ ତା ଶାଶୁଘରେ ଠିଆ ହୁଏ । ତେଣୁ ସାରାଜୀବନ ଏହି ପ୍ରତିଜ୍ଞା ରକ୍ଷା କରିବାକୁ ଯାଇ ଭଉଣୀ ଅତି ସରାଗରେ ତା ଭାଇ ହାତରେ ବାନ୍ଧିଦିଏ  ରେଶମୀ ସୂତାରେ ପ୍ରସ୍ତୁତ ଏଇ ରାକ୍ଷୀଟିକୁ । ସେହି ଡୋରିରେ ବାନ୍ଧିହୋଇ ଭାଇ ହୋଇଯାଏ ପ୍ରତିଜ୍ଞାବଦ୍ଧ । ତେଣୁ ଉକ୍ତ ଦିନ ସକାଳୁ ସକାଳୁ ନିତ୍ୟକର୍ମସାରି ଭଉଣୀ ଅତି ଶ୍ରଧାରେ ବନ୍ଦାପନ୍ନା ଥାଳି ସଜାଡି ଦୀପ, ଧୂପ, ଚନ୍ଦନ, ସିନ୍ଦୂରରେ ବନ୍ଦାପନ୍ନା କରି ଭାଇକୁ ପିନ୍ଧାଇଦିଏ ରକ୍ଷା କବଚ ସ୍ୱରୂପ ଏଇ ରାକ୍ଷୀଟି । ଦୁହେଁ ମିଠା ଖୁଆଖୁଇ ହେବା ସହ ଭଉଣୀକୁ ଖୁସିରେ ରଖିବା ପାଇଁ ଭାଇମାନେ ସ୍ନେହର ନିଦର୍ଶନ ସ୍ୱରୂପ କିଛି ନା କିଛି ଉପହାର ପ୍ରଦାନ କରିଥାନ୍ତି । ତେଣୁ ଆଜିର ଏହି ପବିତ୍ର ରକ୍ଷା ବନ୍ଧନ ଉତ୍ସବରେ ଭାଇ ଭଉଣୀଙ୍କ ସଂପର୍କର ଅତି ବାସ୍ତବ ଚିତ୍ର ଏହିପରି ଭାବେ ଚିତ୍ରଣ କରାଯାଇପାରେ ।

rakhi
rakhi

ପୈାରାଣିକ କଥାବସ୍ତୁ ଅନୁଯାୟୀ ଦୀର୍ଘ ୧୨ ବର୍ଷ ଧରି ଦେବତା ଓ ଅସୁରଙ୍କ ମଧ୍ୟରେ ଯୁଦ୍ଧ ଲାଗିରହିଲା ଏବଂ ଶେଷରେ ଅସୁରମାନେ ଦେବତାମାନଙ୍କୁ ପରାସ୍ତ କଲେ । ସେତେବେଳେ ସ୍ୱର୍ଗର ରାଜା ଇନ୍ଦ୍ର ତାଙ୍କର ପ୍ରଧାନ ଶତ୍ରୁ ବୃତାସୁରକୁ  ଯୁଦ୍ଧରେ  ପରାସ୍ତ କରିବା ସଙ୍ଗେ ସଙ୍ଗେ ଅନ୍ୟ ଅସୁରମାନଙ୍କୁ ମଧ୍ୟ ପରାସ୍ତ କରିବା ସହଜ ହେବ ବୋଲି ବିଚାର କରି ଯୁଦ୍ଧ କରିବାକୁ ଅଗ୍ରସର ହେଲେ । ସେହି ସମୟରେ ଇନ୍ଦ୍ରାଣୀ ଏହି ଶ୍ରାବଣ ପୂର୍ଣ୍ଣିମା ଦିନ ତାଙ୍କ ହସ୍ତରେ ରାକ୍ଷୀଟିଏ ବାନ୍ଧିଥିଲେ ଓ ଯାହା ଫଳରେ ଇନ୍ଦ୍ର ଯୁଦ୍ଧରେ  ବିଜୟଲାଭ କରିଥିଲେ । ପୁନଶ୍ଚ ଗୋପ ନଗରୀର ଗୋପୀମାନେ ମଧ୍ୟ ସେମାନଙ୍କର ସମସ୍ତ ବିପଦ ଆପଦରୁ ନିଜକୁ ରକ୍ଷା କରିବା ପାଇଁ କୃଷ୍ଫଙ୍କୁ ଅନୁରୋଧ କରି  ତାଙ୍କ ହସ୍ତରେ ରାକ୍ଷୀ ବନ୍ଧନ କରିଥିଲେ ।

ଏ ଭବ ସଂସାରରୁ ଦୁଷ୍ଟମାନଙ୍କୁ ବିନାଶ ପୂର୍ବକ ତଥା ସାଧୁ ସନ୍ଥମାନଙ୍କ ପାଳନ ଓ ଧର୍ମ ସଂସ୍ଥାପନ ନିମନ୍ତେ ଭଗବାନ ପ୍ରତି ଯୁଗରେ ଅବତାର ଗ୍ରହଣ କରିଥାନ୍ତି । ତେଣୁ ଭଗବାନଙ୍କର ଏତାଦୃଶ ଧର୍ମରକ୍ଷା ଓ ସ୍ମୃତିରକ୍ଷା ନିମନ୍ତେ ଏଇ ପୁଣ୍ୟଭୂମି ଭାରତବର୍ଷରେ ସନାତନ ଧର୍ମ ଓ ସଂସ୍କୃତିର ମାନବ ଜାତି ଉଦେ୍ଦଶ୍ୟରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଉକ୍ତ କିମ୍ବଦନ୍ତୀମାନ ଆମକୁ ଧର୍ମରକ୍ଷା ଦିଗରେ ସଚେତନ କରିବା ସହିତ ଦିଗ୍ଦର୍ଶନ ମଧ୍ୟ ଦେଇଥାଏ । ତେଣୁ ସଂକ୍ଷେପରେ କହିବାକୁ ଗଲେ ପ୍ରତ୍ୟେକ ପର୍ବପର୍ବାଣୀର କିଛି ନା କିଛି କିମ୍ବଦନ୍ତୀ ଓ ମର୍ମ ନିହିତ ଅଛି । ଶ୍ରାବଣ ମାସର ପୂର୍ଣ୍ଣିମାକୁ ଗହ୍ମା ପୁର୍ଣ୍ଣିମା ବା ପ୍ରଭୂ ବଳଦେବଜୁ୍ୟଙ୍କ ଜନ୍ମ ଦିବସ ରୂପେ ଆମେ ପାଳନ କରିଥାଉ । ଅନ୍ୟ ପକ୍ଷରେ ଏହି ଶ୍ରାବଣ ପୂର୍ଣ୍ଣିମାକୁ ଆମେ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ ବୋଲି କହିଥାଉ ।

ଉକ୍ତ ପର୍ବରେ କୃତଜ୍ଞତା ପ୍ରଦର୍ଶନ ସ୍ୱରୂପ ଗୋ-ସେବା ଓ ପୂଜା କରିଥାଉ । ଏହି ଦିନ ବଳଭଦ୍ରଙ୍କ ଜନ୍ମଦିନ ତଥା ତାଙ୍କର ଅନ୍ୟନାମ ହଳଧର ହୋଇଥିବାରୁ ,ଲଙ୍ଗଳକୁ ସେ ଆୟୁଧ ଭାବେ ଗ୍ରହଣ କରିଥିବାରୁ ତାଙ୍କର ଏପରି ନାମକରଣ ହୋଇଅଛି । ଏହା ବ୍ୟତୀତ ସେ କୃଷ୍ଫଙ୍କ ସହ ଜଙ୍ଗଲରେ ଗୋରକ୍ଷକ ଭାବେ ବାଲ୍ୟକାଳ ଅତିବାହିତ କରିଥିଲେ । ସେ ମଧ୍ୟ ଜଣେ ଗୋରକ୍ଷକ । ତେଣୁ ତାଙ୍କ ଜନ୍ମଦିନ ଉପଲକ୍ଷେ ବଳଭଦ୍ରଙ୍କ ପୂଜାର୍ଚ୍ଚନା କରି ତାଙ୍କର ଆଶୀର୍ବାଦ କାମନା କରିଥାଉ । ଏହି ଦିନ କୃଷକ ଘରେ ଖୁସିର ସୀମା ନଥାଏ । ବଡିସକାଳୁ କୃଷକର ଘରଣୀ ଘର ଲିପା ପୋଛା କରି ସାଜସଜ୍ଜା କରିଥାଏ । ସୁସ୍ୱାଦୁ ବ୍ୟଞ୍ଜନ ସହ ପିଠାପଣା ମଧ୍ୟ ପ୍ରସ୍ତୁତ ହୋଇଥାଏ । ଉକ୍ତ ଦିନଟି ଶୁଭ ଭାବେ ଗ୍ରହଣ କରାଯାଉ ଥିବାରୁ ନବବିବାହିତା କନ୍ୟାର ବରକୁ ଡାକିବାର ମଧ୍ୟ ପରମ୍ପରା ଓ ବିଧି ରହିଛି । କୃଷକ ତାର ସବୁ ଦିନର ସାଥୀ ବଳଦକୁ ସ୍ନାନ କରାଇ ଚନ୍ଦନ ଫୁଲ ଦେଇ ମୁଣ୍ଡ ଏବଂ ଶିଙ୍ଗରେ ମାଳ ଓ ରାକ୍ଷୀ ବାନ୍ଧିଥାଏ । ଗୃହରେ ପ୍ରସ୍ତୁତ ବ୍ୟଞ୍ଜନ ଓ ପିଠାପଣାକୁ ପ୍ରଥମେ ଗୋମାତାକୁ ଅର୍ପଣ କରିବା ପରେ ଘରେ ଖିଆଯାଏ । ଏକାଦଶ ଶତାବ୍ଧୀର ସ୍ତୁତିକାର ଆଚାର୍ଯ୍ୟ ସଦାନନ୍ଦଙ୍କ ଉକ୍ତି ଅନୁଯାୟୀ- ପ୍ରଭୂ ବଳଭଦ୍ରଙ୍କ ଜନ୍ମ ଉଦେ୍ଦଶ୍ୟରେ ଗହ୍ମା ପୂର୍ଣ୍ଣିମା ପ୍ରସିଦ୍ଧ । ତେଣୁ କୃଷିଜୀବୀମାନେ ଏକତ୍ରିତ ହୋଇ କେତେକ ସ୍ଥାନରେ ପାଳନ କରିଥିବାର ନଜିର ରହିଛି । ଗ୍ରାମ ମୁଣ୍ଡରେ ଗହ୍ମା ବେଦୀଟିଏ ତିଆରି କରିବା ସଙ୍ଗେ ସଙ୍ଗେ ତା ଉପରେ ବଳଭଦ୍ରଙ୍କ ଆକୃତି କରି ପୂଜାର୍ଚ୍ଚନା କରିଥାନ୍ତି । ଏଥି ସହିତ ଗୋଟିଏ ବଳଦର ମାଟିସ୍ତୁପ ସ୍ଥାପନ କରି ଏକ ଅଣ୍ଡିରା ବାଛୁରୀକୁ ଡିଆଁଇଥିବାରୁ ଏହି ପର୍ବକୁ ଗହ୍ମାଡିଆଁ ପର୍ବ ମଧ୍ୟ କୁହାଯାଏ ।

ଇତିହାସ କହେ – ଯେତେବେଳେ ୧୯୦୫ ମସିହାରେ ଇଂରେଜମାନେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଧର୍ମକୁ ଆଳ କରି ବଙ୍ଗ ବିଭାଜନ କରିବାକୁ ଚାହିଁଲେ, ଠିକ୍ ସେତିକିବେଳେ ରବିନ୍ଦ୍ରନାଥ ଟାଗୋର ରକ୍ଷା ବନ୍ଧନ ଉତ୍ସବର ଆୟୋଜନ କରିଥିଲେ । ଏହି ଉତ୍ସବ ମାଧ୍ୟମରେ ସେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ତେଣୁ ଇତିହାସ ପୃଷ୍ଠାରେ ରାକ୍ଷୀକୁ ନେଇ ଏମିତି ବହୁତ କାହାଣୀ ରହିଛି । ଯେତେବେଳେ ଗୁଜୁରାଟର ରାଜା ବାହାଦୁର ଶାହା ଚିତୋର ଉପରେ ଆକ୍ରମଣ କରିବାକୁ ଯୋଜନା କଲେ , ସେତେବେଳେ ସ୍ୱାମୀଙ୍କୁ ହରାଇଥିବା ରାଣୀ କର୍ଣ୍ଣାବତୀ ହୁମାୟୁନ୍ଙ୍କଠାରୁ ସାହାଯ୍ୟ ପ୍ରାପ୍ତି ଆଶାରେ ଏକ ରାକ୍ଷୀ ପ୍ରେରଣ କରିଥିଲେ । ପୁନଶ୍ଚ ଆଲେକଜାଣ୍ଡାର ଭାରତ ଆକ୍ରମଣ କରିବା ସମୟରେ ତାଙ୍କ ପତ୍ନୀ ରୁକ୍ସାନା କୈକେୟ ରାଜ୍ୟର ରାଜା ପୋରସ୍ଙ୍କୁ ଏକ ରାକ୍ଷୀ ପଠାଇଥିଲେ । ସେ ସର୍ତ ରଖିଥିଲେ – ସେ ଯେମିତି ତାଙ୍କ ସ୍ୱାମୀଙ୍କୁ ଯୁଦ୍ଧରେ କ୍ଷତି ପହଂଚାଇବେ ନାହିଁ । ପରେ ସେଇଆ ହିଁ ହୋଇଥିଲା । ଯୁଦ୍ଧ ସମୟରେ ପୋରସ୍ ଯେତେବେଳେ ନିଜର ଶେଷ ଅସ୍ତ୍ର ଆଲେକଜାଣ୍ଡାର୍ଙ୍କ ଉପରକୁ ନିକ୍ଷେପ କରିବାକୁ ଯାଉଥିବା ସମୟରେ , ହଠାତ୍ ନିଜ ହାତରେ ବନ୍ଧା ହୋଇଥିବା ରାକ୍ଷୀକୁ ଦେଖି ତାଙ୍କର ସବୁ କଥା ମନେ ପଡି ଯାଇଥିଲା । ତେଣୁ ସେ ସେଇଠି ଅଟକି ଯାଇଥିଲେ ।

ଜଗତର ନାଥ ଜଗନ୍ନାଥଙ୍କ ଉଦେ୍ଦଶ୍ୟରେ ଶ୍ରୀମନ୍ଦିରରେ ମଧ୍ୟ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଏ । ସେଦିନ ସାଧାରଣ ମଣିଷଙ୍କ ପରି ଲୀଳାଖେଳା କରନ୍ତି ପ୍ରଭୂ ଜଗନ୍ନାଥ । ମଣିଷଙ୍କ ପରି ସେ ସ୍ୱାଦିଷ୍ଟ ଭୋଜନ କରିଥାନ୍ତି । ଜ୍ୱର ହେଲେ ଔଷଧ ସେବନ ବି କରନ୍ତି । ଏତଦ୍ବ୍ୟତୀତ ସେ ତାଙ୍କର ଭଗିନୀ ସୁଭଦ୍ରାଙ୍କୁ ମଧ୍ୟ ବେଶୀ ଭଲ ପାଆନ୍ତି । ପ୍ରତିବର୍ଷ ରଥଯାତ୍ରାରେ ନିଜ ସ୍ତ୍ରୀ ଲକ୍ଷ୍ମୀଙ୍କୁ ବଡଦେଉଳରେ ଛାଡି ସେ ଭଉଣୀକୁ ନେଇ ମାଉସୀ ଘରକୁ ଯାଆନ୍ତି । ଏଥିରୁ ଜଣାପଡେ ଯେ ଜଗନ୍ନାଥଙ୍କ ପାଇଁ ତାଙ୍କ ଭଉଣୀ କେତେ ପ୍ରିୟ । ତେଣୁ ଶ୍ରୀମନ୍ଦିରରେ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ପାଳନ କରନ୍ତି ରକ୍ଷା ବନ୍ଧନ । ପ୍ରତିବର୍ଷ ଠାକୁରଙ୍କ ହାତରେ ବନ୍ଧା ହେଉଥିବା ରାକ୍ଷୀ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାଏ । ପୁରୀରେ ପାତ୍ର ବିଶୋଇ ସଂପ୍ରଦାୟର ଜଗନ୍ନାଥ ପାତ୍ର ଏବଂ ତାଙ୍କ ଘର ଲୋକେ ଜଗନ୍ନାଥ ଓ ବଳଭଦ୍ର ପାଇଁ ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତ କରିଥାନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ରାକ୍ଷୀ ପାଇଁ ପାଟ କପଡା ଯୋଗାଇ ଦିଆଯାଏ । ନାଲି, ନୀଳ, ସବୁଜ, ହଳଦିଆ ଓ ଧଳା ରଙ୍ଗର ବ୍ୟବହାରରେ ହିଁ ରାକ୍ଷୀ ପ୍ରସ୍ତୁତ ହୁଏ ।

ଉକ୍ତ ଦିବସଟି ଶ୍ରେଷ୍ଠ ହୋଇଥିବାରୁ ଏହି ଦିନରେ ମୁନୀଋଷିମାନେ ବେଦ ଓ ପୁରାଣ ପଠନ ଆରମ୍ଭ କରିଥିଲେ । ଏଣୁ ଏହାକୁ ସଂସ୍କୃତି ଦିବସ ମଧ୍ୟ କୁହାଯାଏ । ଶ୍ରାବଣ ପୂର୍ଣ୍ଣିମାକୁ କେତେକ ଝୁଲଣ ପୂର୍ଣ୍ଣିମା କହିଥାନ୍ତି । କାରଣ ଶ୍ରାବଣ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରଭୂଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଥାଏ ।

କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି – କରୋନା ଛଡାଇ ନେଇଛି ସମସ୍ତଙ୍କ ମୁହଁରୁ ଖୁସି ଓ ଆନନ୍ଦ । ଲଦିଦେଇଛି ସମସ୍ତଙ୍କ ଠାରେ ଦୁଃଖର ପାହାଡ । ଆଜିକୁ ୪/୫ ମାସ ଧରି ଲକ୍ଡାଉନ୍ ଓ ସଟ୍ଡାଉନ୍ ଜାରି ରହିଥିବାବେଳେ  ଏଇ ପରିପ୍ରେକ୍ଷୀରେ ରକ୍ଷା ବନ୍ଧନ ପର୍ବ ଫିକା ପଡିଯାଇଛି । ଦୂର ବିଦେଶରୁ ପ୍ରତି ବର୍ଷ ଭାଇ ପାଇଁ ଆସୁଥିବା ରାକ୍ଷୀ ଆଉ ଆସିପାରିବନି । କାଳେ ସେ ରାକ୍ଷୀରେ କରୋନା ଭୂତାଣୁ ଥିବ ବୋଲି । ଭଉଣୀଟିଏ କେତେ ସରଧାରେ ତା ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଅନାଇ ବସିଥାଏ ଏଇ ଦିନକୁ । ହେଲେ ଏ ବର୍ଷ କରୋନା ଛଡାଇ ନେଇଛି ସେମାନଙ୍କ ହାତରୁ ରାକ୍ଷୀ । ଦୁଃଖ ଭରିଦଇଛି ସେମାନଙ୍କ ଛାତି ତଳେ । କିନ୍ତୁ ଏସବୁ ପ୍ରତି ଦୃଷ୍ଟି ନଦେଇ ସଂପ୍ରତି ଲକ୍ଷ୍ୟ କରାଯାଉଛି- ପିତାମାତାଙ୍କ ମୃତୁ୍ୟ ପରେ ଜମିବାଡି,ଧନ ସମ୍ପତି କିମ୍ବା ଅନ୍ୟ କୈାଣସି କାରଣକୁ କେନ୍ଦ୍ରକରି ଭାଇ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ଦିନକୁ ଦିନ କ୍ଷୁର୍ଣ୍ଣ ହେବାରେ ଲାଗିଛି । ଦୁହିଙ୍କ ମଧ୍ୟରେ ତଥା ପରିବାରରେ ଆନ୍ତରିକ ବୁଝାମଣାର ଅଭାବରୁ ଉଭୟଙ୍କୁ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ପଡୁଛି । ତେଣୁ ଆଜିର ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଉପୁଜୁଥୁବା ବିଭିନ୍ନ ଘଟଣା ପ୍ରତି ସେମାନେ ଦୃଷ୍ଟି ନଦେଇ , ସଂପର୍କ ଡୋରିରେ ବନ୍ଧା ଯାଇଥିବା ସଂପର୍କକୁ ଅଧିକ ସୁଦୃଢ କରି ତଥା ମନ ମଧ୍ୟରେ ସ୍ନେହ, ପ୍ରେମ, ରାଗ, ଅଭିମାନ ଓ ଭଲ ପାଇବାର ପ୍ରତିଫଳନ ପ୍ରତି ଧ୍ୟାନ ଦେଇ ଭଉଣୀଟିଏ ସାରା ଜୀବନ ରକ୍ଷା କବଚ ରୂପକ ରାକ୍ଷୀକୁ ପାଥେୟ କରି ଜୀବନର ଅବଶିଷ୍ଟ ବାଟ ଚାଲିବା ଉଚିତ ।

Leave A Reply