ମୌଲାନା ଫଜଲ ହକ ଖାଁ : ପବିତ୍ର କୁରଆନ ହଦିସ ଓ ବାଇବେଲରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଚାରି ହଜାର ବର୍ଷପୂର୍ବେ ଆରବ ଭୂଖଣ୍ଡରେ ଘୋର ଅନ୍ଧ ବିଶ୍ୱାସର ବାତାବରଣ ଥିଲା । ଏକେଶ୍ୱରବାଦର କୌଣସି ଚିହ୍ନବର୍ଣ୍ଣ ନଥିଲା । ଯେତେବେଳେ ଏ ଅନ୍ଧବିଶ୍ୱାସ ସେଠାକାର ସମାଜକୁ ସଂପୂର୍ଣ୍ଣ ଗ୍ରାସ କରିବାକୁ ଲାଗିଲା ଓ କୁସଂସ୍କାର ଜଳ ସ୍ଥଳେ ସର୍ବତ୍ର ବ୍ୟାପିଗଲା , ସେତେବେଳେ (ମୁସଲମାନ ଧର୍ମବିଶ୍ୱାସ ଅନୁଯାୟୀ) ଅଲ୍ଲାଃ ଚାହିଁଥିଲେ ଯେ ଲୋକମାନେ କେବଳ ତାହାଙ୍କ ନାମ ସ୍ମରଣ କରନ୍ତୁ । ମନୁଷ୍ୟ ଜୀବବଳି ପରି କୁପ୍ରଥାରୁ ଦୂରେଇ ଯାଆନ୍ତା ଓ ସେମାନେ ଯେପରି ନର୍କଗାମୀ ହେବାରୁ ବଂଚିତ ହୋଇଯାଆନ୍ତେ । ଫଳରେ ଅଲ୍ଲାଃ ସମସ୍ତଙ୍କ ଦୃଷ୍ଟିର ଅନ୍ତରାଳରେ ରହି ଏକ ମହାନ ନାଟକର ସଂରଚନା କରିଥିଲେ, ଯାହା ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିଗଲା ଏବଂ ବଳିଦାନର ପ୍ରକୃତ ଅର୍ଥ ପ୍ରକାଶ ପାଇଲା । ପ୍ରକୃତ କୁରବାନୀ କିପରି ହେବା ଦରକାର ତାହା ବୁଝାପଡ଼ିଲା । ସେଥିପାଇଁ ଆଜି ଆମେ ‘କୁରବାନୀ ଇଦ’ ପାଳନ କରୁଅଛେ ।
ମୁସଲମାନ ସମ୍ପ୍ରଦାୟର ଲୋକମାନେ ରମଜାନ ଇଦ୍ର ପରେ ଇଦୁଲ୍ ଅଜ୍ହିଆ ପାଳନ କରନ୍ତି । ଆରବୀ ଭାଷାରେ “ଆଜ୍ହିଆ”ର ଅର୍ଥ “କୁରବାନୀ”ବଳିଦାନ ବା ତ୍ୟାଗ ।
ପବିତ୍ର କୁରଆନର ସୁରା ଅଲ୍-ସାଫାତ୍ରେ ବର୍ଣ୍ଣନା କରାଯାଇଛି, ଯେ ଇବ୍ରାହିମ୍ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ନିଃସନ୍ତାନ ଥିଲେ ଓ ଏକ ପୁତ୍ର ସନ୍ତାନ ପାଇବା ସକାଶେ ଦୁଆ କରିଥିଲେ । ଅଲ୍ଲାଃ ତାଙ୍କୁ ଏକ ସନ୍ତାନ ଜନ୍ମର ସୁସମ୍ବାଦ ଦେଇଥିଲେ । ତେବେ ସେହି ପୁତ୍ର ସନ୍ତାନ ଅଲ୍ଲାଃଙ୍କ କହିବାନୁଯାୟୀ ଜନ୍ମ ହୋଇ ବଢ଼ିବାକୁ ଲାଗିଲା । ଯେତେବେଳେ ଏହି ବାଳକ ଖେଳକୁଦର ବୟସରେ ଉପନିତ ହେଲା, ସେତେବେଳେ ହଠାତ୍ ଦିନେ ଅଲ୍ଲାଃ ଆପଣଙ୍କୁ ସ୍ୱପ୍ନ ଦ୍ୱାରା ନିଦେ୍ର୍ଦଶ ଦେଲେ, ଯେ ‘ତୁ’ ତୋର ଏହି ଅତିପ୍ରିୟ ସନ୍ତାନକୁ ବଳି ଦେ । ଏହାପରେ ଇବ୍ରାହିମ ଏହି ଖବର ନିଜ ପୁତ୍ର ଇସମାଇଲ୍ଙ୍କୁ ଶୁଣାଇଲେ । ସେହି ଭବ୍ୟ କୋମଳମତି ଆଜ୍ଞାବହ ସନ୍ତାନ ଉକ୍ତ କଥାରେ ସମ୍ମତି ପ୍ରଦାନ କରିଥିଲେ ଓ ଏହି ନିଷ୍ପତିରେ ଅଟଳ ରହିବାର ପ୍ରତିଜ୍ଞା କରିଥିଲେ । ତା’ପରେ ହଜରତ ଇବ୍ରାହିମ ନିଜ ପୁତ୍ର ଇସମାଇଲକୁ ବଳିଦେବା ପାଇଁ ଉଦ୍ୟତ ହୁଅନ୍ତେ ତାଙ୍କୁ ଦୈବୀବାଣୀ ହେଲା, ହେ ଇବ୍ରାହିମ ! ତୁମେ ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇଛ । ତୁମ ପାଇ ଏହା ଏକ ପରୀକ୍ଷା ଥିଲ । ତୁମେ ପ୍ରକୃତରେ ପୁନ୍ୟବାନ । ଏବଂ ତୁମେ ଏକ ଅଣ୍ଡିରା ମେଷକୁ ବଳିଦିଅ, ଯାହା ତୁମ ପୁତ୍ରବଳିର ପ୍ରତିବଦଳ ହେବ । ଅଲ୍ଲାଃ ତୁମକୁ ଉପଯୁକ୍ତ ପୁରସ୍କାର ଅବଶ୍ୟ ପ୍ରଦାନ କରିବେ ଏବଂ ତୁମ ଆଗାମୀ ବଂଶଧରଙ୍କ ପାଇଁ ଏହି ପୂଣ୍ୟକର୍ମ ଏକ ଆଦର୍ଶ ଦୃଷ୍ଟାନ୍ତ ହୋଇ ରହିବ ।
ଯେହେତୁ ସେତେବେଳେ ମଣିଷ ବଳିର ପ୍ରଚଳନ ଥିଲା, ତେଣୁ ହଜରତ ଇବ୍ରାହିମ ମଧ୍ୟ ଭ୍ରମରେ ପଡ଼ିଯାଇ ନିଜ ପୁତ୍ରକୁ ବଳି ଦେବାପାଇଁ ନେଇ ଯାଇଥିଲେ । କିନ୍ତୁ ଅଲ୍ଲାଃଙ୍କ ନିଦେ୍ର୍ଦଶ ଅନୁସାରେ ହଜରତ ଇବ୍ରାହିମ ପୁତ୍ରବଳି ପରିବର୍ତେ ମେଷବଳି ଦେଇଥିଲେ, ସେହି ସମୟ ଠାରୁ ପଶୁବଳି ପ୍ରଥା ପ୍ରଚଳନ କରିଥିଲେ ଏବଂ ମନୁଷ୍ୟବଳି ସବୁଦିନ ପାଇଁ ବନ୍ଦ କରି ଦେଇଥିଲେ । ଏହାପରେ ଯେତେବେଳେ ଲୋକମାନଙ୍କ ମଧ୍ୟରେ ଏଭଳି ଅନ୍ଧବିଶ୍ୱାସର ଉଦ୍ରେକ ହୋଇଥିଲା, ହଜରତ ଇବ୍ରାହିମ୍ଙ୍କ ଉପରେ ବିଶ୍ୱାସ ରଖୁଥିବା ଲୋକମାନେ ଏହାର ପ୍ରବଳ ବିରୋଧ କରିଥିଲେ ।
ଜଣେ ମୂର୍ତି ତିଆରି କରୁଥିବା ବାପର ପୁତ୍ର ହୋଇ ମଧ୍ୟ ହଜରତ ଇବ୍ରାହିମ ଏକ ନିରାକାର ପ୍ରଭୁଙ୍କର ଭକ୍ତ ହୋଇ ପାରିଥିଲେ । ନରବଳିକୁ ଉଚ୍ଛେଦ କରି ପଶୁବଳି ପ୍ରଚଳନ କରିଥିଲେ । ତେଣୁ ବଡ଼ବଡ଼ ଧର୍ମ ସଂପ୍ରଦାୟରେ ହଜରତ ଇବ୍ରାହିମ୍ଙ୍କୁ ଜଣେ ସଂସ୍କାରକ ଓ ଯୁଗ ପ୍ରବର୍ତକ ଭାବରେ ସମ୍ମାନ ଦିଆଯାଉଛି ଏବଂ ଇସଲାମ ଧର୍ମରେ ତାଙ୍କୁ ନବି(ଅବତାର)ଙ୍କ ସ୍ଥାନ ଦିଆଯାଇଛି । ମୁସଲମାନ ମାନେ ଯେତେବେଳେ ହଜରତ ମୁହମ୍ମଦ ସଲ୍ଲମଙ୍କୁ ଦରୁଦ୍ ପଠାଇଥାନ୍ତି, ସେତେବେଳେ ହଜରତ ଇବ୍ରାହିମଙ୍କ ନାମ ମଧ୍ୟ ନେଇଥାନ୍ତି ।
ଦୈବୀବାଣୀ ପରେ ଆଉ ଏକ ଘଟଣା ଘଟିଥିଲା । ଯାହାଦ୍ୱାରା ହଜରତ ଇବ୍ରାହିମଙ୍କୁ ନିଜ ପତ୍ନୀ ଓ ପୁତ୍ରଙ୍କ ଠାରୁ ପୃଥକ ହେବାକୁ ପଡ଼ିଥିଲା । ଏହା ମଧ୍ୟ ଅଲ୍ଲାଃଙ୍କ ନିଦେ୍ର୍ଦଶ ଅନୁସାରେ ହୋଇଥିଲା । କିଛି ଲୋକ ହଜରତ ଇବ୍ରାହିମଙ୍କୁ ଏକ ସତ୍ୟବାଦୀ ପୁରୁଷ ଭାବେ ଗ୍ରହଣ କରି ତାଙ୍କର ଅନୁଗାମୀ ହୋଇଥିଲେ । ଯେହେତୁ ହଜରତ ଇବ୍ରାହିମ ଏକେଶ୍ୱରବାଦର ପ୍ରଚାର କରୁଥିଲେ, ଅନୁଗାମୀମାନେ ଏହାକୁ ସତ୍ୟ ସିଦ୍ଧାନ୍ତ ଭାବେ ଗ୍ରହଣ କରିଥିଲେ ।
ହଜରତ ଇବ୍ରାହିମଙ୍କୁ ଅଲ୍ଲାଃ ନିଦେ୍ର୍ଦଶ ଦେଲେ ଯେ ତୁମେ ନିଜ ପତ୍ନୀ ହଜରତ ହାଜ୍ରାଙ୍କୁ ଓ ପୁତ୍ର ହଜରତ ଇସମାଇଲଙ୍କୁ ନେଇ ଏକାନ୍ତରେ ଛାଡ଼ିଆସ । ସେ ଅଲ୍ଲାଃଙ୍କ ଆଜ୍ଞା ପାଳନ କରି ତାହା ହିଁ କରିଥିଲେ । ଛଅ ବର୍ଷର ପୁତ୍ର ଓ ହଜରତ ହାଜରାଙ୍କୁ ସାଙ୍ଗରେ ନେଇ ଏକ ନିର୍ଜନ ବାଲୁକାମୟ ମରୁଭୂମିରେ ଛାଡ଼ି ଆସିଲେ । ଏହି ଘଟଣା ଆଉ ଏକ ସତ୍ୟ ଘଟଣାର ସୁତ୍ରପାତ କଲା । ନିଜ ପତ୍ନୀ ଓ ପୁଅକୁ ଆରବର ମକ୍କା ମରୁପ୍ରାନ୍ତରେ ଛାଡ଼ି ଆସିବା ପରେ ସେଠାରେ ମାତା ଓ ପୁତ୍ରଙ୍କର ବଂଚିବାର ଏକମାତ୍ର ସମ୍ବଳ ଥିଲା, ଅଳ୍ପ ପାଣି ଓ କିଛି ଖଜୁରୀ କୋଳି । ହଜରତ ଇବ୍ରାହିମ ଘର ମୁହାଁ ହେଲା ବେଳେ ପତ୍ନୀ ହାଜରା ପଚାରିଥିଲେ, ଏପରି କରିବାର ଉଦେ୍ଦଶ୍ୟ କ’ଣ ? ବାରମ୍ବାର ଏହି ପ୍ରଶ୍ନ କରନ୍ତେ ହଜରତ ଇବ୍ରାହିମ ଲୋକତପୂର୍ଣ୍ଣ ଚକ୍ଷୁରେ ଉପରକୁ ଇଙ୍ଗିତ କରିଥିଲେ । ହଜରତ ହାଜରା ବୁଝିପାରିଲେ ଯେ ଏହା ଆଲ୍ଲାଃଙ୍କ ନିଦେ୍ର୍ଦଶ । ସେ କହିଲେ, “ଯଦି ଏହା ଅଲ୍ଲାଃଙ୍କର ଇଚ୍ଛା, ତେବେ ଆପଣ ଆମକୁ ନିଶ୍ଚିତ ହୋଇ ଏଠାରେ ଛାଡ଼ି ଯାଆନ୍ତୁ । ଅଲ୍ଲାଃ ଆମକୁ କେବେହେଲେ ନଷ୍ଟ କରିବେ ନାହିଁ ।” କିଛି ଦିନପରେ ପାଖରେ ଥିବା ଖଜୁରୀ କୋଳି ଓ ପାଣି ସରିଗଲା । ଶିଶୁ ପୁତ୍ର ଇସମାଇଲଙ୍କୁ ପ୍ରବଳ ଶୋଷ ହେଲା ଓ ସେ କାନ୍ଦିବାକୁ ଲାଗିଲେ । ହଜରତ ହାଜରା ଅତି ବ୍ୟାକୁଳ ହୋଇ ଅନତି ଦୂରରେ ଥିବା ଦୁଇଟି ପାହାଡ଼ “ସଫା” ଏବଂ “ମର୍ୱା” ଉପରେ ସାତଥର ଚଢ଼ି ପାଣି ଖୋଜିଲେ । କୌଣସି ସ୍ଥାନରେ ପାଣିର ସନ୍ଧାନ ମିଳିଲା ନାହିଁ ।
ହଜରତ ହାଜରା ଆର୍ତନାଦ କରିଥିଲେ“ କ’ଣ ଅଲ୍ଲାଃଙ୍କର କେହି ପୁଣ୍ୟବନ୍ତ ଭକ୍ତ ଅଛି, ଯେ ଆମକୁ ପାଣି ଯୋଗାଇ ପାରିବ ?” ସେତେବେଳେ ଦୈବୀବାଣୀ ଦ୍ୱାରା ତାଙ୍କୁ ଜଣାଇ ଦିଆଗଲା ଯେ ତୁମ ସନ୍ତାନର ଆବଶ୍ୟକତା ପୂରଣ ହୋଇଯାଇଛି । ସତକୁ ସତ ସେ ପାହାଡ଼ରୁ ତଳକୁ ଓହ୍ଲାଇ ଦେଖିଲେ ଯେ ହଜରତ ଇସମାଇଲଙ୍କ ଗୋଇଠି ଘର୍ଷଣରୁ ବାଲି ମଧ୍ୟରୁ ଏକ କ୍ଷୁଦ୍ର ଝରଣା ସୃଷ୍ଟି ହୋଇଛି । ସେମାନେ ସେହି ଝରଣା କୂଳରେ ନିଜର ଡ଼େରା ପକାଇଲେ । କ୍ରମଶଃ ସେହି ସ୍ଥାନ ବଣିକମାନଙ୍କର ମଧ୍ୟ ଏକ ବିଶ୍ରାମଗାରରେ ପରିବର୍ତିତ ହେଲା । ଏହି ସ୍ଥାନକୁ ଏକ ପବିତ୍ର ସ୍ଥାନ ରୂପେ ଗ୍ରହଣ କରାଯାଏ ଓ ଏଠାରୁ ଯେଉଁ ପାଣି ବାହାରିଥିଲା, ପରବର୍ତୀ ସମୟରେ ତାହା ଏକ ଝରଣାରେ ପରିଣତ ହେଲା । ଏବଂ ଏହା‘‘ଆବେ ଜମ୍ ଜମ୍”(ଅର୍ଥାତ୍ ଏ ପାଣି ତୁ ଅଟକି ଯା’) ନାମରେ ବିଖ୍ୟାତ ।
କୁରବାନୀର ଅନ୍ତର୍ନିହିତ ଶିକ୍ଷା ହେଉଛି “ନିଜର ସର୍ବସ୍ୱକୁ ଈଶ୍ୱରଙ୍କ ପାଇଁ ଓ ମାନବ କଲ୍ୟାଣ ପାଇଁ ଉସôର୍ଗ କରିଦେବା ।’’ ହଜରତ ଇବ୍ରାହିମଙ୍କ ସମୟରେ ପଶୁବଳି ପ୍ରଥା ପ୍ରଚଳିତ ହୋଇଥିଲା । ଏହାକୁ ସେ ସମୟର ଖ୍ରୀଷ୍ଟିଆନ ଓ ୟହୁଦୀ ଧର୍ମାଲମ୍ବୀମାନେ ମଧ୍ୟ ଗ୍ରହଣ କରିଥିଲେ । ପରବର୍ତୀ ସମୟରେ ଏହି ପଶୁବଳି ପ୍ରଥାକୁ ହଜରତ ମହମ୍ମଦ ସଲ୍ଲମ ନୀୟମିତ ରୀତିରେ ପରିଣତ କରିଥିଲେ । ସମସ୍ତ ହଜ ଯାତ୍ରୀଙ୍କ ସକାଶେ ପଶୁବଳି ଦେବା ଧାର୍ଯ୍ୟ କରି ଦିଆଗଲା । ସମଗ୍ର ମୁସଲମାନମାନଙ୍କ ପାଇଁ କୁରବାନୀ କରିବାକୁ ଏକ ଆଦର୍ଶ ଭାବେ ଗ୍ରହଣ କରାଗଲା ।
କେତେକ ଅନୁଚରଙ୍କ ପ୍ରଶ୍ନର ଉତର ଦେଇ କୁରବାନୀର ଉଦେ୍ଦଶ୍ୟ ଓ ମହତ୍ୱ ବିଷୟରେ ନବି ଶ୍ରେଷ୍ଠ ହଜରତ ମୁହମ୍ମଦ ସଲ୍ଲମ କୁହନ୍ତି ଯେ ‘ଏହା ହେଉଛି ସୁନ୍ନତ୍(ମୋର ଅନୁସୃତ ପନ୍ଥା) । ଏହାପରେ ଅଲ୍ଲାଃ ପବିତ୍ର କୋରାନର ସୁରା ଅଲ୍ ହଜରେ ଏହି ଆୟତ ଅବତୀର୍ଣ୍ଣ କଲେ “ତୁମ୍ଭମାନଙ୍କ କୁରବାନୀ ପଶୁର ମାଂସ ବା ରକ୍ତ ଅଲ୍ଲାଃଙ୍କ ଠାରେ ଗୃହୀତ ହୁଏ ନାହିଁ । ଯାହା ଗୃହୀତ ହୁଏ, ତାହା ହେଉଛି ଅଲ୍ଲାଃଙ୍କ ପ୍ରତି ଭକ୍ତି ।”
ଅନ୍ୟ ଧର୍ମାବଲମ୍ବୀଙ୍କର କୁରବାନୀ ପ୍ରଥାଠାରୁ ଇସଲାମୀ କୁରବାନୀ ପ୍ରଥାରେ ପାର୍ଥକ୍ୟ ରହିଛି । ହଜରତ ମୁହମ୍ମଦ ସଲ୍ଲମଙ୍କ ଶିକ୍ଷାରେ ଅନୁପ୍ରାଣୀତ ହୋଇ ଏଯୁଗର କଳକୀ ଅବତାର ତଥା ଅହମଦୀୟା ମୁସଲିମ ସଂପ୍ରଦାୟର ସଂସ୍ଥାପକ ହଜରତ ମିର୍ଜା ଗୁଲାମ ଅହମଦ ନିଜ ପୁସ୍ତକ “ଖୁତ୍ବା ଇଲ୍ହାମିଆ”ରେ ବ୍ୟାଖ୍ୟା କରିଛନ୍ତି ଯେ ଯେଉଁବ୍ୟକ୍ତି ନିଜକୁ ଅଲ୍ଲାଃ ପାଖରେ ଆତ୍ମ ସମର୍ପଣ କରିଦିଏ… । ସେ ହିଁ ପ୍ରକୃତ ମୁସଲମାନ ପଦବାଚ୍ୟ ।
ସୁତରାଂ ଏହି ଇଦ୍ର ଶିକ୍ଷା ହେଉଛି ତ୍ୟାଗର ମନଭାବ ନେଇ ପ୍ରଥମେ କିଛି ଅଲ୍ଲାଃଙ୍କ ଉଦେ୍ଦଶ୍ୟରେ ଓ ମାନବ କଲ୍ୟାଣ ପାଇଁ ଉସôର୍ଗ କର । ଏହାପରେ ଯେଉଁ ଆନନ୍ଦ ମିଳେ ତାହା ହିଁ ପ୍ରକୃତ ଆନନ୍ଦ । ଇଦୁଲ୍ ଅଜିହା ଆମକୁ କେବଳ ପଶୁବଳି ଦେବାର ଶିକ୍ଷା ଦେଇନଥାଏ,ବରଂ ଆମେ ନିଜର ଧନ-ଜନ, ମାନ-ସମ୍ମାନ, ଓ ସମୟର କୁରବାନୀ ଦେଇ ଅଲ୍ଲାଃଙ୍କ ସାନିଧ୍ୟ ହାସଲ କରିବା ଓ ମାନବ କଲ୍ୟାଣ ପାଇଁ ନିଜକୁ ଉସôର୍ଗ କରିବାର ପାଇଁ ମଧ୍ୟ ଶିକ୍ଷା ଦେଇଥାଏ । ଏହାହିଁ ହେଉଛି, ସମୟର ଆହ୍ୱାନ ।