ରକ୍ଷାବନ୍ଧନ ଏକ ଧାର୍ମିକ ବା ପବିତ୍ରତାର ବନ୍ଧନ । ଈଶ୍ୱରଙ୍କ ପ୍ରତି ଥିବା ଅନନ୍ୟ ପ୍ରେମର ଏହା ଏକ ସୁଖଦ ବନ୍ଧନ । ଯେପରି ଅଙ୍କୁଶ ଦ୍ୱାରା ହାତୀ, ଲଗାମ ଦ୍ୱାରା ଘୋଡ଼ା, ନଥ ଦ୍ୱାରା ବଳଦକୁ ନିୟନ୍ତ୍ରଣ କରାଯାଇଥାଏ, ସେହିପରି ଜୀବନ ଈଶ୍ୱରୀୟ ମର୍ଯ୍ୟାଦାରୂପୀ ବନ୍ଧନରେ ବାନ୍ଧିହେଲେ ପଞ୍ଚବିକାର ଉପରେ ବିଜୟ ହାସଲ କରେ ମଣିଷ । ଧର୍ମର ଅର୍ଥ ଧାରଣ କରିବା । ଯିଏ ଧର୍ମର ରକ୍ଷା କରେ, ଧର୍ମ ମଧ୍ୟ ତାହାର ରକ୍ଷାକରେ । ଯାହାର ମନ, ବଚନ ଓ କର୍ମରେ ପବିତ୍ରତା ରହେ, ତାହାର ରକ୍ଷା ତାହାର ସ୍ୱକର୍ମ ହିଁ କରାଇଥାଏ । ଏହାହିଁ ସର୍ବଶ୍ରେଷ୍ଠ ମର୍ଯ୍ୟାଦା ଅଟେ ।
ଏହି “ରକ୍ଷା ବନ୍ଧନ’କୁ କେହି କେହି “ବିଷତୋଡ଼କ ପର୍ବ’ ବା “ପୂଣ୍ୟ ପ୍ରଦାୟକ ପର୍ବ’ ବୋଲି କହିଥାନ୍ତି । ଅଧର୍ମ, ଅନ୍ୟାୟ, ଅସତ୍ୟ, ଅଜ୍ଞାନତାର ବିନାଶ କରି ଧର୍ମର ପ୍ରତିଷ୍ଠା କରିବାକୁ ସ୍ୱୟଂ ଭଗବାନ ସର୍ବ ଆତ୍ମାମାନଙ୍କର ପିତା ଯୁଗେ ଯୁଗେ ଧରାବତରଣ କରି ଈଶ୍ୱରୀୟ ମର୍ଯ୍ୟାଦା ରୂପକ ରକ୍ଷାସୂତ୍ର ପ୍ରଦାନ କରନ୍ତି ।
ଦୁଇଟି ରେଶମୀ ଡୋରୀରେ ଚିକ୍ମିକ୍ ଭେଲଭେଟ୍ କପଡ଼ାରେ ତିଆରି ହୋଇଥିବା ଆକର୍ଷଣୀୟ କାରୁକାର୍ଯ୍ୟଭରା ରାକ୍ଷୀର ମଝିଅଂଶ (ମୌଳି) ହେଉଛି ପରାମାତ୍ମାଙ୍କ ପ୍ରତୀକ । ଏହାର ଉଭୟ ପାଶ୍ୱର୍କୁ ଲମ୍ବିଥିବା ଦୁଇଟି ସୂତା ବା ଡୋରୀ ହେଲା ଜ୍ଞାନ ଓ ଯୋଗର ଦ୍ୟୋତକ । ଜ୍ଞାନ ଦ୍ୱାରା ମଣିଷ ପରମାତ୍ମାଙ୍କୁ ଜାଣେ । ଯୋଗ ଦ୍ୱାରା ପଞ୍ଚବିକାରମୁକ୍ତ ହୋଇ ତାଙ୍କ ଉପସ୍ଥିତିକୁ ଅନୁଭବ କରିବା ସଙ୍ଗେ ସଙ୍ଗେ ପରମାତ୍ମାଙ୍କ ଆଶୀର୍ବାଦ ପାଇବାକୁ ଯୋଗ୍ୟ ହୁଏ । ଏହିପରି ଭାବରେ ଜ୍ଞାନ ଓ ଯୋଗ ରୂପକ ରକ୍ଷାସୂତ୍ର ଦ୍ୱୟ ମନୁଷ୍ୟକୁ ପରମାତ୍ମାଙ୍କ ସହ ସ୍ନେହ ବନ୍ଧନରେ ଆବଦ୍ଧ କରେ । ଦୁଇ ଭ୍ରୁଲତା ମଧ୍ୟ ଭାଗରେ ଲଗାଯାଉଥିବା ତିଳକ ହେଲା ଆତ୍ମସ୍ମୃତିର ତିଳକ । ଆତ୍ମିକ ସ୍ମୃତି ବିନା ପରମାତ୍ମା ସ୍ମୃତି ଅସମ୍ଭବ । ରକ୍ଷାବନ୍ଧନରେ ଉପହାର ଦେବାର ପରମ୍ପରା ପଛରେ ମଧ୍ୟ ଏକ ମହତ୍ ଉଦେ୍ଦଶ୍ୟ ସନ୍ନିହିତ । ଏଠାରେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଆଦିକୁ ପରମାତ୍ମାଙ୍କୁ ଦେଇ ଦେବାର କଥା କୁହାଯାଇଛି । ବିକାର ରହିଲେ ଦେହ ଅଭିମାନ ରହିବ, ଦେହ ଅଭିମାନ ରହିଲେ ଜଣେ ବ୍ୟକ୍ତି ମାୟାର ବନ୍ଧନରୁ ବା ବିଷୟାବିଷର ବନ୍ଧନରୁ ମୁକ୍ତ ହୋଇ ପାରିବ ନାହିଁ । ମିଠା ଖାଇବାର କଥା ଭିତରେ ମଧ୍ୟ ଏକ ମିଠା ସନେ୍ଦଶ ରହିଛି । ମିଠା ଖୁଆଇବା ଓ ମିଠା ଖାଇବା ଜୀବନର ବ୍ରତ ହେବା ଆବଶ୍ୟକ । ଅର୍ଥାତ୍ ମିଠା ତଥା ମଧୁର ସମ୍ଭାଷଣରେ ସମସ୍ତେ ସନ୍ତୁଷ୍ଟ ହୁଅନ୍ତି, ସମ୍ପର୍କ ଦୃଢ଼ ହୁଏ । ସେଥିପାଇଁ ସଂସ୍କୃତରେ କୁହାଯାଇଛି –
“ପ୍ରିୟବାକ୍ୟପ୍ରଦାନେନ ସର୍ବେ ତୁଷ୍ୟନ୍ତି ଯନ୍ତବଃ
ତସ୍ମାତ୍ତଦେବ ବକ୍ତବ୍ୟଂ ବଚନେ କୋ ଦରିଦ୍ରତା ।”
ପବିତ୍ରତା ହିଁ ସୁଖ ଶାନ୍ତିର ଜନନୀ । ତେଣୁ ସମ୍ପୂର୍ଣ୍ଣ ପବିତ୍ର ରହି ମଧୁର ବାଣୀରୂପୀ ଅବିନାଶୀ ମିଷ୍ଟାନ୍ନ ବଣ୍ଟନ କରି, ମସ୍ତକରେ ଆତ୍ମସ୍ମୃତିର ଅବିନାଶୀ ତିଳକ ଲଗାଇ, ସଦା ଈଶ୍ୱରୀୟ ସ୍ମୃତିରେ ରହି ଜଗତର କଲ୍ୟାଣ କାମନା କରିବା ହେଉ ଆମ ଜୀବନର କର୍ମ ଓ ଧର୍ମ ।